ଓଡିଶା ପ୍ରଦେଶ ଶିକ୍ଷକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ:ସବୁ ପ୍ରକାରକ ଶିକ୍ଷକଙ୍କୁ ପୂର୍ଣ୍ଣ ପ୍ରତ୍ୟଁ ଅନୁଦାନ ଦାବୀ

ଭୁବନେଶ୍ୱର: ଓଡିଶା ପ୍ରଦେଶ ଶିକ୍ଷକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ କଠୋର ସମାଲୋଚନା କରି କୁହାଯାଇଛି ଯେ ଏଗାର ପ୍ରକାର ଶିକ୍ଷକ ଶ୍ରେଣୀ ୨୦୦୪ ମସିହାରୁ କାର୍ଯ୍ୟକାରୀ କରି ଯେଉଁ ଗୋତି ଶ୍ରମିକ ପ୍ରଥା ପ୍ରଚଳିତ ହୋଇଛି ତାହାକୁ ତୁରନ୍ତ ଉଚ୍ଛେଦ କରାଯାଉ । ସ୍ଥାନୀୟ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ପ୍ରଦେଶ ଶିକ୍ଷକ କଂଗ୍ରେସ ସଭାପତି ପ୍ରଫେସର କୈଳାସ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ରାଜ୍ୟସ୍ତରୀୟ କର୍ମକର୍ତା ଓ ବିଭିନ୍ନ ଜିଲ୍ଲା ପ୍ରତିନିଧି ଶିକ୍ଷକ, ଅଧ୍ୟାପକମାନେ ୧୯୭୪ ମସିହାରୁ ପ୍ରଚଳିତ ପୂର୍ଣ୍ଣ ପ୍ରତ୍ୟକ୍ଷ ଅନୁଦାନ ବ୍ୟବସ୍ଥାର ପୁନଃ ପ୍ରଚଳନ ପାଇଁ ଦୃଢ଼ ଦାବୀ କରିଥିଲେ । ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୂର୍ବତନ ସାଂସଦ ଡ. ରାଧାକାନ୍ତ ନାୟକ ଶିକ୍ଷକ ସମାଜ ସେମାନଙ୍କର ନ୍ୟାଯ୍ୟ ଦାବି ହାସଲ ପାଇଁ ସମଗ୍ର ରାଜ୍ୟରେ ଦୁର୍ବାର ଆନ୍ଦୋଳନ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ ।
ବୈଠକରେ ସର୍ବସମ୍ମତ ନିଷ୍ପତିକ୍ରମେ ପ୍ରଦେଶ ଶିକ୍ଷକ କଂଗ୍ରେସର କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ବରାଳ, ନିରଦ ବରଣ ଖୁଂଟିଆ ଓ ଗୁଣମଣି ସାଙ୍କୁ ରାଜ୍ୟର କେନ୍ଦ୍ରାଂଚଳ, ଦକ୍ଷିଣାଂଚଳ ଓ ପଶ୍ଚିମାଂଚଳର ସାଂଗଠନିକ ଦାୟିତ୍ୱ ଅର୍ପଣ କରାଗଲା । ସେମାନଙ୍କ ସହିତ ଉପସଭାପତି ଓ ସାଧାରଣ ସଂପାଦକମାନେ ମିଳିତ ଭାବରେ ବିଭିନ୍ନ ଜିଲ୍ଲାର ଶିକ୍ଷକମାନଙ୍କ ସହିତ ସଂପର୍କ ସ୍ଥାପନ କରି ଜିଲ୍ଲା ଶିକ୍ଷକ କଂଗ୍ରେସ ଗଠନ କରିବେ ବୋଲି ନିଷ୍ପତି ଗୃହୀତ ହେଲା । ଉକ୍ତ ଉଦ୍ୟମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ମୁଖ୍ୟମାନେ ସକ୍ରୀୟ ସହଯୋଗ କରିବା ପାଇଁ ପ୍ରଦେଶ ଶିକ୍ଷକ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିରନ୍ତର ଦିଗ୍ଦର୍ଶନରେ ଶିକ୍ଷକ କଂଗ୍ରେସ ଶକ୍ତିଶାଳୀ ହୋଇ ସଂପ୍ରତି ପ୍ରାୟ ଏକ ହଜାର ଶିକ୍ଷକଙ୍କ ସହିତ ସେମାନଙ୍କର ସାମୂହିକ ସମସ୍ୟା ସଂପର୍କରେ ଆଲୋଚନା କଲେଣି । ଆଗାମୀ ଦିନରେ ରାଜ୍ୟର କୋଣ ଅନୁକୋଣରେ ସ୍ୱଳ୍ପ ଭତା ପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକମାନଙ୍କ ସହିତ ଅଧିକ ମତ ବିନିମୟ କରି ରାଜଧାନୀରେ ବିରାଟ ଶିକ୍ଷକ ସମାବେଶ ଆୟୋଜନ କରିବାକୁ ବୈଠକରେ ନିଷ୍ପତି ଗୃହୀତ ହୋଇଛି ।
ସୂଚନାଯୋଗ୍ୟ ଯେ ବିଭିନ୍ନ ପ୍ରକାର ଆଂଶିକ ଦରମା ପ୍ରାପ୍ତ ଶିକ୍ଷକଗଣ ରାଜଧାନୀରେ ମାସାଧିକ କାଳ ଧାରଣା, ଧର୍ମଘଟ କରି ହତାଶ ହେଉଥିବା ବେଳେ ସେମାନଙ୍କର ବିଦ୍ୟାଳୟଗୁଡିକୁ ମିଶ୍ରଣ ପ୍ରକ୍ର୍ରିୟାରେ ବନ୍ଦ କରିଦେବାକୁ ରାଜ୍ୟ ସରକାର ଗୁପ୍ତ ଉଦ୍ୟମ କରୁଛନ୍ତି । ଓଡିଶା ପ୍ରଦେଶ ଶିକ୍ଷକ କଂଗ୍ରେସ ଏହାକୁ ଘୋର ନିନ୍ଦା କରୁଛି ବୋଲି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ।
ଏହି ବୈଠକରେ ଉପସ୍ଥିତ ରହି ପ୍ରଦେଶ ଶିକ୍ଷକ କଂଗ୍ରେସ ସାଧାରଣ ସଂପାଦକ ଅକ୍ଷୟ କୁମାର ଦାସ, ବୈକୁଣ୍ଠ ନାୟକ, ଉପସଭାପତି ବିଣାପାଣି ସାମଲ, ଗୋଦାବରୀଶ ପାଇକରାୟ, ନିର୍ମଳକାନ୍ତ ମହାନ୍ତି, ହାଡିବନ୍ଧୁ ରାଉତ, ବିରଂଚି ନାରାୟଣ ମଣ୍ଡଳ, ପ୍ରଫୁଲ ନାୟକ ଓ ରାଜକିଶୋର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଓ ଦଶଟି ଜିଲ୍ଲା ଶିକ୍ଷକ କଂଗ୍ରେସର ଆବାହକଙ୍କ ନାମ ଘୋଷଣା କରିଥିଲେ ।