ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ

ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ଏହା ଚାଲିବ ଏବଂ ୧୦ ଅଗଷ୍ଟରେ ଏହା ଶେଷ ହେବାର ସମ୍ଭାବନା ରହିଛି । ମୋଟ ୨୪ ଦିନର ଅଧିବେଶନରେ ୧୮ଟି କାର୍ଯ୍ୟଦିବସ ରହିଛି । ଏଥିମଧ୍ୟରେ ୩ଟି ବେସରକାରୀ କାର୍ଯ୍ୟଦିବସ ଅର୍ନ୍ତଭୁକ୍ତ । ଗୃହରେ ଆଲୋଚନା ପାଇଁ ୪୮ଟି ପ୍ରସଙ୍ଗ ଧାର୍ଯ୍ୟ ହୋଇଛି । ଏଥିରେ ୪୬ଟି ବିଲ୍ ଏବଂ ୨ଟି ଆର୍ଥିକ ପ୍ରସଙ୍ଗ ରହିଛି । ପୂର୍ବରୁ ଅଣାଯାଇଥିବା ୬ଟି ଅଧ୍ୟାଦେଶକୁ ଏହି ଅଧିବେଶନ କାଳରେ ସଂସଦରେ ଗୃହୀତ କରାଇ ଆଇନରେ ପରିଣତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ଲୋକସଭା ଓ ରାଜ୍ୟସଭାର ବିଭିନ୍ନ ଦଳର ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସରକାର ସମସ୍ତ ରାଜନୈତିକ ଦଳ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି । ଜାତୀୟ ସ୍ୱାର୍ଥ ହାସଲ ଲାଗି ସମସ୍ତ ରାଜନୈତିକ ଦଳ ଗୃହରେ ସାମୂହିକ ଭାବେ ଏକ ଗଠନମୂଳକ ପରିବେଶ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ । ସମସ୍ତ ଦଳ ଗୃହର ସୂଚାରୁ ପରିଚାଳନାରେ ସହଯୋଗ କରିବା ସହ ଗଠନମୂଳକ ଆଲୋଚନାରେ ଭାଗ ନେବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ବୈଠକରେ ବିଭିନ୍ନ ଦଳ ପକ୍ଷରୁ ଅନେକଗୁଡ଼ିକ ପ୍ରସଙ୍ଗ ଉତ୍ଥାପିତ କରାଯାଇଥିଲା । ତେବେ ଗୃହକୁ ବିନା ବାଧାରେ ସୁଚାରୁ ପରିଚାଳନା ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ନେତା ସହମତ ହୋଇଥିଲେ । ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତକୁମାର ଗଣମାଧ୍ୟମକୁ କହିଥିଲେ ଯେ, ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ସରକାର ସମସ୍ତ ରାଜନୈତିକ ଦଳ ବିଶେଷ କରି ବିରୋଧୀ ଦଳର ସହଯୋଗ ଲୋଡ଼ିଥିଲେ । ସଂସଦରେ ବିନା ବାଧାରେ କାର୍ଯ୍ୟ ହେଉ ବୋଲି ଦେଶବାସୀଙ୍କ ଇଚ୍ଛା । ତେଣୁ ଦେଶର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ଦଳର ସହଯୋଗ ସରକାର ଲୋଡ଼ିଛନ୍ତି । ଫଳପ୍ରଦ ମୌସୁମୀ ଅଧିବେଶନ ସପକ୍ଷରେ ସବୁ ଦଳ ଥିବା ସେ କହିଛନ୍ତି । ସାମ୍ବିଧାନିକ ଆଇନ ଅନୁସାରେ ଯେକୌଣସି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସରକାରର ପ୍ରସ୍ତୁତ ଥିବା ସେ କହିଥିଲେ । ଅଧିବେଶନକୁ ଫଳପ୍ରଦ କରିବା ଦିଗରେ କୌଣସି ପ୍ରକାର ସୁଯୋଗ କିମ୍ବା ପ୍ରଚେଷ୍ଟାକୁ ସରକାର ହାତଛଡ଼ା କରିବେ ନାହିଁ ବୋଲି ସେ କହିଥିଲେ । ଏହି ସର୍ବଦଳୀୟ ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର, ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ, ସଂସଦୀୟ ବ୍ୟାପାର, ଜଳସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *