ସିନାପାଲି ରେ ଶକ୍ତି ସମ୍ବର୍ଦ୍ଧନ ୨୪କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଏବଂ ପ୍ରାଣ ପ୍ରତିଷ୍ଠା ମହୋତ୍ସଵ ଅନୁଷ୍ଠିତ,ଭବ୍ୟ କଲସ ଶୋଭାଯାତ୍ରା ରେ ସାମିଲ ହେଲେ ସହସ୍ରାଧିକ ମହିଳା ।

ନୂଆପଡା,(ସନ୍ତୋଷ କୁମାର ବାଗ,ହଲଚଲ ନ୍ୟୁଜ) ନୂଆପଡା ଜିଲ୍ଲା ସିନାପାଲି ଠାରେ ଶକ୍ତି ସମ୍ବର୍ଦ୍ଧନ ୨୪କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଏବଂ ପ୍ରାଣ ପ୍ରତିଷ୍ଠା ମହୋତ୍ସଵ ଅବସରରେ ମଙ୍ଗଳବାର କଲସଯାତ୍ରା ସହ ଗାୟତ୍ରୀ ମହାଯଜ୍ଞ ର ଶୁଭାରମ୍ଭ ହୋଇଯାଇଛି ।ମଙ୍ଗଳବାର ଅନୁଷ୍ଠିତ ପବିତ୍ର କଲସ ଯାତ୍ରା ରେ ନୂଆପଡା ଜିଲ୍ଲା ତଥା କଳାହାଣ୍ଡି, ବଲାଙ୍ଗୀର ଓ ସୀମାନ୍ତ ଛତିଶଗଡ଼ ଅଂଚଳରୁ ସହସ୍ରାଧିକ ମହିଳା ପାରମ୍ପରିକ ବାଜା,ଘଣ୍ଟବାଦ୍ୟ,ଘୁମୁରା ଓ ସଂକୀର୍ତନ ଦଳ ସହ ସାମିଲ ହୋଇ ଭବ୍ୟ ଶୋଭାଯାତ୍ରାରେ ସିନାପାଲି ସହର ପରିକ୍ରମା କରି ଯଜ୍ଞ ମଣ୍ଡପରେ କଲସ ସ୍ଥାପନା କରିଥିଲେ । ଦୀର୍ଘ ଚାରି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହାଯଜ୍ଞ ରେ ଦୈନିକ ଆହୁତି,ସଙ୍ଗୀତ,ପ୍ରବଚନ,ସାମୁହିକ ଜପ,ଧ୍ୟାନ,ଦୀପ ମହାଯଜ୍ଞ ସହ ପୁଂସବନ,ନାମକରଣ,ମୁଣ୍ଡନ,ବିଦ୍ୟାରମ୍ଭ,ଦୀକ୍ଷା, କୁମାରୀ ବ୍ରତ,ଯଜ୍ଞଓପବିତ,ବିବାହ ସଂସ୍କାର ଆଦି କାର୍ଯ୍ୟକ୍ରମର ଆୟୋଜିତ ହେବାକୁ ସ୍ଥିରୀକୃତ ହୋଇଛି ।ସୂଚନା ଯୋଗ୍ୟ ଯେ ୧୯୮୧ ମସିହା ଡିସେମ୍ବର ୨୭ ତାରିଖ ଦିନ ଶାନ୍ତିକୁଞ୍ଜ ର ସଂସ୍ଥାପକ ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଙ୍କ ପବିତ୍ର କରକମଲରେ ସିନାପାଲି ଗାୟତ୍ରୀ ଶକ୍ତି ପୀଠ ର ସ୍ଥାପନ ହେବା ଦିନ ଠାରୁ ଏହି ନିର୍ଦ୍ଧିଷ୍ଟ ତାରିଖରେ ପ୍ରତିବର୍ଷ ଗାୟତ୍ରୀ ଶକ୍ତିପୀଠ ର ବର୍ଷିକୋତ୍ସଵ ଯଥାରୀତି ପାଳିତ ହୋଇଆସୁଛି । ଚଳିତ ବର୍ଷ ଗାୟତ୍ରୀ ଶକ୍ତିପୀଠର ବର୍ଷିକୋତ୍ସବ ତଥା ସଜଳ ଶ୍ରଦ୍ଧା-ପ୍ରଖର ପ୍ରଜ୍ଞା, ମାଁ ଲକ୍ଷ୍ମୀ ଓ ମାଁ ସରସ୍ବତୀ ଙ୍କ ପ୍ରାଣ ପ୍ରତିଷ୍ଠା ହେଉଥିବାରୁ ଏହି ଭବ୍ୟ ଆୟୋଜନ କରାଯାଇଥିବା କମିଟି ସୂତ୍ରରୁ ଜଣାପଡ଼ିଛି ।ଏହି ଆୟୋଜନ ପାଇଁ ଅକ୍ଟୋବର ୨୩ ତାରିଖ ଦିନ ସିନାପାଲି ଅଂଚଳରୁ ଦେଢ଼ଶହ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଶକ୍ତି କଲସ ଆଣିବା ପରେ ନଭେମ୍ବର ୧୧ ତାରିଖ ଦିନ ଏହି ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସକାଶେ ସିନାପାଲି ଶାନ୍ତି ନଗର ଠାରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚାରି ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ମହାଯଜ୍ଞ ରେ ଜନସମାଗମ କୁ ଆଖିଆଗରେ ରଖି କମିଟି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି । ଶାନ୍ତିକୁଞ୍ଜ ହରିଦ୍ୱାର ର ଋଷିପୁତ୍ର ଦେବତା ପ୍ରସାଦ ଶର୍ମାଙ୍କ ଦ୍ୱାରା ସଂଚାଳିତ ହେଉଥିବା ଏହି ଚବିଶ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ର ସଭାପତି ଭାବେ ତରୁଣ କୁମାର ମେହେର,ସମ୍ପାଦକ ଭାବରେ ତ୍ରିନାଥ ମେହେର ଓ କୋଷାଧ୍ୟକ୍ଷ ଭାବରେ ମୁନେଶ କୁମାର ଅଗ୍ରୱାଲ ଦାୟିତ୍ୱ ନିର୍ବାହ କରୁଛନ୍ତି । ୨୬ ତାରିଖ ବୁଧବାର ଦିନ ଶାନ୍ତିକୁଞ୍ଜ ହରିଦ୍ୱାର ରୁ ନିମନ୍ତ୍ରିତ ଅତିଥି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ର କେନ୍ଦ୍ରୀୟ ଜୋନାଲ ସମନ୍ଵୟକ କାଲିଚରଣ ଶର୍ମା ଙ୍କ କରକମଲରେ ସଜଳ ଶ୍ରଦ୍ଧା-ପ୍ରଖର ପ୍ରଜ୍ଞା, ମାଁ ଲକ୍ଷ୍ମୀ ଓ ମାଁ ସରସ୍ବତୀ ଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଏହି ମହାଯଜ୍ଞ ର ପରିଚାଳନା ରେ ସ୍ଥାନୀୟ ଆଦର୍ଶ ଯୁବକସଙ୍ଘ, ଶାନ୍ତି ଯୁବକସଙ୍ଘ, ଫ୍ରେଣ୍ଡସ କ୍ଲବ,ଉଦନ୍ତୀ ଯୁବକସଙ୍ଘ, ହନୁମାନ ଯୁବକସଙ୍ଘ, ମାଁ ମହୁଲଗଛିଏନ ଯୁବକସଙ୍ଘ, ନେତାଜୀ ଯୁବକସଙ୍ଘ, ଚକାଡୋଳା ଭଜନ ମଣ୍ଡଳୀ,ଶ୍ରୀ ସତ୍ୟ ସାଇ ଅନୁଷ୍ଠାନ,ପ୍ରଜ୍ଞା ମହିଳା ମଣ୍ଡଳ,ମାଁ ଦୁର୍ଗା ମହିଳା ମଣ୍ଡଳ ଙ୍କ ସମେତ ସିନାପାଲି, ହାତିବନ୍ଧା ତଥା କଳାହାଣ୍ଡି, ବଲାଙ୍ଗୀର ଓ ସୀମାନ୍ତ ଛତିଶଗଡ ରୁ ବହୁ ଗାୟତ୍ରୀ ପରିଜନ ବୃନ୍ଦ ସାମିଲ ଅଛନ୍ତି ।ଆସନ୍ତା ୨୮ ତାରିଖ ଦିନ ଏହି ମହାଯଜ୍ଞ ପୂର୍ଣ୍ଣାହୁତି ହେବ ବୋଲି କମିଟି ସୂତ୍ରରୁ ଜଣାପଡିଛି ।

ସନ୍ତୋଷ କୁମାର ବାଗ
ସିନାପାଲି, ନୂଆପଡା