ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କଲେ ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ

ଭୁବନେଶ୍ୱର,୨୦/୧୧/୨୦୧୮(ହଲଚଲ୍ ନ୍ୟୁଜ୍): ରାଜ୍ୟରେ ସବୁଜ ପତ୍ରିକାଧାରୀଙ୍କ ସମସ୍ୟାର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚଳିତ ୧୫ ତାରିଖରେ ଏକ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ସବୁଜ ପତ୍ରିକାଧାରୀଙ୍କ ଦାବି ଓ ସମସ୍ୟାର ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବ । ଏହିଭଳି ଏକ ଐତିହାସିକ ପଦକ୍ଷେପ ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମହାସଂଘର ସଭାନେତ୍ରୀ ଶ୍ରୀମତୀ ଲକ୍ଷ୍ମୀ ଦେବୀ ଅଧ୍ୟକ୍ଷତା କରି କହିଥିଲେ ଯେ ସବୁଜ ପତ୍ରିକାଧାରୀ ମହିଳାମାନଙ୍କ ସମସ୍ୟାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ହାତକୁ ନେଇ ସମ୍ମାନ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ପାଇଁ ଆମେମାନେ ଏବଂ ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ ତରଫରୁ ତାଙ୍କୁ ଧନ୍ୟବାଦ ଜଣାଉଛୁ । ଏପରିକି ଓଡ଼ିଶାରେ ସବୁଦିନ ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇ ରୁହନ୍ତୁ ଏହାହିଁ କାମନା କରୁଛୁ ବୋଲି ଶ୍ରୀମତୀ ଦେବୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉପସ୍ଥିତ ସବୁଜ ପତ୍ରିକାଧାରୀ ମହିଳାମାନଙ୍କୁ କହିଥିଲେ ଯେ ଆପଣମାନେ ଏଭଳି ଏକ କାର୍ଯ୍ୟକ୍ରମକୁ ଆସିଥିବାରୁ ବହୁତ ବହୁତ ଧନ୍ୟବାଦ । ମୁଁ ଆପଣମାନଙ୍କ ସମସ୍ୟା ବିଷୟରେ ବୁଝୁଛି ଏବଂ ସମାଧାନ କରିବା ପାଇଁ ଚେଷ୍ଟା କରିବି । ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘର ସମସ୍ତ ଜିଲ୍ଲା ସଭାନେତ୍ରୀଙ୍କ ସମେତ ୧୦ ହଜାରରୁ ଊଦ୍ଧ୍ୱର୍ ପତ୍ରିକାଧାରୀ ଉପସ୍ଥିତ ଥିଲେ ।