ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୫ଜଣଙ୍କୁ ପ୍ରାଣନାଥ ସମ୍ମାନ

ଭୁବନେଶ୍ୱର:ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ ଏକାଧାରରେ ବହୁ ପ୍ରତିଭାର ଅଧିକାରୀ ଥିଲେ। ଜଣେ ସ୍ବାଧୀନତା ସଂଗ୍ରାମୀ, ଜନନେତା, ଶିକ୍ଷାବିତ୍‌, ସାମ୍ୟବାଦର ପୁରୋଧା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ। ତାଙ୍କୁ ଓଡ଼ିଶାର ଦ୍ୱିତୀୟ ସୁଭାଷ ଚନ୍ଦ୍ର ବୋଷ ବୋଲି କୁହାଯାଇ ପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି।
ଶୁକ୍ରବାର ପ୍ରାଣନାଥ ପଟ୍ଟନାୟକ ସ୍ମୃତି ସମିତି ପକ୍ଷରୁ ସୂଚନା ଭବନଠାରେ ପ୍ରାଣନାଥଙ୍କ ୪୮ତମ ସ୍ମୃତିସଭା ଏବଂ ପ୍ରାଣନାଥ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।  ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ୍‌ ପ୍ରାଣନାଥଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ରାଜ୍ୟର ଶିକ୍ଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ବିପୁଳ ଅବଦାନ ରହିଛି। ତାଙ୍କର ତ୍ୟାଗ ଓ ସାଧନା ଯୁବପିଢି ପାଇଁ ଅନୁସରଣୀୟ ହୋଇ ରହିବ ବୋଲି ରାଜ୍ୟପାଳ ମତ ଦେଇଥଲେ। ସମ୍ମାନିତ ଅତିଥି ଭାବେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ ପ୍ରାଣନାଥଙ୍କୁ ଜଣେ ବିପ୍ଳବୀ କୃଷକ ନେତା ଓ ସାମ୍ୟବାଦୀ ଭାବେ ବର୍ଣ୍ଣନା କରିଥିଲେ। ଖୋର୍ଦ୍ଧା ଜିଲାରେ ଶିକ୍ଷାର ବିକାଶରେ ସେ ହିଁ ଜଡିତ ଥିଲେ। ଆଦର୍ଶବାଦୀ, ସରଳ, ନିରାଡମ୍ବର ଜୀବନଯାପନ କରୁଥିବା ପ୍ରାଣନାଥ ସର୍ବଦା ଲୋକଙ୍କ ସହ ଜଡିତ ଥିଲେ ବୋଲି ମନ୍ତ୍ରୀ କହିଥିଲେ।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ହୃଦ୍‌ରୋଗ ବିଶେଷଜ୍ଞ ଡା. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ଶ୍ରମିକ ସଙ୍ଗଠକ ସୁବାସ ସିଂହ, ନାଟ୍ୟ ନିର୍ଦ୍ଦେଶକ ଗୋପାଳ ଦେ, ଅଭିନେତ୍ରୀ ବନଜା ମହାନ୍ତି ଏବଂ ଚିତ୍ରଶିଳ୍ପୀ ମାନସ ରଞ୍ଜନ ଜେନାଙ୍କୁ ‘ପ୍ରାଣନାଥ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।  ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ, ଏମ୍‌ପି ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ପ୍ରାଣନାଥଙ୍କ ସଂଘର୍ଷମୟ ତଥା ତ୍ୟାଗପୂର୍ଣ୍ଣ ଜୀବନ ସମ୍ପର୍କରେ କହିଥିଲେ। ଏହି ଅବସରରେ ଶିଶୁ କଳାକାର ମାଷ୍ଟର ରାକେଶ ବିଶ୍ୱାଳ ଭାଓଲିନ୍‌ରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରି ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ  ହୋଇଥିଲେ। ପ୍ରାରମ୍ଭରେ ସ୍ମୃତି ସମିତି ସଭାପତି ତଥା ଶିକ୍ଷାବିତ୍‌ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ତଥା ସିନେ ସମୀକ୍ଷକ ଦିଲୀପ ହାଲି ବିବରଣୀ ପାଠ  ଓ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ।