ଝାରସୁଗୁଡ଼ା ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରୁ ନାଇଜେରିଆ :ଐଶ୍ୱର୍ଯ୍ୟାଙ୍କ କୋଳ ଭରିଲା

ଝାରସୁଗୁଡ଼ା;କେତେବେଳେ କାହା ଭାଗ୍ୟର ସୂର୍ଯ୍ୟ କେଉଁଠି ଉଦୟ ହୁଏ ତାହା କହିବା କଷ୍ଟକର। ସେମିତି ଏକ ଉଦାହରଣ ବୁଧବାର ସାମ୍‌ନାକୁ ଆସିଛି। ଦିନେ ଜଣେ କୁଆଁରୀ ମା’ ଲୋକଲଜ୍ଜା ଭୟରେ ନିଜର ଶିଶୁକନ୍ୟାର ଭାର ବୋହି ପାରି ନ ଥିଲେ। ପ୍ରତିପୋଷଣ ପାଇଁ ଅକ୍ଷମ, ସାମାଜିକ କୁତ୍ସାରଟନାକୁ ଡରି ସେ ପହଞ୍ଚି ଥିଲେ ଝାରସୁଗୁଡ଼ା ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରେ। ବହୁ କାକୁତିମିନତି କରି ଛାଡ଼ି ଯାଇଥିଲା ନିଜର ଶିଶୁକନ୍ୟାକୁ। ନିଜ ଜନ୍ମିତ ମା’ କୋଳ ଛାଡି ଶିଶୁଟି ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରେ ସେଦିନଠାରୁ ରହୁଥିଲେ। ହେଲେ ଏବେ ସେହି ଶିଶୁକନ୍ୟା ପାଇଛି ଆଉ ଏକ ମା’ କୋଳ। ସୁଦୂର ଆଫ୍ରିକା ମହାଦେଶ ନାଇଜେରିଆର ଏକ ଦମ୍ପତି ସେହି ଶିଶୁକନ୍ୟାକୁ କୋଳେଇ ନେଇଛନ୍ତି। ଭାରତୀୟ ବଂଶୋଦ୍ଭବ ଏହି ଦମ୍ପତି ରାମଗୋପାଳ ସତ୍ୟମୂର୍ତ୍ତି ଓ ଐଶ୍ୱର୍ଯ୍ୟା ରବି ନାଇଜେରିଆର ସ୍ଥାୟୀ ବାସିନ୍ଦା ଅଟନ୍ତି। ଗତ ସପ୍ତାହରେ ଝାରସୁଗୁଡ଼ା ସ୍ବତନ୍ତ୍ର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରୁ ସେମାନେ ଏହି ୭ ଶିଶୁକନ୍ୟାକୁ ଗ୍ରହଣ କରିଛନ୍ତି ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହରଣା, ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା କହିଛନ୍ତି।
ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ର ଘଟଣା। ଗତ ଜାନୁୟାରୀ ୯ରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ନିଜର ନବଜାତକଙ୍କ ସହ ପହଞ୍ଚିଥିଲେ ଜଣେ ଯୁବତୀ। ବିନା କୌଣସି ପ୍ରଶ୍ନରେ ଯୁବତୀଙ୍କଠାରୁ ସେହି ଶିଶୁକନ୍ୟାକୁ ଗ୍ରହଣ କରାଯାଇ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ମାର୍ଚ୍ଚ ୩ରେ ଜିଲା ଶିଶୁ ମଙ୍ଗଳ କମିଟି ଏହି ଶିଶୁକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବାକୁ ଆଇନତଃ ମୁକ୍ତ କରିଥିଲେ। ସେଣ୍ଟ୍ରାଲ ଆଡପଶନ୍‌ ରିସୋର୍ସ ଅଥରିଟି (କାରା) ଜରିଆରେ ଉକ୍ତ ନାଇଜେରୀୟ ଦମ୍ପତି ଦୀର୍ଘ ୩ ବର୍ଷ ହେବ ଆବେଦନ କରିଥିଲେ। ଆବେଦକଙ୍କ ଇଚ୍ଛା ମୁତାବକ ଏହି ଶିଶୁକନ୍ୟା ତାଙ୍କୁ ମିଳିବା ନେଇ ସୂଚିତ କରାଯାଇଥିଲା। ଜୁଲାଇ ପ୍ରଥମ ସପ୍ତାହରେ ଉକ୍ତ ଦମ୍ପତି ଝାରସୁଗୁଡ଼ାରେ ପହଞ୍ଚି ଶିଶୁକନ୍ୟାକୁ ଗ୍ରହଣ କରିଥିଲେ। ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଜିଲା ଜଜ୍‌ଙ୍କ ଅନୁମୋଦନ ପରେ ଅତିରିକ୍ତ ଜିଲାପାଳ ତ୍ରିଲୋଚନ ମାଝି ଶିଶୁକନ୍ୟାକୁ ଉକ୍ତ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ। ରାମଗୋପାଳ ଓ ଐଶ୍ୱର୍ଯ୍ୟାଙ୍କ ପାଖରେ ଶିଶୁଟି ସୁସ୍ଥ ଏବଂ ଖୁସିରେ ଥିବା ସୂଚନା ମଧ୍ୟ ମିଳିଛି।

Leave a Reply

Your email address will not be published. Required fields are marked *