ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରୁ ୨୭ ଗାଁ ବାଦ୍‍ ପାଇଁ ବନ ବିଭାଗର ନିଷ୍ପତ୍ତି: ବିଜ୍ଞପ୍ତି ପ୍ରକାଶ ଖୁବ୍‍ଶୀଘ୍ର

ଭୁବନେଶ୍ୱର,(ହଲଚଲ୍ ନ୍ୟୁଜ୍): ଆଜି ଅପରାହ୍ଣରେ ଭୁବନେଶ୍ୱର ସଚିବାଳୟ ଠାରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଭୟାରଣ୍ୟରୁ କଟକ ଜିଲ୍ଲା ସାତକୋଶିଆ ସଂଲଗ୍ନ ଯୋଡୁମ ପ୍ରଗଣାର ୫ଟି ପଞ୍ଚାୟତରେ ୨୭ଟି ଗ୍ରାମକୁ ବାଦ୍‍ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଜଙ୍ଗଲ ପରିବେଶ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଜଙ୍ଗଲ ବିଭାଗ ପ୍ରମୁଖ ସଚିବ ଶ୍ରୀ ସୁରେଶ ମହାପାତ୍ର (ଓଡ଼ିଶା ମୁଖ୍ୟ ବନ୍ୟ ସଂରକ୍ଷକ), ସ୍ୱତନ୍ତ୍ର ସଚିବ ଜଙ୍ଗଲ ବିଭାଗ, ବନ୍ୟ ସଂରକ୍ଷକ ଅନୁଗୁଳ ସଂପୃକ୍ତ ବନଖଣ୍ଡ ଅଧିକାରୀଗଣ, ପର୍ଯ୍ୟଟନ ବିଭାଗର ଅଧିକାରୀ ତଥା ଯୋଡୁମ ପ୍ରଗଣା ଆଞ୍ଚଳିକ କମିଟିର ୨୦ଜଣ କର୍ମକର୍ତ୍ତା ପ୍ରତିନିଧି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିବେଶ ପର୍ଯ୍ୟଟନ ସଂପର୍କରେ ପର୍ଯ୍ୟଟନ ବିଭାଗରୁ ମଞ୍ଜୁରୀ ପାଇଥିବା ୯ କୋଟି ଟଙ୍କାର କାର୍ଯ୍ୟକାରିତା, ଏଥିରେ ଜଙ୍ଗଲ ବିଭାଗର ସଂପୃକ୍ତି ଓ ୨୭ଟି ଗ୍ରାମକୁ ବାଦ୍‍ ଦେବାପାଇଁ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଜଙ୍ଗଲ ବିଭାଗ ପକ୍ଷରୁ ଉପସ୍ଥାପନା କରାଯାଇଥିଲା ।
ଏ ସଂପର୍କରେ ବିସ୍ତୃତ ଆଲୋଚନା ଓ ଜଙ୍ଗଲ ବିଭାଗର ମଞ୍ଜୁରୀ ପରେ ଗେଜେଟ୍‍ ବିଜ୍ଞପ୍ତି ଖୁବ୍‍ଶୀଘ୍ର ପ୍ରକାଶ ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ଓ ପ୍ରତିଶ୍ରୁତି ଦିଆଯାଇଥିଲା । ପରିବେଶ ପର୍ଯ୍ୟଟନ ପାଇଁ ବାଲିପୁଟ-କମଳାଡିହ ଠାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୬ ଏକର ଜାଗାରେ ଏହାର କାର୍ଯ୍ୟକାରିତା ଓ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ସହିତ ଜଙ୍ଗଲ ବିଭାଗ ଜରିଆରେ ପରିବେଶ ପର୍ଯ୍ୟଟନ ପରିଚାଳନା କରିବା ପାଇଁ ସଚିବ ଶ୍ରୀ ମହାପାତ୍ର ମତ ଦେଇଥିଲେ ।
ବିଧାୟକ ଶ୍ରୀ ମିଶ୍ର ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ କେନ୍ଦୁପତ୍ର ଫଡ଼ିଗୁଡିକ ବନ୍ଦ ଥିବାରୁ ତାକୁ ବିଜ୍ଞପ୍ତି ପରେ ପୁଣି କାର୍ଯ୍ୟକ୍ଷମ ପାଇଁ ଓ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ନିର୍ବାହ ସୁଗମ କରିବା ପାଇଁ ଅନୁରୋଧ କରିବା ପରେ ଏ ସଂପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ରାଉତରାୟ ଓ ପ୍ରମୁଖ ସଚିବ ଶ୍ରୀ ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ । ବୋଟିଂ ପାଇଁ ତଥା ସପ୍ତାହକୁ ୨ଥର ପରିବହନ ଡଙ୍ଗା ଚାଳନା ପାଇଁ ଅନୁମତି ଦେବାକୁ ଆଞ୍ଚଳିକ କମିଟି ତରଫରୁ ଶ୍ରୀ ଶରତ ଖଟୁଆ, ଶ୍ରୀ ଲଳିତ ଡାକୁଆ ଅନୁରୋଧ କରିବା ପରେ ସୁରକ୍ଷା ନିୟମ ପାଳନ କରିବା ସହ ଶୀଘ୍ର ଅନୁମତି ଦିଆଯିବ ବୋଲି ଜଙ୍ଗଲ ବିଭାଗ ତରଫରୁ କୁହାଯାଇଥିଲା ।
ପ୍ରକାଶଥାଉକି, ଦୀର୍ଘ ୭ବର୍ଷ ହେଲା ୫ଟି ପଞ୍ଚାୟତ କମଳାଡିହ, ବସନ୍ତପୁର, ଯୋଡୁମ, ଚୋକାମୁଣ୍ଡା, ରେଗେଡ଼ା ଅଧିବାସୀମାନଙ୍କ ଗାଁଗୁଡିକୁ ୧୯୭୬ ମସିହା ବିଜ୍ଞପ୍ତିର ଅଭୟାରଣ୍ୟ ଅଞ୍ଚଳ ଓ ପରେ ହୋଇଥିବା ବ୍ୟାଘ୍ର ପ୍ରକଳ୍ପରୁ ବାଦ୍‍ ଦେବା ପାଇଁ ଅଞ୍ଚଳବାସୀଙ୍କ ଦାବି ତକ୍ରାଳୀନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଉପସ୍ଥାପିତ କରିଥିଲେ । ରାଜ୍ୟ ବନ୍ୟ ପ୍ରାଣୀ ବୋର୍ଡ, ଜାତୀୟ ବନ୍ୟ ପ୍ରାଣୀ ବୋର୍ଡ, ଜାତୀୟ ବ୍ୟାଘ୍ର ପ୍ରକଳ୍ପ ଅଧିଷ୍ଠାନ (ଘଞଉଇ) ଅନୁମତି ପରେ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳର ଜନଗହଳିପୂର୍ଣ୍ଣ ଗାଁଗୁଡିକ ବାଦ୍‍ ଦିଆଯିବା ନେଇ ନିଆଯାଇଥିବା ନିଷ୍ପତ୍ତି ଅଞ୍ଚଳବାସୀଙ୍କ ଖୁସି ବୋଲି ଯୋଡୁମ ପ୍ରଗଣା ଆଞ୍ଚଳିକ କମିଟି ତରଫରୁ ପ୍ରକାଶ କରାଯାଇଛି । ଏଥିପାଇଁ ବିଭାଗୀୟ ମନ୍ତ୍ରୀ, ପ୍ରମୁଖ ସଚିବ, ଅଧିକାରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀ ମିଶ୍ରଙ୍କୁ ଆଞ୍ଚଳିକ କମିଟି, ଅଞ୍ଚଳବାସୀଙ୍କ ତରଫରୁ ଧନ୍ୟବାଦ ଦିଆଯାଇଛି ।
ଅଞ୍ଚଳବାସୀଙ୍କ ତରଫରୁ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଜଙ୍ଗଲମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ, ସ୍ଥାନୀୟ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଜଙ୍ଗଲ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ଅଧିକାରୀମାନଙ୍କୁ ଆଞ୍ଚଳିକ କମିଟି କୃତଜ୍ଞତା ଜଣାଇଛି । ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସତ୍ୟରଞ୍ଜନ ପ୍ରଧାନ, ବୈକୁଣ୍ଠ ସାହୁ, ପ୍ରଭାକର ଆଚାର୍ଯ୍ୟ, ଜୟକୃଷ୍ଣ ବିଶ୍ୱାଳ, ଅଚ୍ୟୁତ ସାହୁ, ଲକ୍ଷ୍ମୀକାନ୍ତ ପ୍ରଧାନ, ଶଙ୍କର୍ଷଣ ପ୍ରଧାନ, ବାସୁଦେବ ଦାସ, ଲୋକନାଥ ସାହୁ ପ୍ରମୁଖ ଆଞ୍ଚଳିକ କମିଟିର କର୍ମକର୍ତ୍ତାମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।