କେରଳର ବନ୍ୟାବିପର୍ଯ୍ୟୟ ପ୍ରକୃତିର କରାଳ ରୂପ:କେନ୍ଦ୍ର ସରକାର

ନୂଆଦିଲ୍ଲୀ,(ହଲଚଲ୍ ନ୍ୟୁଜ୍) କେରଳର ବନ୍ୟାବିପର୍ଯ୍ୟୟ ପ୍ରକୃତିର କରାଳ ରୂପବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ବନ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି କେରଳକୁ ସମସ୍ତ ସାହାଯ୍ୟ ସହଯୋଗ ଦିଆଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ୧୦ ଦିନ ଧରି ଅସ୍ୱାଭାବିକଭାବେ ପ୍ରବଳ ବନ୍ୟା ହେବାରୁ ୨୩୯ ଲୋକଙ୍କ ମୃତୁ୍ୟ ହେବା ସହ ୭ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ବିପନ୍ନ ହୋଇଛନ୍ତି । ସେମାନଙ୍କୁ ୫,୬୪୫ ରିଲିଫ୍ କ୍ୟାମ୍ପ୍ରେ ରଖାଯିବା ସହ ୧୨ରୁ ଅଧିକ ହେଲିକପ୍ଟରରେ ଖାଦ୍ୟ ଓ ଔଷଧ ଆଦି ପକାଯାଉଛି । ବନ୍ୟାର କ୍ଷୟକ୍ଷତି ୧୯,୨୦୦ କୋଟି ହେବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ପ୍ରାରମ୍ଭିକ ଆକଳନ କରିଛନ୍ତି । ଅପରପକ୍ଷରେ କରଳରେ ଫସିଥିବା ଓଡିଆ ବିପନ୍ନମାନଙ୍କ ଉଦ୍ଧାର କରିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ଲାଗି ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି । ଏଥିନିମନ୍ତେ ଗୋଚିଭାଲି-ଭୁବନେଶ୍ୱରରେ ୨ଟି ଓ ତ୍ରିଭେନ୍ଦ୍ରମ୍-ଗୌହାଟି ଟ୍ରେନ୍ରେ ଗୋଟିଏ ସ୍ୱତନ୍ତ୍ର କୋଚ୍ର ବ୍ୟବସ୍ଥା କରାଯାଇଛି । ଶ୍ରମ କମିଶନରଙ୍କ ନେତୃତ୍ୱରେ ପିକେ ମହାପାତ୍ର, ସହକାରୀ ଶ୍ରମ କମିଶନର ସହାୟତା ପାଇଁ ତ୍ରିଭେନ୍ଦ୍ରମ୍ ଦାୟିତ୍ୱରେ ଥିବାବେଳେ ଡ. ବିବି ଆଚାର୍ଯ୍ୟଙ୍କୁ ମାଇଗ୍ରେସନ୍ କନ୍ସଲ୍ଟଟାଣ୍ଟ ଏର୍ଣ୍ଣାକୁଲମ୍ ଦାୟିତ୍ୱରେ ଅଛନ୍ତି । କେରଳ ଓଡିଶା ସମାଜ କର୍ମକର୍ତ୍ତା ପ୍ରମୁଖ ସହାୟତା କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଅପରପକ୍ଷରେ ସରସ ମେଳାରେ ଭାଗ ନେବାକୁ ଯାଇଥିବା ଓଡିଶାର ୧୧ ସ୍ୱୟଂ ସହାୟକ ଗୋଷ୍ଠୀର ୨୧ ସଦସ୍ୟ ସୁରକ୍ଷିତ ଓ ନିରାପଦରେ ଅଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି ।
ଏସ୍ଆର୍ସି ଶ୍ରୀ ସେଠୀ କହିଛନ୍ତି ଯେ ବନ୍ୟା ଯୋଗୁଁ କେରଳ ବିଭିନ୍ନ ସ୍ଥାନରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ଓଡିଶା ଲୋକଙ୍କ ଅବସ୍ଥିତି ସମ୍ପର୍କରେ ଟିକିନିଖି ଖବର ସଂଗ୍ରହ କରାଯାଉଛି । ମିଳିଥିବା ସୂଚନା ଆଧାରରେ କେରଳ ସରକାରଙ୍କ ସହ ଯୋଗାଯୋଗ କରାଯାଇ ବିପନ୍ନମାନଙ୍କ ଉଦ୍ଧାର ଲାଗି ସେଠାରେ ଥିବା ବରିଷ୍ଠ ଅଧିକାରୀମାନେ ତଦାରଖ କରୁଛନ୍ତି । ବିଭାଗ ପକ୍ଷରୁ ଟୋଲ୍ ଫି ନମ୍ବର ଜାରି କରାଯିବା ସହ ସମ୍ପର୍କୀୟଙ୍କ ସୂଚନା ଆଧାରରେ ତାଲିକା ପ୍ରସ୍ତୁତ କରାଯାଉଛି । ଯେଉଁ ଓଡିଆମାନେ ଓଡିଶା ଫେରିବାକୁ ଚାହୁଁଛନ୍ତି, ସେମାନଙ୍କ ଲାଗି ପଦକ୍ଷେପ ମଧ୍ୟ ନିଆଯାଇଛି । ସ୍ୱତନ୍ତ୍ର ଟ୍ରେନ୍ରେ ସେମାନେ ବିନା ମୂଲ୍ୟରେ ଓଡିଶା ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି ।
ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ ସରସ ମେଳାରେ ଅଂଶଗ୍ରହଣ କରିବାକୁ ଯାଇଥିବା ୨୧ ଜଣ ସଦସ୍ୟଙ୍କ ମଧ୍ୟରେ ୫ ମହିଳା, ୧୬ ପୁରୁଷ ଅଛନ୍ତି । ସଦସ୍ୟମାନଙ୍କୁ ଉଦ୍ଧାର କରାଯାଇ ତ୍ରିଭେନ୍ଦ୍ରମ୍ର ଏକ ସ୍କୁଲ୍ ଘରେ ନିରାପଦରେ ରଖାଯାଇଛି । ସେମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଓରମାସ୍ ଆନୁକୂଲ୍ୟରେ ଏହି ସଦସ୍ୟମାନେ ମେଳାରେ ଅଂଶଗ୍ରହଣ କରିବାକୁ ଯାଇଥିଲେ । ଓରମାସ୍ କାର୍ଯ୍ୟନିର୍ବାହୀ ଅଧିକାରୀ ବିଏନ୍ ଦାସ କେରଳର ସମ୍ପୃକ୍ତ ଅଧିକାରୀମାନଙ୍କ ସହ ସମ୍ପୂର୍ଣ୍ଣ ଯୋଗାଯୋଗରେ ଅଛନ୍ତି । ସୁରକ୍ଷିତଭାବେ ଓଡିଶା ଫେରାଇ ଆଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟବସାୟ ବୀମାଭୁକ୍ତ ହୋଇଥିବାରୁ କ୍ଷୟକ୍ଷତିକୁ ବୀମା କମ୍ପାନୀ ଭରଣା କରିବ । ଆସନ୍ତା ବୁଧବାର ଏକ ସ୍ୱତନ୍ତ୍ର ଟ୍ରେନ୍ରେ ସେମାନେ ଓଡିଶା ଫେରିବେ ବୋଲି ସୂଚନା ଦିଆଯାଇଛି ।
କେରଳର ପ୍ରଳୟଙ୍କରୀ ବନ୍ୟାରେ ଦୁର୍ଗତମାନଙ୍କୁ ସହାୟତା କରିବା ପାଇଁ ଓଡିଶାରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା ସଂଘର ସମସ୍ତ ସଦସ୍ୟ ସେମାନଙ୍କ ଦିନକର ଦରମା ସହାୟତା ପ୍ରଦାନ କରିବା ଲାଗି ଘୋଷଣା କରିଛନ୍ତି । ଏନେଇ ସଂଘ ପକ୍ଷରୁ ଏକ ସଙ୍କଳ୍ପ ପାରିତ କରାଯାଇଛି । ସର୍ବସମ୍ମତିକ୍ରମେ ପାରିତ କରାଯାଇଥିବା ଏହି ସଙ୍କଳ୍ପ ଅନୁଯାୟୀ, ଓଡିଶାରେ କାର୍ଯ୍ୟରତ ସମସ୍ତ ଆଇଏଏସ୍ ଅଧିକାରୀ ସର୍ବନିମ୍ନ ଗୋଟିଏ ଦିନର ଦରମା କେରଳର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବେ । ସଂଘର ସମ୍ପାଦକ ବିଶାଳ ଦେବ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *