ମାଟି କଣ୍ଢେଇ****କୁଞ୍ଜବିହାରୀ ରାଉତ****

ମାଟି କଣ୍ଢେଇ****କୁଞ୍ଜବିହାରୀ ରାଉତ****

କଣ୍ଢେଇ ଦୋକାନର ମାଲିକ ରାମଲାଲ ବାବୁ ତାଙ୍କ ସ୍କୁଟରକୁ ଦୋକାନ ଆଗରେ ଷ୍ଟାଣ୍ଡକରି ପଶି ଆସିଲେ
ଦୋକାନ ଭିତରକୁ। ଦେଖିଲେ, ସେଲ୍ସବୟ ତରୁଣ ସକାଳୁ ସକାଳୁ ମନ ଖୁସିରେ ଦୋକାନ ଖୋଲି ଝାଡୁ ମାରିବା ସହିତ ଗୁଣୁ ଗୁଣୁ ଗୀତ ଗାଉଥାଏ। ତରୁଣକୁ କହିଲେ, “ଅରେ ତରୁଣ… ଝାଡୁ ମାରିଲା ପରେ ଟିକେ ଠାକୁରଙ୍କୁ ପୂଜା ବି କରିଦେବୁ। ଆଜି ମୋର ଗାଁ’ର ଜଣେ ସମ୍ପର୍କୀୟର ମୃତ୍ୟୁ ଖବର ଆସିଲା ତ, ତେଣୁ ମୁଁ ପୂଜା କାର୍ଯ୍ୟ କରି ପାରିବି ନାହିଁ।” ତରୁଣ ଝାଡୁମରା, ପୂଜାର୍ଚ୍ଚନା ସବୁ କାମ ତୁଟାଇ ଚେୟାର ଉପରେ ବସି ସକାଳର ଖବରକାଗଜ ଉପରେ ନଜର ପକାଉ ପକାଉ ମାଲିକ ଉଦ୍ଦେଶ୍ୟରେ କହିଲା, “ବୁଝିଲେ ବଡବାବୁ, ଚାଇନାର ଚେପାମୁହାଁ ସୈନ୍ୟମାନେ ଆମ ଦେଶର କୋଡିଏ ଯବାନଙ୍କୁ ସହିଦ କରି ଦେଇଛନ୍ତି। ଅବଶ୍ୟ ଆମ ସିପାହିମାନେ ବି ଡବଲ ଚେପାମୁହାଁଙ୍କୁ ମାରି ଗଡେଇଛନ୍ତି। ହେଲେ ମିଛଟାରେ ଏ ଚେପାମୁହାଁ ଗୁଡାକ ଖାଲି ଆମ ଦେଶସହ ଗଣ୍ଡଗୋଳ କାହିଁକି କରୁଛନ୍ତି କେଜାଣି..?” ରାମଲାଲ ବାବୁ କହିଲେ, “ମୁଁ ସେ କଥା ଜାଣିଛି, ମୁଁ ଯେଉଁ ଆମ ଗାଁ’ର ସମ୍ପର୍କୀୟ ମରିବା କଥା କହୁଥିଲି, ସେ ପରା ସେହି ଲଦାଖ ବର୍ଡ଼ରରେ ସହୀଦ ହୋଇଛି। ହଉ ସେ କଥା ଛାଡ, ଲାକଡାଉନ ପରେ ବେପାର ବଣିଜ କିଛି ଭଲ ଚାଲୁନାହିଁ। ତେଣୁ ଭାବୁଛି ତୋତେ ମୁଁ ଆଉ ରଖି ପାରିବି ନାହିଁ। ଏଥର ତୁ ତୋର ନିଜ ଧନ୍ଦା ଦେଖ। ତରୁଣ କହିଲା “ହଁ ବଡବାବୁ, ମୁଁ ବି ଚେଷ୍ଟା କରୁଛି, ଗାଁ’ରେ ଥିବା ସାନ ଭାଇକୁ ଆଣି ଆମର ଏହି ମାର୍କେଟର ସାଇଟରେ ଗୋଟେ ନୂଆ ଗୁମୁଟିରେ ବସାଇ ଦେଇଛି। ଧନ୍ଦା ଟିକେ ଧରିଲେ ମୁଁ ଆପଣା ଛାଏଁ ପଳେଇ ଯିବିନି କି? ମୋର କଣ ଅପଣଙ୍କ ଭଳି ବିଦେଶ ମାଲ ଅଛି ଯେ ଗ୍ରାହକ ଫଟାଫଟ ଆସିଯିବେ। ଆଜିକାଲି ଦେଶୀ ମାଲକୁ କିଏ ପଚାରୁଛି ଯେ…! ସାନ ଭାଇଟା ଏକଲା ସେ ଦୋକାନକୁ ଯଥେଷ୍ଟ। ସେଠି ମୁଁ ଯାଇ ଅଧିକା ଗହଳି କାହିଁକି କରିବି ଭାବି ଯାଉନି। ଆପଣ ମୋତେ ପଇସା ଦିଅନ୍ତୁ କି ନ ଦିଅନ୍ତୁ, ମୁଁ ଏଠି ଆଉ କିଛି ଦିନ ପଡି ରହିଥିବି। ରାମଲାଲ ବାବୁ କହିଲେ, ହଉ ବେଶି ବକ ବକ କରନା। ଦେଖ ସେ ବାବୁ ଜଣକ ତାଙ୍କ ଝିଅକୁ ଧରି ବୋଧହୁଏ ଆମ ଦୋକାନକୁ ଆସୁଛନ୍ତି। ବଇନି ସମୟଟା ଟିକେ ଦେଖିକି କାରବାର କରିବୁ…।

