ଶ୍ରୀକାନ୍ତ ଜେନା ଙ୍କୁ ନେଇ କଂଗ୍ରେସ ଶିବିରରେ ବେଶ୍ ଚର୍ଚ୍ଚା !

ଭୁନନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ କ୍ୟାମ୍ପ ବଦଳାଇଥିବା କଥା ତାଙ୍କ ଦଳ ଭିତରେ ଜୋରଦାର ଚର୍ଚ୍ଚା ହେଉଛି । ସେ ଜେନା କ୍ୟାମ୍ପ ଛାଡ଼ି ପଟ୍ଟନାୟକ କ୍ୟାମ୍ପରେ ସାମିଲ ହୋଇଥିବା ଦଳୀୟ ନେତାମାନେ କହୁଛନ୍ତି । ଜୟଦେବ ଜେନାଙ୍କ ସହ ନ ରହି ଏବେ ନିରଂଜନ ପଟ୍ଟନାୟକଙ୍କ ସହ ରହିଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ବୁଲି ଏବେ ଦଳର ପ୍ରଚାର କାର୍ଯ୍ୟରେ କେବଳ ଲାଗିଛନ୍ତି ତାହା ନୁହେଁ ନିରଂଜନ କିପରି ମୁଖ୍ୟମନ୍ତ୍ରୀ ହେବେ ସେଥିପାଇଁ ମଧ୍ୟ ଉଦ୍ୟମ କରୁଥିବା କଥା କୁହାଯାଉଛି । କଥା କଥାକେ ପଟ୍ଟନାୟକ ମନୋଭାବ ପୋଷଣ କରକୁଥିବା ଶ୍ରୀକାନ୍ତ ଏବେ ସଂପୂର୍ଣ୍ଣ ବଦଳିଯାଇଥିବା ଦେଖାଯାଉଛି । ବର୍ତ୍ତମାନ କଂଗ୍ରେସର ଯେଉଁ ଜାଗରଣ ଯାତ୍ରା ଆରମ୍ଭ କରାଯାଇଛି ଏହି ଉପଲକ୍ଷେ ଯେଉଁ ଗାଡ଼ି ବା ରଥ ବୁଲୁଛି ସେଥିରେ ଶ୍ରୀକାନ୍ତ ମୁଖ୍ୟ ଭାବରେ ସବାର ହୋଇଛନ୍ତି । ନିରଂଜନ ସହ ଏକାଠି ବସି ପ୍ରଚାର ଚଳାଇଛନ୍ତି ।
କଂଗ୍ରେସ ଭିତରେ କଣ ବାହାରେ ରାଜନୀତିକ ମହଲରେ ଓସାଧାରଣରେ ସମସ୍ତେ ଜାଣନ୍ତି ଶ୍ରୀକାନ୍ତଙ୍କ ମନୋଭାବ । ଦୀର୍ଘଦିନ ହେଲା ସେ ଦଳିତ ଓ ପଛୁଆ ଶ୍ରେଣୀର ପ୍ରବର୍ତ୍ତକ ଭାବରେ ନିଜକୁ ପ୍ରତିପାଦିତ କରିବାରେ ଲାଗିଛନ୍ତି । ପ୍ରତି କଥାରେ ସେ ଏହି ଶ୍ରେଣୀର ଲୋକଙ୍କ ଉତ୍ଥାନ ପାଇଁ ଚିନ୍ତିତ ବୋଲି କୁହନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଜଣେ ଦଳିତ ହୋଇଥିବାରୁ ସେ ତାଙ୍କ ସହ ସବୁବେଳେ ରହୁଥିଲେ । ଜେନା ବ୍ରଦର୍ସ ଭାବରେ ରାଜ୍ୟ ରାଜନୀତିରେ ଜୟଦେବ ଓ ଶ୍ରୀକାନ୍ତ ବେଶ ପରିଚିତ । ଶ୍ରୀକାନ୍ତଙ୍କ ପଥରେ ଜୟଦେବ ପିସିସି ସଭାପତି ଥିଲା ବେଳେ ଓ ପରବର୍ତ୍ତୀ ସମୟରେ ବି ପରିଚାଳିତ ବୋଲି ଅନେକ ସମୟରେ ତାଙ୍କ ଦଳର ନେତାମାନେ କହିଥାନ୍ତି । ଏହାର ଦୁଇଟି କାରଣ ଥାଇପାରେ ପ୍ରଥମେ ଶ୍ରୀକାନ୍ତ ଜଣେ ଦଳିତ ଓ ପଛୁଆ ଶ୍ରେଣୀର ପ୍ରବର୍ତ୍ତକ ହୋଇଥିବାରୁ ସେଥିପାଇଁ ଜୟଦେବଙ୍କ ସହ ରହିଥାନ୍ତି । ଦ୍ୱିତୀୟ କଥା କୁହାଯାଉଛି ଶ୍ରୀକାନ୍ତ ଆରମ୍ଭରୁ ପଟ୍ଟନାୟକ ପରିବାରର ବିରୋଧୀ । ଜାନକୀବହ୍ଲାଭ ପଟ୍ଟନାୟକ ଥିବା ସମୟରେ ବି ସେ ତାଙ୍କର ବିରୋଧୀ ଥିଲେ । ସେ ସବୁବେଳେ ପଟ୍ଟନାୟକ ପରିବାର ବିରୋଧରେ କାର୍ଯ୍ୟ କରନ୍ତି ଏବଂ କଥାକଥାକେ ଖଣି ଦୁର୍ନୀତି ବିଷୟ ଉଠାଇ ଟାର୍ଗେଟ କରନ୍ତି । ଏପରି କି ନିରଂଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଶ୍ରୀକାନ୍ତ ଏକ ପ୍ରେସ୍ ଇସ୍ତାହାର ଜାରି କରି ବିବାଦ ଛିଡ଼ା କରିଥିଲେ । ଜଣେ ଦଳୀୟତ ଓ ପୁଛଆ ବର୍ଗର ଲୋକେ ସଭାପତି ହେବା ଦରକାର ଓ ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ମତ ଦେଇଥିଲେ । ଖଣି ଦୁର୍ନୀତି କଥା ମଧ୍ୟ ଉଠାଇଥିଲେ । ସେତେବେଳେ ଶ୍ରୀକାନ୍ତଙ୍କ ଏହି ପ୍ରେସ୍ ଇସ୍ତାହାରକୁ ଦଳ ଭିତରେ ବହୁ ହୋ ହଲ୍ଲା ହୋଇଥିଲା । ଅନ୍ୟପଟରେ ଜୟଦେବ ମଧ୍ୟ ନିରଂଜନଙ୍କ ବିରୋଧୀ । କେନ୍ଦୁଝର ଜିଲ୍ଲା ରାଜନୀତିକୁ ନେଇ ଦୁହିଙ୍କ ଭିତରେ ରାଜନୀତିକ ଶତ୍ରୁତା ବହୁ ତିକ୍ତ । କିନ୍ତୁ ଏବେ ହଠାତ୍ ଶ୍ରୀକାନ୍ତଙ୍କୁ ଜୟଦେବ କ୍ୟାମ୍ପ ବଦଳରେ ନିରଂଜନଙ୍କ କ୍ୟାମ୍ପରେ ହାଜର ହେବା ଦେଖିବା ପରେ କଂଗ୍ରେସ ରାଜନୀତିରେ ପରିବର୍ତ୍ତନ ଘଟିଥିବା କଥା କୁହାଯାଉଛି ।
ଏକ୍ଷେତ୍ରରେ ସମସ୍ତେ ନିରଂଜନଙ୍କୁ ବାହାବାହା ଦେଉଛନ୍ତି । କାରଣ ଶ୍ରୀକାନ୍ତଙ୍କୁ ସେ ନିଜ ପକ୍ଷକୁ ନେବାରେ ସଫଳ ହୋଇଛନ୍ତି । ଶ୍ରୀକାନ୍ତଙ୍କୁ ମନାଇ ସାଙ୍ଗରେ ବସ୍ରେ ବସାଇ ନିରଂଜନ ଅଭିଯାନ ଆରମ୍ଭ କରିଛନ୍ତି । କଂଗ୍ରେସର ଏହି ଜାଗରଣ ଯାତ୍ରା ଅଭିଯାନ ଶ୍ରୀକାନ୍ତଙ୍କ ପୂର୍ବ ଲୋକସଭା ନିର୍ବାଚନମଣ୍ଡଳୀ ବାଲେଶ୍ୱରରୁ ଆରମ୍ଭ କରାଯାଇଛି । ୩ ଦିନ କାଳ ଯେଉଁ କାର୍ଯ୍ୟକ୍ରମ ଏବେ ଆରମ୍ଭ କରାଗଲା ସେଥିରେ ଶ୍ରୀକାନ୍ତ ସାଥୀରେ ରହିଲେ । ସବୁ କାର୍ଯ୍ୟକ୍ରମରେ ନିରଂଜନଙ୍କ ସହ ଭାଗ ନେଲେ । ଯେଉଁଠାରେ ସଭାସମିତି ହେଲା ସେଠାରେ ନିରଂଜନଙ୍କ ନେତୃତ୍ୱକୁ ଉପସ୍ଥାପନ କରିବାରେ ଶ୍ରୀକାନ୍ତ ପଛଘୁଞ୍ଚା ଦେଲେନି । ଏପରି କି ଆଗାମୀ ଦିନରେ କଂଗ୍ରେସ କ୍ଷମତାକୁ ଯଦି ଆସେ ତେବେ ନିରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଏ କଥା କୁଆଡ଼େ ଶ୍ରୀକାନ୍ତ ବିଭିନ୍ନ ସଭାରେ କହିଥିବା କୁହାଯାଉଛି । ଶ୍ରୀକାନ୍ତଙ୍କ ଭଳି ଜଣେ କଟୋର ବିରୋଧୀଙ୍କୁ କିଭଳି ଭାବରେ ନିରଂଜନ ମନାଇ ପାରିଲେ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । କେବଳ ମନାଇ ନାହାଁନ୍ତି ବସ୍ରେ ସାଙ୍ଗରେ ବସାଇ ନେଇଛନ୍ତି । ଏଥିସହ ଶ୍ରୀକାନ୍ତଙ୍କ ମୁହଁରେ ନିଜର ପ୍ରଶଂସା ମଧ୍ୟ ଲୋକଙ୍କ ଆଗରେ କରାଇ ପାରିଛନ୍ତି । ଯେଉଁ ଶ୍ରୀକାନ୍ତ ମୁଖ୍ୟମନ୍ତ୍ରୀ ଜଣେ ଦଳିତ ଓ ପଛୁଆ ଶ୍ରେଣୀର ହେବା ଉଚିତ ବୋଲି ଭାଷଣ ଦିଅନ୍ତି ଓ କଥାରେ କଥାରେ କୁହଁନ୍ତି ସେହି ଶ୍ରୀକାନ୍ତଙ୍କ ମୁହଁରେ ଭାବି ମୁଖ୍ୟମନ୍ତ୍ରୀ ପାଇଁ ନିରଂଜନ ନିଜର ନାମ କୁହାଇବା ବହୁ ବଡ଼ କଥା ବୋଲି ଆଲୋଚନା ହେଉଛି । କିଭଳି ଭାବରେ ଜଣେ ଦଳିତ ଓ ପଛୁଆ ଶ୍ରେଣୀ ପ୍ରବକ୍ତା ଜଣେ ଉଚ୍ଚ ଜାତିର ବ୍ୟକ୍ତିଙ୍କ ନାମ ପ୍ରସ୍ତାବ କଲେ ତାହା ମଧ୍ୟ ଆଶ୍ଚର୍ଯ୍ୟ କରୁଛି ।
କୁଆଯାଉଛି ସମସ୍ତ ପ୍ରତିରୋଧ ଓ ବିରୋଧାଭାବ ସତ୍ତେ୍ୱ ଶ୍ରୀକାନ୍ତଙ୍କ ପାଖରେ ବାରମ୍ବାର ନିରଂଜନ ପହଂଚୁଥିଲେ । ଶ୍ରୀକାଙ୍କ ଘରକୁ ଯାଇ ବସୁଥିଲେ । ଏଭଳି କିଛି ଗୋଟି ଚାଳନା ନିରଂଜନ କରିଛନ୍ତି ଯେଉଁଥିରେ ଶ୍ରୀକାନ୍ତ ତାଙ୍କର ସବୁ ବିଦ୍ୱେଷ ଭାବକୁ ଭୁଲି ନିରଂଜନଙ୍କ ସହ ସାମିଲ ହୋଇଛନ୍ତି । ନିରଂଜନଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଲାଗିବା ଘଟଣା ଏବେ ଦଳ ଭିତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ।