ନକ୍ସଲ ଉପଦ୍ରୁତ ଜିଲ୍ଲା ସଂଖ୍ୟା ଏବେ ହ୍ରାସ ପାଇଛି:ଡିଜି ଡ: ଶର୍ମା

କଟକ: ନକ୍ସଲ ଉପଦ୍ରୁତ ଜିଲ୍ଲା ସଂଖ୍ୟା ଏବେ ହ୍ରାସ ପାଇଛି । ପୂର୍ବରୁ ରାଜ୍ୟର ୧୯ ଜିଲ୍ଲାରେ ନକ୍ସଲଙ୍କ ପ୍ରକୋପ ଥିଲା ବେଳେ ଏହି ସଂଖ୍ୟା ହ୍ରାସ ପାଇ ୧୫ ଜିଲ୍ଲାରେ ସୀମିତ ରହିଛି ବୋଲି ଆଜି ପୁଲିସ୍ ମହାନିଦେ୍ର୍ଦଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଗଣମାଧ୍ୟକୁ କହିଛନ୍ତି । ୨୦୧୮ ବର୍ଷର ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ ଶ୍ରୀ ଶର୍ମା ଆଜି ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ପୁଲିସ୍ ଯେଉଁ ଯେଉଁ ଆହ୍ୱାନର ସମ୍ମୁଖୀନ ହେଉଥିଲା ତାହା ଉପରେ ସବିଶେଷ ବିବରଣୀ ଦେବା ସହ ଆନେ୍ଦାଳନ ସମୟରେ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ଗୋଷ୍ଠୀ ବା ବ୍ୟକ୍ତିବିଶେଷଙ୍କ ନାମରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ ଚଳିତବର୍ଷ ୫୩ଟିରୁ ୨୫ଟି ଘଟଣରାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୧୨ ଜଣ ସାଧାରଣ ଲୋକ ଓ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି । ତେବେ ୩୯ ଜଣ କାଡର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ଉଦ୍ୟମରେ ୨୭ ଜଣ ମାଓବାଦୀ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟସ୍ତରୀୟ ଅପରେସନାଲ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ନକ୍ସଲମାନଙ୍କ ବିରୋଧରେ ଦକ୍ଷତା ବୃଦ୍ଧି କରାଯାଇଛି । ପୁଲିସ ଜନସାଧାରଣଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ ପାଇଁ ତାଲିମ ଓ କର୍ମଶାଳାମାନ ଆୟୋଜନ କରାଯିବା ସହିତରାଜ୍ୟରେ ୩୫ଟି ମଡେଲ ପୁଲିସ୍ ଷ୍ଟେସନ ସ୍ଥାପନ କରାଯାଇଛି । ଏହାର କାର୍ଯ୍ୟଶୈଳୀକୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ଅଧିକ ମଡେଲ ଥାନା ପାଇଁ ପ୍ରସ୍ତାବ ଦିଆଯିବ ବୋଲି ଡ. ଶର୍ମା କହିଛନ୍ତି । ନିକଟରେ ୬୦୩ ଜଣ ଏସ୍ଆଇଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୩ ହଜାର ୮୦୦ କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଏବେ ଜାରି ରହିଛି । ଏହାସତ୍ତ୍ୱେ ୩୯% ଏସଆଇ ପଦବୀ ଖାଲି ପଡିଛି । ଥାନା ସ୍ତରରେ ରେକର୍ଡ ଭାର ହ୍ରାସ କରିବା ପାଇଁ ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଇଥିବା ସ୍ଥଳେ ଚଳିତ ବର୍ଷ ୭ଟି ରେକର୍ଡକୁ ଲୋପ କରାଯାଇ କମ୍ପୁ୍ୟଟରାଇଜେସନ କରାଯାଇଛି । ସେହିପରି ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅନଲାଇନରେ ଏଫଆଇଆର ଏବଂ ଷ୍ଟେସନ ଡାଇରି ଗ୍ରହଣ କରାଯାଇଛି । ଦଣ୍ଡ ହାର ବଢାଇବା ଉଦେ୍ଦଶ୍ୟରେ ତଦନ୍ତ ପ୍ରକ୍ରିୟାରେ ଉନ୍ନତି ଆଣି ସଠିକ୍ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରାଯିବା ପାଇଁ ୨୪ଟି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅଭିଜ୍ଞ ଆଇନ ପରାମର୍ଶଦାତା ନିଯୁକ୍ତି ଦିଆଯିବା ପାଇଁ ଯୋଜନା କରାଯାଇଛି ।
ଡିଜିପି କହିଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କୁ ପୁଲିସର କାର୍ଯ୍ୟଶୈଳୀ ସହ ଯୋଡିବା ପାଇଁ ଷ୍ଟୁଡେଣ୍ଟ ପୁଲିସ କ୍ୟାଡେଟ୍ ଯୋଜନା କରାଯାଇଛି । ରାଜ୍ୟର ୪୦ଟି ବିଦ୍ୟାଳୟରେ ପ୍ରତ୍ୟେକ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀର ୨୨ ଜଣ ପୁଅ ଓ ୨୨ ଜଣ ଝିଅଙ୍କୁ ଏଥିପାଇଁ ଚୟନ କରାଯାଇ ସେମାନଙ୍କୁ ଏକକ ପୋଷାକ ଆଦି ଯୋଗାଇ ଦିଆଯାଇଛି । ରାଜ୍ୟରେ ଅନେକ ସମୟରେ ଶିଶୁମାନଙ୍କୁ ନିର୍ଯାତନା ଦିଆଯାଉଥିବା ଏବଂ ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ କ୍ରାଇମବ୍ରାଂଚ ପକ୍ଷରୁ ପରି ପାଇଁ କଥାଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ରାଜ୍ୟ ବାହାରୁ ୧୦୬ ଜଣ ଏବଂ ରାଜ୍ୟରୁ ୨,୭୮୯ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ।
ପୋଲିସ ପାଇଁ ଗଞ୍ଜେଇ ଚାଷ ଏକ ଚାଲେଞ୍ଜ ସୃଷ୍ଟି କରିଥିବା ବେଳେ ପୋଲିସ, ଅବକାରୀ ବିଭାଗ ଓ ଅନ୍ୟ ବିଭାଗର ସହାୟତାରେ ଏହାକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଗତ ବର୍ଷ ୪ ହଜାର ୬୦୦ ଏକର ଜମିରୁ ଗଞ୍ଜେଇ ନଷ୍ଟ କରାଯାଇଥିବା ବେଳେ ୭୦ ଟନ୍ ଗଞ୍ଜେଇ ଜବତ କରାଯାଇଥିଲା । ମାତ୍ର ୨୦୧୮ରେ ପୋଲିସ ୬,୬୮୩ ଏକର ଜମିରୁ ଗେଇ ନଷ୍ଟ କରାଯିବା ସହ ୭୬ଟି ମାମଲା ରୁଜୁ କରିଛି । ମହିଳା ଓ ଶିଶୁଙ୍କ ବିରୋଧରେ ବୃଦ୍ଧି ପାଉଥିବା ଅପରାଧକୁ ରୋକିବା ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେହିଭଳି ମାମଲାକୁ ରେଡ ଫ୍ଲାଗ ମାମଲା ଭାବେ ତ୍ୱରିତ୍ ତଦନ୍ତ କରାଯାଉଥିବା ବେଳେ ଦଣ୍ଡିତ ହାର ୪୧%ରେ ପହଂଚିଛି । ଅର୍ଥନୈତିକ ଅପରାଧ ଶାଖା ୪୬ଟି ମାମଲା ତଦନ୍ତ କରି ଚାର୍ଜସିଟ ଦାଖଲ କରିବା ସହ ୧୦୩ ଜଣଙ୍କୁ ଗିରଫ କରିପାରିଛି । ଓପିଆଇଡି ଆକ୍ଟରେ ୧୬ଟି ମାମଲାରେ ସଂପତ୍ତି ବାଜ୍ୟାପ୍ତି ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସଂଗଠିତ ଅପରାଧ ରୋକିବାରେ ଏସଟିଏଫ ସନ୍ତୋଷଜନକ କାର୍ଯ୍ୟ କରିଛି । ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ଓ ତା’ର ୧୭ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା ବେଳେ ସୋମାନଙ୍କ ଅଚଳାଚଳ ସଂପତ୍ତି ଜବତ କରାଯାଇଛି ।
ସୋସିଆଲ ମିଡିଆର ବହୁଳ ବ୍ୟବହାର ଦ୍ୱାରା ଦିନକୁ ଦିନ ସାଇବର କ୍ରାଇମ୍ ସଂଖ୍ୟା ବଢୁଥିବା ବେଳେ ପୁଲିସ ଏହାକୁ ସଫଳତାର ସହ ମୁକାବିଲା କରୁଛି । ପୂର୍ବରୁ କ୍ରାଇମବ୍ରାଞ୍ଚରେ ଗୋଟିଏ ମାତ୍ର ସାଇବର ଥାନା ରହିଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ୩ଟି ସାଇବର ଥାନା ଖୋଲାଯାଇଥିବା ବେଳେ ଆଉ ୪ଟି ସାଇବର ଥାନା ପାଇଁ ପ୍ରସ୍ତାବ ଦିଆଯାଇଛି ।
ସଡକ ନିରାପତ୍ତା ପାଇଁ କ୍ରାଇମବ୍ରାଞ୍ଚରେ ରହିଥିବା ରୋଡ ସେପ୍ଟି ସେଲ ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ ନେଉଥିଲେ ହେଁ ଜନସଚେତନତାର ଆବଶ୍ୟକତା ରହିଛି । ଦ୍ରୁତ ଗାଡି ଚାଳନା ଓ ମଦ୍ୟପାନ କରି ଗାଡି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥିବା ବେଳେ ପ୍ରତ୍ୟେକ ଥାନାକୁ ବ୍ରେଥ ଆନାଲାଇଜର ଯୋଗାଇ ଦିଆଯାଇଥିବା ବେଳେ ମଦ୍ୟପ ଚାଳକମାନଙ୍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯିବ । ଚଳିତବର୍ଷ ବିଜେପୁର ଉପ ନିର୍ବାଚନ, ବିଭିନ୍ନ ଧର୍ମୀୟ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଭଳି ଭିଭିଆଇପିଙ୍କ ଗସ୍ତ, ନିକଟରେ ଶେଷ ହୋଇଥିବା ପୁରୁଷ ହକି ବିଶ୍ୱକପ ସମୟରେ ସଫଳତାର ସହ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳି ପାରିଥିବା ଡିଜି ଡା. ଶର୍ମା ପ୍ରକାଶ କରିଥିଲେ । ସମ୍ବଲପୁରର ଅଇଁଠାପଲି ଥାନାର ହାଜତ ମୃତୁ୍ୟ, ପୁରୀ ଜଗନ୍ନାଥ ମନ୍ଦିରରେ ସେବାୟତଙ୍କ ଗଣ୍ଡଗୋଳ ଓ ଅନୁଗୁଳରେ ସୁନ୍ଦରୀ ବାଘୁଣୀ ଆକ୍ରମଣକୁ ନେଇ ଜନସାଧାରଣ ସରକାରୀ ସଂପତ୍ତି ନଷ୍ଟ କରିଥିଲେ । ସିସିଟିଭି ଫୁଟେଜ ଓ ଭିଡିଓ ରେକର୍ଡିଂରୁ ଏହି କାର୍ଯ୍ୟକୁ ଉସୁକାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ମୁତାବକ ସେମାନଙ୍କଠାରୁ କ୍ଷୟକ୍ଷତିର ଭରଣା କରାଯିବା ନିମନ୍ତେ ହାଇକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଓଡିଶା ପୋଲିସ ୨୦୧୮ ରେ ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଡିଜିପି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ, ମହେନ୍ଦ୍ର ପ୍ରତାପ, ସୁଧାଂଶୁ କୁମାର ଷଡଙ୍ଗୀ, ଆଇଜି ଅରୁଣ କୁମାର ବୋଥ୍ରା, ଆର୍ପି କୋଚେ, ପିଏସ୍ ରଣପିସେ ଏବଂ ଅସୀତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।