ସେ ଭଦ୍ରବ୍ୟକ୍ତିଟି ସାଙ୍ଗରେ ଝିଅକୁ ଧରି ରାମଲାଲଙ୍କ କଣ୍ଢେଇ ଦୋକାନରେ ପଶିଲେ। ଦୋକାନର ସବୁ କୋଣକୁ ଟିକେ ନଜର ମାରି କହିଲେ, “ଭାଇ, ମୁଁ ବଜାରକୁ ସଉଦା କରିବାକୁ ଆସିଥିଲି। ଏ ମୋ ଝିଅ… ଆରଧ୍ୟା, ଏ ବଜାରରେ ଜଣେ ଝିଅ ହାତରେ ଏକ ସୁନ୍ଦର କଣ୍ଢେଇ ଦେଖି ଖୁଵ ଆନନ୍ଦିତ ହୋଇଗଲା ଆଉ ସେ ଜିଦ କରିଲା କି ତାକୁ ମଧ୍ୟ ଏଭଳି ଏକ କଣ୍ଢେଇ ଦରକାର। ସେ ଝିଅଟିର ମା’କୁ ପଚାରି ବୁଝି ଆପଣ ଦୋକାନକୁ ଆସିଲି।” ରାମଲାଲ ବାବୁ ଦେଖିଲେ ଝିଅଟି ଭାରି ଖୁସିରେ ନାଚି ଉଠୁଛି। ଭଦ୍ରଲୋକ ଦୋକାନୀ ରାମଲାଲଙ୍କୁ କହିଲେ, “ମୋ ଝିଅକୁ କିଛି ଭଲ କଣ୍ଢେଇ ଦେଖିଇଲ।” ରାମଲାଲ ବାବୁ ଖୁଵ ଆନନ୍ଦର ସହ ଗୋଟେ ଗୋଟେ କରି ଭିନ୍ନ ଭିନ୍ନ କିସମର କଣ୍ଢେଇ ଦେଖେଇବାରେ ଲାଗିଥାନ୍ତି। ଆରଧ୍ୟାକୁ ତ ସବୁ କଣ୍ଢେଇ ପସନ୍ଦ ଆସୁଥିଲା କିନ୍ତୁ ସେ ବାପାକୁ କହିଲା, “ବାବା ତୁମେ କୁହ ମୁଁ କେଉଁଟା ନେବି..?” ଭଦ୍ରବ୍ୟକ୍ତିଟି ସ୍ନେହରେ ଝିଅର କେଶରେ ଆଙ୍ଗୁଠି ସାଉଁଳେଇ କହିଲେ, “ନା…. ମା…. ତୋତେ ଯେଉଁଟା ଭଲ ଲାଗୁଛି ତୁ ତାକୁ ନେଇ ଚାଲ। ମୋର କଣ ଦେଖିବାର ଅଛି। ତୁ ତ କଣ୍ଢେଇ ସହିତ ଖେଳିବୁ ନା…।” ଏଥିରେ ଝିଅଟି ପୁଣି ଅଝଟ କଲା, “ନାହିଁ ବାବା ତୁମେ ଏହି ଭିତରୁ ଗୋଟେ ମୋ ପାଇଁ ବାଛି ଦିଅ।”

ବାପା ଝିଅର ଏଭଳି ଟଣା ଓଟରାକୁ ଦେଖି ଯଦିବା ରାମଲାଲଙ୍କୁ ଖୁସି ଲାଗୁଥାଏ କିନ୍ତୁ କାଳେ ଡେରି ହେଲେ ସେମାନେ ଅନ୍ୟ ଦୋକାନକୁ ପଳେଇ ଯିବା ଭୟରେ ସେ ଭଦ୍ରଲୋକଙ୍କୁ ଅନୁରୋଧ କଲା, “ସାର ଝିଅ ଯଦି ଏତେ ଅଝଟ କରୁଛି ତାହାହେଲେ ଆପଣଙ୍କୁ ନିହାତି କିଛି ବାଛିବାକୁ ପଡିବ।” ବାଧ୍ୟ ହୋଇ ସେ ବାବୁ ଗୋଟେ ଗୋଟେ କଣ୍ଢେଇ ଉଠାଇ ଆଗପଛ ଉପରତଳ କରି ଦେଖୁଥିଲେ ଆଉ ତାକୁ ଦୋକାନୀକୁ ଫେରେଇ ଦେଉଥିଲେ। ଝିଅ ଯେତେସବୁ କଣ୍ଢେଇ ପସନ୍ଦ କରିଥିଲା ସବୁ ଗୁଡାକ ଗୋଟି ଗୋଟି ପରଖି ଫେରେଇ ଦେବାରୁ ରାମଲାଲ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ…!! ଭାବିଲେ… ଆରେ ଏତେ ସୁନ୍ଦର ସୁନ୍ଦର କଣ୍ଢେଇ ସବୁ କାହିଁକି ବାବୁଙ୍କର ପସନ୍ଦ ଆସୁନାହିଁ…? ସେ ତାଙ୍କୁ ପଚାରିଲା, “ସାର କଣ କଣ୍ଢେଇର ଦାମ ଦେଖିକି ପସନ୍ଦ ଲାଗୁନାହିଁ କି…?” ଏ କଥାରେ ସେ ବାବୁ ଟିକେ ଅସଙ୍ଗତ ହୋଇ କହିଲେ, “ନା… ନା… ସେ କଥା ନୁହେଁ। ଆଛା ଗୋଟେ କାମ କଲ ସେ ସୋ-କେସ ଭିତରେ ଥିବା କଣ୍ଢେଇ ଭିତରୁ ଦୁଇ ତିନୋଟି ଆଣିଲ ଦେଖିବା।” ରାମଲାଲ ବାବୁ ତରୁଣକୁ ଇସାରା କରବା ମାତ୍ରକେ ସେ ସଙ୍ଗେ ସଙ୍ଗେ ସୋ-କେସ ଭିତରୁ ଭିନ୍ନ ଗଢ଼ଣର ଚାରି ପାଞ୍ଚଟି କଣ୍ଢେଇ ଆଣି ଦେଖେଇଲା। ବାବୁ ସେ କଣ୍ଢେଇ ଗୁଡିକ ଭଲ ଭାବରେ ଦେଖି ମୁହଁକୁ ଶୁଖେଇ ପୁଣି ଫେରେଇ ଦେଲେ। ଏଥର ରାମଲାଲ ବାବୁଙ୍କ ଆଶଙ୍କା ସତରେ ପରିଣତ ହେଲା। ସେ ଆଶଙ୍କାରେ ପଚାରିଲେ, “ସାର କଣ ଦରଦାମ ଦେଖି ଅପଣଙ୍କ ମନ ଉଣା ହେଉଛି କି…? ଆପଣ ଖାଲି ଚଏସ କରନ୍ତୁ, ଦାମ ପାଇଁ କିଛି ଚିନ୍ତା କରନ୍ତୁ ନାହିଁ। ମୁଁ ଅଛି ନା… ଡିସକାଉଣ୍ଟ ଦେଇ କମ କରିଦେବି।

ଭଦ୍ରଲୋକ ଦୋକାନୀଟିର ଏହି କଥାରେ ସାମାନ୍ୟ ବିରକ୍ତି ପ୍ରକାଶ କରି କହିଲେ, “ଅରେ ବାବୁ…. ସେକଥା କଥା ନୁହେଁ। ଦାମରେ ମୋର କୌଣସି ଫରକ ପଡେ ନାହିଁ। ମୋ ଝିଅର ଖୁସି ଆଗରେ ଟିକେ ଅଧିକା ପଇସା ଦେବାରେ ମୋର କିଛି ବିରୋଧ ନାହିଁ। ବରଂ ତା ଖୁସି ପାଇଁ ଆଉ ଦୁଇ ତିନିଟା ଭିନ୍ନ ଭିନ୍ନ ଡ଼ିଜାଇନର ନେବାକୁ ମୋର ଇଚ୍ଛା। କିନ୍ତୁ…..!!

ରାମଲାଲ ବାବୁ ବଡ଼ ଉତ୍ସୁକତାର ସହ ଅନେଇକି ରହିଥାନ୍ତି, ତାଙ୍କ ଅନିଚ୍ଛୁକର ପ୍ରକୃତ କାରଣ କଣ ଜାଣିବା ପାଇଁ। କିଛି ସମୟ ପାଇଁ ଭଦ୍ରବ୍ୟକ୍ତିଟି ପୁଣି ଦୋକାନର ଅନ୍ୟ କୋଣକୁ ଚାହିଁ କିଛି ଖୋଜିବାକୁ ଚେଷ୍ଟା କରୁଥାନ୍ତି। ରାମଲାଲ ବାବୁ ଏଥର ବାଧ୍ୟ ହୋଇ ନିଜ ବେପାରକୁ ସାକାର ଦେବା ପାଇଁ ପଚାରିଲେ, “ସାର ଏହି ଦୁଇଟା କଣ୍ଢେଇ ପେକିଙ୍ଗ କରି ଦେଉଛି, ଦେଖନ୍ତୁ ଝିଅ କେମିତି ଏହାକୁ ଦେଖିକି ଖୁସି ହୋଇ ଯାଉଛି…।” ବାବୁ ଜଣକ ଦୋକାନୀ କଥାରେ ଝିଅ ଆରଧ୍ୟା ଆଡକୁ ଅନେଇ ଦେଖିଲେ ଝିଅ ଗୋଟେ କଣ୍ଢେଇକୁ ଧରି ଭାରି ଖୁସିରେ ବିଭୋର ହୋଇ ଯାଉଛି।

ଏତିକି ଭିତରେ ଦୋକାନିଟି ପେକିଙ୍ଗ କରିବା ପାଇଁ ତାର ଖୋଳକୁ ସଜେଇଲା ବେଳକୁ ସେ ବାବୁ ପାଟି କରି କହିଲେ, “ଭାଇ ତାକୁ ଜମାରୁ ପେକିଙ୍ଗ କରନ୍ତୁ ନାହିଁ।” ଏଥର ଦୋକାନୀଟି ଟିକେ ନରମଭରା କଣ୍ଠରେ କହିଲେ, “ସାର ମୁଁ ଜାଣିଛି ଆପଣ ଦାମ ପାଇଁ ମନ ଉଣା କରୁଛନ୍ତି। ହେଲେ ଚିନ୍ତା କରନ୍ତୁ ନାହିଁ, ମୁଁ ଦଶରୁ ବାର ପରସେଣ୍ଟ ଡିସକାଉଣ୍ଟ ଦେଇ ହିସାବ କରି ଦେଉଛି।” ଏଥର ଭଦ୍ରବ୍ୟକ୍ତିଟି ସିଧାସଳଖ କହିଲେ, “ମୋର ମେଡ ଇନ ଚାଇନା ଜିନିଷ ନେବାର ନାହିଁ। ଯଦି ଆମ ଇଣ୍ଡିଆର କିଛି ପ୍ରଡକ୍ଟ ଅଛି ବା ଅନ୍ୟ କମ୍ପାନୀର କଣ୍ଢେଇ ଅଛି ତାହାହେଲେ ଆମକୁ ଦିଅ, ନ ହେଲେ ଆମେ ଚାଲିଲୁ ଅନ୍ୟ ଦୋକାନକୁ…।” ଏହା କହି ସେ ତାଙ୍କ ଝିଅର ହାତ ଧରି କହିଲେ, “ଚାଲ….ମା… ଏଠିକାର କଣ୍ଢେଇ ସବୁ କିଛି ଭଲ ନାହିଁ, ଆମେ ଅନ୍ୟ କୋୖଣସି ଦୋକାନରେ ଦେଖିବା।”

ଆରଧ୍ୟା ଏମାନଙ୍କ କଥା ସେତେବେଳେ ଠାରୁ ଶୁଣୁଥାଏ। ସେ ଖୁଵ ନିରାଶ ମନରେ କେତେବେଳେ ବାବାଙ୍କ ଆଡକୁ ଦେଖୁଥାଏ ତ କେତେବେଳେ ଦୋକାନୀକୁ ଦେଖୁଥାଏ। ଯଦିବା ସେ ତାଙ୍କ କଥା କିଛି ବୁଝୁ ପାରୁ ନଥିଲା କିନ୍ତୁ ଏତିକି ଜାଣି ପାରୁଥାଏ ଯେ ବାବା ତାକୁ ଆଉ ଏଠି କଣ୍ଢେଇ କିଣେଇ ଦେବେ ନାହିଁ। ଶେଷରେ ସେ ମନ କଷ୍ଟରେ କଇଁ କଇଁ ହୋଇ କାନ୍ଦିବାରେ ଲାଗିଲା ଆଉ ଅଝଟ କରି କହିଲା, “ବାବା…. ଖାଲି ସେ ଗୋଟେ କଣ୍ଢେଇ ମୋତେ କିଣିକି ଦିଅ ବାବା।”

ଝିଅଟିକୁ ଏପରି ବିକଳ ହୋଇ କାନ୍ଦିବାର ଦେଖି ରାମଲାଲ ବାବୁ କହିଲେ, “ଦେଖନ୍ତୁ ସାର… ପିଲାଙ୍କ ଖୁସି ଠାରୁ କଣ ଜିନିଷ କେଉଁଠି ତିଆରି ହେବା ଅଧିକ ମହତ୍ୱପୂର୍ଣ୍ଣ….? ଦେଖୁ ନାହାଁନ୍ତି….. ଅପଣଙ୍କ ଝିଅ କେମିତି ବିକଳ ହୋଇ କାନ୍ଦୁଛି। କଣ ଅପଣଙ୍କ ତା ପ୍ରତି ଟିକେ ବି ଦୟା ନାହିଁ…?”

ଏହା ଶୁଣି ଭଦ୍ରବ୍ୟକ୍ତିଟି ଦୋକାନୀକୁ ବୁଝାଇ କହିଲେ, “ବୁଝିଲ ବାବୁ ମୋର ଝିଅ ହୁଏତ ପାଞ୍ଚ ମିନିଟ ନହେଲେ ବେଶିରୁ ବେଶି ଅଧଘଣ୍ଟାଏ କାନ୍ଦିବ। ତାପରେ ଧୀରେ ଧୀରେ ସେ ଚୁପ ହୋଇଯିବ। ତାର ଏପରି କାନ୍ଦକୁ ଅଧଘଣ୍ଟାଏ ପର୍ଯ୍ୟନ୍ତ ମୁଁ ସହି ପାରିବି କିନ୍ତୁ ସେହି ବୀର-ସୁପୁତ୍ର ସୈନିକ ମାନଙ୍କର ପିଲାମାନଙ୍କୁ ସବୁବେଳେ କାନ୍ଦିବାର ଦେଖି ପାରିବି ନାହିଁ। ମୋ ଝିଅ ପିଲାଲୋକ, ଏହି କଣ୍ଢେଇ ତା ହାତରେ ଥିବା ପର୍ଯ୍ୟନ୍ତ ସେ ଖୁଵ ଖୁସି ହେଉଥିବ। କିନ୍ତୁ ତା ହାତରେ ଏହି ଚାଇନା ତିଆରି କଣ୍ଢେଇ ଦେଖିଲେ ସେହି ପିତୃହରା ପିଲାମାନଙ୍କ କାନ୍ଦ ମନ ଭିତରେ ମୁଁ ସବୁବେଳେ ଅନୁଭବ କରୁଥିବି। ସେହି କୋମଳ ମତି ପିଲାମାନଙ୍କ ପିତାମାନେ ଆଜି ଆମ ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଛନ୍ତି ତାଙ୍କ ଆଗରେ ମୋ ଝିଅର କାନ୍ଦ କିଛି ନୁହେଁ। ତେଣୁ ଚୀନ ଲୋକଙ୍କ ରକ୍ତବୋଳା ହାତର ତିଆରି କଣ୍ଢେଇକୁ ମୁଁ କେବେ ବି ନେଇ ପାରିବି ନାହିଁ।”

ଏଥର ରାମଲାଲ ବାବୁ ତାଙ୍କୁ ବିରକ୍ତ ମିଶା କଣ୍ଠରେ କହିଲେ, “କି ଅଦ୍ଭୁତ ଲୋକ ଆପଣ…? ଝିଅର କାନ୍ଦକୁ କେମିତି ହଜମ କରି ପାରୁଛନ୍ତି…? ଅପଣଙ୍କ ଝିଅ କଣ ବୁଝିବ ଯେ ସେ ଚାଇନା ତିଆରି କଣ୍ଢେଇ ନେଉଛି…?” ଏଥର ଭଦ୍ରବ୍ୟକ୍ତି ଖୁଵ କ୍ଷୁବ୍ଧ ହୋଇ କହିଲେ, “ବୁଝିଲ ଭାଇ, ମୋ ନାମ ଡି. ମୋହନବାବୁ, ମୁଁ ଜଣେ ମିଲିଟାରୀର ରିଟାୟର୍ଡ ଜୁନିୟର ଅଫିସର। ଏହି ପାଖ କାରଖାନାର ସିକୁରିଟି ଅଫିସର। ବିବାହର ପନ୍ଦର ବର୍ଷ ପରେ ଏ ଝିଅଟି ଜନ୍ମ ହୋଇଛି, ଆଜି ତାକୁ ସାତ ବର୍ଷ। ଆପଣ ଜାଣନ୍ତି ନାହିଁ, ମୁଁ ତାକୁ କେତେ ଭଲପାଏ କିନ୍ତୁ ତାଠାରୁ ବେଶି ଭଲପାଏ ମୋର ସହୀଦ ହୋଇଥିବା ଯବାନଙ୍କ ସନ୍ତାନ ମାନଙ୍କୁ। ଆଜି ମୋ ଝିଅର ଖୁସି ପାଇଁ ତାକୁ ଠକି ଚୀନ ତିଆରି ଜିନିଷ ନେଇଯିବି କିନ୍ତୁ ସେହି କୋମଳମତି ବାପ ଛେଉଣ୍ଡ ପିଲାମାନଙ୍କୁ କିପରି ଠକି ପାରିବି।” ଏହା କହୁକହୁ ମୋହନ ବାବୁଙ୍କ ଆଖି ଛଳ ଛଳ ହୋଇ ଯାଉଥାଏ। ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଥାଏ।

ଆଉ କିଛି ନକହି ମୋହନ ବାବୁ ଝିଅର ହାତଧରି ଦୋକାନ ବାହାରକୁ ବାହାରିଲା ବେଳେ ତରୁଣ ସଙ୍ଗେ ସଙ୍ଗେ କହିଲା, “ସାର ମୋ ସହିତ ଆସନ୍ତୁ। ମୁଁ ଆପଣଙ୍କୁ ଆମ ଦେଶର କଣ୍ଢେଇ ଦେବି।” ତରୁଣ ମୋହନ ବାବୁଙ୍କୁ ତା ଦୋକାନ ଆଡକୁ ବାଟ କଡେଇ ନେଇଗଲା। ତରୁଣ ପଛେ ପଛେ ଯନ୍ତ୍ରଚାଳିତ ପରି ଚାଲିଲେ ମୋହନ ବାବୁ ତାଙ୍କ ଦୋକାନକୁ। ତରୁଣ ତା ଦୋକାନକୁ ନେଇ ସବୁ ପ୍ରକାର କଣ୍ଢେଇ ଦେଖେଇ କହିଲା, “ସାର…. ସେ ଦୋକାନ ଭଳି ହାର୍ଡ ପ୍ଲାଷ୍ଟିକର କଣ୍ଢେଇ ମୋ ପାଖରେ ନାହିଁ କିନ୍ତୁ ଆମ ଦେଶର ମାଟିରେ ତିଆରି ଖୁଵ ସୁନ୍ଦର ସୁନ୍ଦର ମାଟି କଣ୍ଢେଇ ସବୁ ଅଛି। କେବଳ ତାକୁ ଜଗିରଖି ଖେଳିବା କଥା, ନ ହେଲେ ଭାଙ୍ଗିଯିବାର ବେଶି ଆଶଙ୍କା ରହିଛି। ଏକଥା ଶୁଣି ଝିଅ ଆରଧ୍ୟା କହିଲା, “ନାହିଁ ବାବା, ମୁଁ ତାକୁ କେବେ ବି ଭାଙ୍ଗିବାକୁ ଦେବି ନାହିଁ, ମୋତେ ଦି’ଟା କିଣେଇ ଦିଅ।” ମୋହନ ବାବୁ ମନ ଖୁସିରେ ଝିଅକୁ କୋଳକୁ ନେଇ ତା କପାଳରେ ସ୍ନେହ ଭରା ଚୁମ୍ବନ ଦେଇ କହିଲେ, “ମୋ ମା’ଟା ଠିକ ଭାବେ ମୋ ମନ କଥାକୁ ବୁଝି ପାରିଛି। ତୁ ଦି’ଟା କାହିଁକି ଦଶଟା ନେ, ଆଉ ମନ ଭରି ଖେଳ।” ସେ ତରୁଣକୁ କହିଲେ, “ଅରେ ବାବୁ, ସୁନ୍ଦର ସୁନ୍ଦର ଦେଖି ଦଶଟା ମାଟି କଣ୍ଢେଇ ପେକିଙ୍ଗ କରିଦେଲୁ।”

ତରୁଣ ମାଟି କଣ୍ଢେଇ ସବୁ ମୋହନ ବାବୁଙ୍କୁ ଦେଇ ପଇସା ନେଇ, ନିଜ ମାଲିକର ଦୋକାନକୁ ଫେରି ଆସିଲା। ତାକୁ ଦେଖି ମାଲିକ ରାମଲାଲ ବାବୁ କହିଲେ, “ଆରେ ତରୁଣ, ଏ ଚାଇନା ତିଆରି କଣ୍ଢେଇ ସବୁ କାଟୁନରେ ଭର୍ତ୍ତି କର। ଏ ସବୁକୁ ନେଇ ମହାଜନକୁ ଫେରେଇ ଦେଇ ନିଜ ଦେଶର ତିଆରି ମାଟିର କଣ୍ଢେଇ ସବୁ ଆଣିବି। ଆସନ୍ତାକାଲି ଠାରୁ ଆମ ଦେଶର ମାଟି କଣ୍ଢେଇ ମୋ ଦୋକାନରେ ବିକ୍ରି ହେବ। ଆରଧ୍ୟା ଭଳି ତରୁଣର ମଧ୍ୟ ମନ ଖୁସିରେ ନାଚି ଉଠିଲା। ସେ ଭାବୁଥିଲା ଦେଶର ସହୀଦ ହୋଇଥିବା ବୀର ସିପାହୀଙ୍କ ମନରେ ଅନ୍ତତଃ କିଛିଟା ତ ଶାନ୍ତି ମିଳିବ।