ଓଡିଆ ସିନେମା ଓ ଟିଭି ଅଭିନେତ୍ରୀ ‘ନିକିତା’ ଆରପାରିରେ:ଫିଲ୍ମ ଦୁନିଆରେ ଶୋକର ଛାୟା

କଟକ:  ଆର ପାରିରେ ଏସିପି ନିକିତା  । ଆଜି କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଓଲିଉଡ୍‌ ତଥା ଟିଭି ଦୁନିଆର ଚର୍ଚ୍ଚିତ ଚେହେରା ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ହୋଇଛି । ତେବେ ବ୍ରେନ୍ ହେମୋରେଜ୍ ଯୋଗୁଁ ନିକିତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ଏନେଇ ସମସ୍ତ ଓଲିଉଡ୍‌ ଏବଂ ଟିଭି ଜଗତରେ ଶୋକର ଛାୟା ଖେଳିଯାଇଛି  । ସୂଚନା ଯେ, ଖୁବ  କମ୍ ବୟସରେ ନିକିତା ନିଜ ଆତ୍ମୀୟଙ୍କୁ ଛାଡି ଆରପାରିକୁ  ଚାଲିଯାଇଛନ୍ତି  ।

ଗତକାଲି ବିଳମ୍ବିତ ରାତିରେ ଘରେ କାମ କରୁ କରୁ ନିକିତାଙ୍କ ଗୋଡ଼ ଖସିଯାଇଥିଲା ଫଳରେ ସେ ପଡିଯାଇଥିଲେ । ଏନେଇ ତାଙ୍କୁ ତୁରନ୍ତ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ଚାଲିଥିବା ସମୟରେ ଆଜି (ଶନିବାର) ସକାଳ ପ୍ରାୟ 11ରୁ 12ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସଦସ୍ୟଙ୍କ ନିକଟରୁ ସୂଚନା ମିଳିଛି  । ମାତ୍ର 30 ବର୍ଷ ବୟସରେ ନିକିତା ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି  ।

NIKITAକିଛି କଳାକାର ଥାନ୍ତି, ଯିଏ ଟିଭି ଜଗତରେ ନାଁ କମାନ୍ତି, କିଛି ସିଲଭର୍‌ ସ୍କ୍ରିନରେ ନିଜର କମାଲ ଦେଖାନ୍ତି  । କିନ୍ତୁ ନିକିତା ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟର ଯାଦୁରେ ଉଭୟ ଓଲିଉଡ୍ ଏବଂ ଟିଭି ଦୁନିଆରେ ଲୋକପ୍ରିୟତା ହାସଲ କରିଥିଲେ । ସଂଜୟ ନାୟକଙ୍କ ଫିଲ୍ମ ଆଖି ଖୋଲିବାକୁ ଡର ଲାଗୁଛିଫିଲ୍ମରୁ ନିକିତା ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ । ପରେ ପରେ ସେ ଚୋରି ଚୋରି ମନ ଚୋରିମିତ ବସିଛି ମୁଁ ଭୂତ ସାଥିରେ ଏବଂ ଗୁଣ୍ଡା ଫିଲ୍ମରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟି ଥିଲେ । ସେହିପରି ଲୋକପ୍ରିୟ ଟିଭି ସିରିଏଲ୍‌ ତପସ୍ୟା ଏବଂ ଏସିପି ନିକିତାରେ ନିଜର ଅଭିନୟର କମାଲ ଦେଖାଇ ନିକିତା ସମସ୍ତଙ୍କ ପ୍ରିୟ ହୋଇଥିଲେ । ନିକିତା ପ୍ରାୟ 100ରୁ ଉର୍ଦ୍ଧ୍ୱ ଓଡ଼ିଆ ଆଲବମ୍‌ରେ ମଧ୍ୟ ଅଭିନୟ କରିସାରିଛନ୍ତି । ମାତ୍ର 30 ବର୍ଷ ବୟସରେ ନିକିତାଙ୍କ ମୃତ୍ୟୁରେ ସମସ୍ତ ଆତ୍ମୀୟ, ପ୍ରଶଂସକ ଏବଂ କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି ।