ଗୁରୁଣ୍ଡିଆ:ବୋଲେରୋ ସମେତ ଲକ୍ଷାଧିକ ଟଙ୍କା ଲୁଟ୍ !!

ସୁନ୍ଦରଗଡ଼:ଗତକାଲି ରାତିରେ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ତାମଡ଼ା ନିକଟରେ କେତେକ ଦୁର୍ବୃତ୍ତ ଡିପିସି କର୍ମଚାରୀଙ୍କ ଠାରୁ ଲୁଟ୍‌ପାଟ କରିଛନ୍ତି।

ସୂଚନା ଯୋଗ୍ୟ ଯେ,ଶନିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଭିନ୍ନକ୍ଷମ ସଂଯୋଜକ ଅମାତ୍ୟ କୁମାର ପ୍ରଧାନ ଏବଂ ଅର୍ଥନୈତିକ ପରାମର୍ଶଦାତା ରାଜେନ୍ଦ୍ର କୁମାର ପାତ୍ର କୋଇଡ଼ାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଟେଣ୍ଡର୍‌ ଅବ୍‌ଜର୍‌ଭର୍‌ ଭାବେ ଯୋଗ ଦେଇ ଫେରୁଥିଲେ। ତାଙ୍କ ସହ ଥିଲେ କୁଆଁରମୁଣ୍ଡାର ଠିକାଦାର ବାଳକୃଷ୍ଣ ଅଗ୍ରଓ୍ଵାଲ୍‌। ଡ୍ରାଇଭର୍‌ ରାଜେଶ ରୋସନ ବେଗ୍‌ ଏକ ବୋଲେରୋରେ ସେମାନଙ୍କୁ ନେଇ ଫେରିବା ବେଳେ ଭିଡ଼ ଯୋଗୁଁ ରାସ୍ତା ଅବରୋଧ ହୋଇଥିବାରୁ ଆଉ ଆଗକୁ ଯାଇ ନ ପାରି ଅଟକିଥିଲେ। ପରେ ସେମାନେ ଗୁରୁଣ୍ଡିଆ ରାସ୍ତାବାଟେ ଫେରିବାକୁ ମନସ୍ଥ କରି ଗାଡ଼ି ଗଡ଼ାଇଥିଲେ। ରାତି ପ୍ରାୟ ୨ଟା ବେଳେ ତାମଡ଼ା ନିଟରେ ପ୍ରାୟ ୬/୭ ଯୁବକ ରାସ୍ତା ଉପରେ ଗଛପକାଇ ସେମାନଙ୍କ ପଥ ଅବରୋଧ କରିଥିଲେ। ସମସ୍ତଙ୍କ ହାତରେ ଥିଲା ବାଡ଼ି ଓ ଭୁଜାଲି।ବୋଲେରୋରୁ ସମସ୍ତଙ୍କୁ ଓହ୍ଲାଇ ଦେବା ପରେ ଯୁବକମାନେ ସେମାନଙ୍କୁ ଠାରୁ ୮୫, ୫୦୦ ଟଙ୍କା, ୫ଟି ମୋବାଇଲ୍‌ ଫୋନ୍‌ ଓ ଏଟିଏମ୍‌ କାର୍ଡ ଛଡ଼ାଇ ନେଇଥିଲେ ଏବଂ ସେମାନଙ୍କୁ ନେଇ ପାଖରେ ଥିବା ଏକ ବଣ ମଧ୍ୟରେ ଛାଡ଼ି ଦେଇ ଆସିବା ପରେ ଘଟନାସ୍ଥଳରୁ ବୋଲେରୋଟି ନେଇ ଫେରାର ହୋଇଯାଇଥିଲେ।