*ଭଗବାନ ଅଛନ୍ତି****କୁଞ୍ଜବିହାରୀ ରାଉତ*****

*ଭଗବାନ ଅଛନ୍ତି****କୁଞ୍ଜବିହାରୀ ରାଉତ*****

ମେଜର କୂଳଦୀପ ସାମନ୍ତରାୟଙ୍କ ନେତୃତ୍ୱରେ ଇଣ୍ଡିଆନ ଆର୍ମିର ଏକ କମ୍ପାନୀ (ପଚିଶ ଜଣ) ହିମାଳୟରଔ ଦୁର୍ଗମ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। ସେମାନଙ୍କ ଲଖ୍ୟସ୍ଥଳ ରହିଥିଲା ଚୀନର ସୀମାନ୍ତରେଖା । ସେଠି ଖୁଵ ଝାମେଲା ଚାଲିଛି କୌଣସି ନିଦ୍ଧିଷ୍ଟ ସୀମାନ୍ତ ବିବାଦକୁ ନେଇ । ଆଗରୁ ସେଠି ମୁତୟନ ରହିଥିବା ସୈନିକ ସମ୍ପ୍ରତି ପରିସ୍ଥିତି ପାଇଁ ଯଥେଷ୍ଟ ନଥିବାର ଆଶଙ୍କା କରି ଆର୍ମି ହେଡକ୍ୱାଟରରୁ ଆଉ ଏକ ପ୍ଲାଟୁନ ଫୋର୍ସ ପଠାଇବାକୁ ନିର୍ଦ୍ଧେଶ ଆସିଲା। ଆର୍ମି ଜେନେରଲଙ୍କ ନିର୍ଦ୍ଦେଶ ମୁତାବକ ମେଜର କୁଳଦୀପ ସାହେବ ପାକିସ୍ତାନ ବର୍ଡରରୁ ଏହି ପ୍ଲାଟୁନକୁ ଧରି ଖୁଵ କମ ସମୟରେ ଚୀନ ବର୍ଡ଼ରରେ ପଦଯାତ୍ରାରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଲେ । ମେଜର ସାହେବ ସେହି କମ୍ପାନୀର ପ୍ରତ୍ୟେକ ଯବାନଙ୍କ ଚେହେରା ମଝିରେ ମଝିରେ ଦେଖୁଥିଲେ ଏବଂ କମାଣ୍ଡ ଦେଇ, ସେମାନଙ୍କୁ ଜିପିଏସ ମାଧ୍ୟମରେ ବାଟ କଡେଇ ନେଉଥିଲେ । କିଛି ଘଣ୍ଟାର ଯାତ୍ରାପରେ ମେଜର ଅନୁଭବ କଲେ କି ଯେ ଭୀଷଣ ଥଣ୍ଡା ଯୋଗୁଁ ସେମାନଙ୍କ ଆଗେଇବା ର ମନୋବଳ ଧୀରେ ଧୀରେ କମିବାରେ ଲାଗୁଛି । ତାଙ୍କ ମନରେ ଏକ ଭାବନା ଦେଖାଗଲା ଯେ ଏହି ସମୟରେ କପେ କପେ ଗରମ ଚା ଯଦି ମିଳି ଯାଇଥାନ୍ତା ତାହାହେଲେ ସମସ୍ତଙ୍କୁ ଆଗକୁ ବଢ଼ିବାର ଶକ୍ତି ନିଶ୍ଚିତ ଆସି ଯାଇଥାନ୍ତା..! ହେଲେ ବର୍ତ୍ତମାନ ରାତି ସମୟଟା ପୁଣି ନିର୍ଜନ ରାସ୍ତା, ଆଖପାଖରେ କୌଣସି ବସ୍ତିର ଦେଖା ଦର୍ଶନ ନାହିଁ, ତେଣୁ କିଛି ଉପାୟ ବି ନଥିଲା। ପାଖାପାଖି ଏକ ଘଣ୍ଟାର ପାହାଡ଼ ଚଢିବା ପରେ, ମେଜରଙ୍କ ସର୍ଚ୍ଚ ଲାଇଟର ଫୋକସ ପଡିଲା କିଛି ଦୂରରେ ଥିବା ଏକ ଜରାଜିର୍ଣ୍ଣ ଦୋକାନଟି ଉପରେ। ମେଜର ସମସ୍ତଙ୍କୁ ନିର୍ଦ୍ଦେଶ ଦେଲେ, ସେଠି ଅଟକିବାକୁ ଏବଂ ଚାରିପାଞ୍ଚ ଜଣ ଯବାନଙ୍କୁ କହିଲେ, ଦେଖିକି ଆସିବାକୁ କି ସେଇଟା ଚା ଦୋକାନ କି ନାହିଁ… ? ଯବାନ ମାନେ ଦୌଡ଼ି ଗଲେ ଦୋକାନ ପାଖକୁ, ଯଦିବା ସେଇଟା ଚାହା ଦୋକାନ ଥିଲା କିନ୍ତୁ ଦୁଃଖର ବିଷୟ ଯେ ସେଥିରେ ତାଲା ଲାଗିଥିଲା ଅର୍ଥାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ଥିଲା ।

ସେତେବେଳକୁ ଭୋକ ଆଉ ତୀଵ୍ର ଥକ୍କାରେ ଯବାନମାନେ ଆଗ୍ରହ ପ୍ରକାଶ କଲେ ଯେ ଦୋକାନକୁ ଏଥର ଭଙ୍ଗାଯାଉ। ସମସ୍ତେ ତା ପାଇଁ ମେଜରଙ୍କ ଅନୁମତି ଚାହିଁଲେ । ମେଜର କିନ୍ତୁ ଏହି ଭଳି ବେନିୟମ କାର୍ଯ୍ୟ ତାଙ୍କ ନୀତିର ଖିଲାପ ବୋଲି ଅନୁମତି ଦେବାକୁ ଚାହୁଁ ନଥିଲେ। ହେଲେ ସେମାନଙ୍କ ହତଉତ୍ସାହ ମୁଖମଣ୍ଡଳକୁ ଦେଖି ତାଲା ଭାଙ୍ଗିବାକୁ ଅନୁମତି ଦେଇଦେଲେ । ମେଜରଙ୍କ ସହିତ ସମସ୍ତେ ସେ ଦୋକାନ ପାଖରେ ପହଞ୍ଚିଗଲେ । କିଛି ଯବାନ ଦୋକାନର ତାଲା ଭାଙ୍ଗିଵାକୁ ଆରମ୍ଭ କରିଦେଲେ । ଦୋକାନ ଭଙ୍ଗା ଗଲାପରେ ଦେଖାଗଲା ଯେ ଚା’ର ସବୁ ସରଞ୍ଜାମ ଭରପୁର ରହିଛି । ବାସ୍ ଯବାନ ମାନେ ଚା ତିଆରି କଲେ ତା ସହିତ ସେଠି ରଖା ଯାଇଥିବା ଡବାରୁ ବିସ୍କୁଟ ଆଦି ଖାଇ ଶାନ୍ତି ଅନୁଭବ କଲେ । କିଛି ସମୟ ପାଇଁ ସେଠି ବିଶ୍ରାମ ମଧ୍ୟ କରି ନେଲେ । ଥକ୍କା ମେଣ୍ଟିବା ପରେ ସମସ୍ତେ ଖୁସିରେ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତିରେ ଲାଗିଗଲେ ।

ସେତିକିବେଳେ ଦେଖାଗଲା ଯେ ମେଜର ସାହେବ ଜମାରୁ ଖୁସି ନଥିଲେ। ତାଲା ଭାଙ୍ଗି ଏକ ଗରୀବର ଦୋକାନରୁ ଏପରି ଚୋରି କରି ଖାଇବା କାରଣରୁ ତାଙ୍କ ମନ ଏକପ୍ରକାର ଆତ୍ମଗ୍ଲାନି ଓ ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ ହୋଇଯାଉଥାଏ। ନିଜକୁ ଏକ ବଡ଼ ଦୋଷୀ ମନେକରି ଗ୍ଳାନି ଅନୁଭବ କରୁଥିଲେ । ସେ ସମସ୍ତଙ୍କୁ ଆଗେଇ ରାସ୍ତା ଉପରେ ଅପେକ୍ଷା କରିବାକୁ କହିଲେ । ସମସ୍ତେ ସେଠୁ ଚାଲିଯିବା ପରେ ନିଜ ପର୍ସରୁ ଦୁଇ ହଜାର ଟଙ୍କାର ନୋଟ ବାହାର କରି ଚିନି ଡ଼ବା ତଳେ ଚାପିକି ରଖିଦେଲେ । ବାହାରକୁ ଆସି ଦୋକାନର ସଟରକୁ ଭଲଭାବରେ ବନ୍ଦ କରି ଯବାନ ମାନଙ୍କ ସହିତ ଯୋଗ ଦେଇ ଆଗେଇବା ପାଇଁ ନିର୍ଦ୍ଦେଶ ଦେଲେ । ସମସ୍ତେ ନିଜ ଗନ୍ତବ୍ୟ ସ୍ଥଳ ଆଡକୁ ଆଗେଇ ଚାଲିବା ପାଇଁ ବାହାରିଲେ ସେ ଅର୍ଦ୍ଧ-ରାତିରେ।

ତିନି ମାସ ପରେ ସେହି ପଚିଶ ଜଣିଆ କମ୍ପାନୀ ସକୁଶଳରେ ନିଜ କର୍ତ୍ତବ୍ୟ ସମାପ୍ତ କରି ମେଜରଙ୍କ ନେତୃତ୍ୱରେ ପୁନର୍ବାର ସେହି ରାସ୍ତା ଦେଇ ଫେରି ଆସୁଥିଲେ । କିଛି ଯବାନ ରାସ୍ତାରେ ସେହି ଚା ଦୋକାନ ଖୋଲା ରହିଥିବା ଦେଖିବାକୁ ପାଇଲେ । ତେଣୁ ସେଠି ଚା ପିଇ ବିଶ୍ରାମ କରିବା ପାଇଁ ମେଜରଙ୍କ ଅନୁମତି ମାଗିଲେ। ମେଜରଙ୍କ ଯଦିବା ମନ ଭିତରେ ସେଠାକୁ ଯିବା ପାଇଁ ଇଚ୍ଛା ନଥିଲା କିନ୍ତୁ ସମସ୍ତଙ୍କ ଆଗ୍ରହ ଦେଖି ଅନୁମତି ଦେଇଦେଲେ । ସେହି ଦୋକାନର ମାଲିକ ଜଣେ ବୁଢ଼ା ଚା ଵାଲା ଥିଲା ଯିଏକି ଏତେ ଗୁଡିଏ ଗ୍ରାହକ ଦେଖି ଖୁସି ହୋଇଗଲା ଏବଂ ସେମାନଙ୍କ ଅର୍ଡରରେ ଚା ତିଆରି କରିବାରେ ଲାଗିପଡ଼ିଲା । ବିସ୍କୁଟ ଆଉ ଚା ଖାଇବା ଭିତରେ ଯବାନମାନେ ସେ ବୁଢ଼ା ଚା ବାଲାକୁ ତାଙ୍କ ଜୀବନର ଅନୁଭୂତି ପଚାରି ବୁଝୁଥିଲେ । ବିଶେଷ କରି ଏତେ ନିର୍ଜନ, ବନ୍ଧୁର ଏବଂ ଦୁର୍ଗମ ଜଗାରେ ଦୋକାନ ଚଳେଇବା ଉପରେ ତାଙ୍କର ଅନୁଭୂତି କଣ ରହିଛି ସମସ୍ତଙ୍କ ଜାଣିବା ପାଇଁ ଉତ୍ସୁକତା ରହିଥିଲା । ବୁଢ଼ାଟି ଚା
ତିଆରି କରିବା ସମୟରେ ତାଙ୍କୁ ଗୋଟି ଗୋଟି କରି ନିଜର ଅନୁଭୂତିର କାହାଣୀ ଶୁଣାଉଥାଏ ଏବଂ ମଝିରେ ମଝିରେ ଭଗବାନଙ୍କୁ ଶତ ପ୍ରଶଂସା ଓ ଧନ୍ୟବାଦ ଦେଉଥାଏ । ସେହି ସମୟରେ ଜଣେ ଜବାନ ପଚାରିଲେ ବାବା ତୁମେ ଭଗବାନଙ୍କୁ ଏତେ ବିଶ୍ୱାସ କରୁଛ…..? କେବେ ତୁମେ ଭଗବାନ ଥିବାର କୌଣସି ଦିନ ଅନୁଭବ କରି ପାରିଛ…? ତାଙ୍କ ଭିତରୁ କେହି ଜଣେ କହିଲା ମୋର ଭଗବାନଙ୍କ ଉପରେ ଜମାରୁ ବିଶ୍ୱାସ ନାହିଁ । ଯଦି ପ୍ରକୃତରେ ଭଗବାନ ଅଛନ୍ତି…. ତାହାହେଲେ ସେ କାହିଁକି ତୁମକୁ ଏପରି ଦୁଃଖ ଦରିଦ୍ର ଅବସ୍ଥାରେ ରଖିଛନ୍ତି …? ବୁଢ଼ାଟି କହିଲା ନାହିଁ ସାହେବ ଭଗବାନଙ୍କ ବିଷୟରେ ସେମିତି କଥା କୁହନ୍ତି ନାହିଁ । ଭଗବାନ ପ୍ରକୃତରେ ଅଛନ୍ତି …. ମୁଁ ନିଜେ ଅନୁଭବ କରିଛି । ଖାଲି ଅନୁଭବ କରିନି ଦେଖିଛି ମଧ୍ୟ । ଶେଷ କଥାଟା ଶୁଣି ସବୁ ଯବାନ ତାଙ୍କୁ କୌତୁହଳ ଦୃଷ୍ଟିରେ ଦେଖିବାରେ ଲାଗିଲେ । ତାଙ୍କ ଭିତରୁ ଜଣେ ତାତ୍ସଲ୍ୟ କରି ପଚାରିଲା ବାବା …. ସେ ଅନୁଭବ କରିବାର ଘଟଣା କେମିତି ଥିଲା ଆମକୁ ଶୁଣାଓ….?

ବୁଢ଼ାଟି କହିଲା ସାହେବ ମୁଁ ଗୋଟେ ଦିନ ବଡ଼ ବିପଦରେ ପଡ଼ିଗଲି । ମୋର ଏକମାତ୍ର ପୁଅକୁ ଏଠିକାର ଆତଙ୍କବାଦୀ ମାନେ ଧରି ପକେଇ ବହୁତ ମାଡ ମାରିଲେ । ସେ ବିଚରା ନିରୀହ ପିଲାଟା, ମୋତେ କେବେ କେବେ କାମରେ ସାହାଯ୍ୟ କରେ ନହେଲେ କୌଣସି ଯାତ୍ରୀ ବୁଲିବାକୁ ଆସିଲେ ତାଙ୍କୁ ନେଇ ଏ ପାହାଡର ବିଭିନ୍ନ ସ୍ଥାନକୁ ନେଇ ଦେଖାଏ । ସେମାନେ ଖୁସିରେ ଯାହା କିଛି ଦିଅନ୍ତି ସେଥିରେ ସେ ଆମର କିଛି ଦିନର ଗୁଜରାଣ ମେଣ୍ଟିଯାଏ। ନ ହେଲେ ଏହି ଚାହା ଦୋକାନରେ କେତେ ବା ବିକ୍ରି … ଯେ ଆମର ପରିବାର ସୁରୁଖରେ ଚଳିବ…? ହେଲେ ସେଦିନ ଆତଙ୍କବାଦୀ ମାନେ ତାକୁ ଉଠାଇ ନେଇ ବଡ଼ ନିଷ୍ଠୁର ଭାବରେ ପିଟିଲେ, ପିଟି ପିଟି ଲହୁଲୁହାଣ କରିଦେଲେ । ତା ପାଖରେ ଭାରତୀୟ ସୈନିକ ମାନଙ୍କ ଆସିବାର କୌଣସି ସୂଚନା ନଥିବା ଦେଖି ସେମିତି ଦରମରା କରି ଛାଡି ଚାଲିଗଲେ ।

ମୁଁ କେବେ ବି ଦୋକାନ ବନ୍ଦ କରେ ନାହିଁ, ଏଠି ଖାଇପିଇ ପଡି ରହିଥାଏ। ସନ୍ଧ୍ୟାରେ ମୁଁ ଖବର ପାଇ ମୋ ଦୋକାନ ବନ୍ଦ କରି ତାକୁ ହସ୍ପିଟାଲକୁ ନେଇଗଲି । ମୁଁ ସେତେବେଳକୁ ବଡ଼ ଅସୁବିଧାରେ ଥିଲି । ତାକୁ ଚିକିତ୍ସା କରିବା ପାଇଁ ମୋ ପାଖରେ ସେତେ ପଇସା ନଥିଲା । ସତ କହୁଛି ସାହେବ, ବସ୍ତି ଲୋକଙ୍କୁ ସାହାଯ୍ୟ ମାଗିଲି ହେଲେ କେହି ବି ଆତଙ୍କବାଦୀଙ୍କ ଡରରେ ଫଟା ପହୁଲାଟେ ବି ସାହାଯ୍ୟ କଲେ ନାହିଁ । ମୋ ପାଖରେ ଔଷଧ ପାଇଁ ସେମିତି କିଛି ପଇସା ପତ୍ର ନଥିଲା । ସାରା ରାତି ସେହି ହସ୍ପିଟାଲରେ ଜଗି ରହିଥିଲି, ନା କିଛି ଉପାୟ ଥିଲା ନା କୌଣସି ଆଶା ଦେଖା ଯାଉଥିଲା। ରାତିରେ ମୁଁ ବହୁତ କାନ୍ଦିଲି ଆଉ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ ହେ ଭଗବାନ ମୋତେ ଦୟା କର, ମୋ ପିଲାଟିକୁ ବଞ୍ଚାଇ ଦିଅ । ଘଟଣାର ଗମ୍ଭୀରତା ଶୁଣି ଯବାନଙ୍କ ଭିତରେ ଏକ ନୀରବତା ଖେଳିଗଲା । ଜଣେ କେହି ନରବତାକୁ ଆଡେଇ କହିଲା, ବାବା ତାପରେ କଣ ହେଲା…?

ତାପରେ ସାହେବ ଜାଣିଛନ୍ତି କଣ ହେଲା…! ସେହି ରାତିରେ ଭଗବାନ ନିଜେ ମୋତେ ସାହାଯ୍ୟ କରିବାକୁ ମୋ ଦୋକାନ ପାଖକୁ ଆସିଥିଲେ। ଭଗବାନ ମୋ ଦୁଖଃ ଶୁଣିଲେ।

ତା ପରଦିନ ସକାଳୁ ସକାଳୁ ପଇସା ଯୋଗଡରେ ମୁଁ ପ୍ରଥମେ ଦୋକାନ ପାଖକୁ ପହଞ୍ଚି ଯାହା ଦେଖିଲି ସେଥିରେ ମୋ ମୁଣ୍ଡରେ ଚଡକ ପଡିଲା ପରି ଲାଗିଲା । ମୋ ଦୋକାନର ତାଲା ଭଙ୍ଗା ହୋଇ ପଡିଛି, ଚୋର ମାନେ ସବୁ ଜିନିଷ ଲୁଟି ନେଇଛନ୍ତି ।ମୋତେ ଲାଗିଲା ମୋ ପାଖରେ ଯାହାବି କିଛି ଥିଲା ସେସବୁ ମଧ୍ୟ ଲୁଟ ହୋଇ ଯାଇଥିଲା।

ଠିକ ସେତିକି ବେଳେ କେହି ଜଣେ ଗ୍ରାହକ ଆସି ଚା ମାଗିଲେ । ତାଙ୍କ ପାଇଁ ଚା ତିଆରି କରିବାକୁ ମୋର ଜମାରୁ ଇଚ୍ଛା ହେଉ ନଥିଲା । କିନ୍ତୁ ଗ୍ରାହକ ଈଶ୍ଵର ସମାନ, ତେଣୁ ମନର କଷ୍ଟ ମନରେ ରଖି ଚା ତିଆରି କରିବା ପାଇଁ ଲାଗିଗଲି। ଯେତେବେଳେ ଚାହାରେ ଚିନି ପକେଇବା ପାଇଁ ଚିନିଡ଼ବାକୁ ଉଠାଇଲି ସେତେବେଳେ ଦେଖିଲି ଚିନିଡ଼ବା ତଳେ ଚାପିହୋଇ ଦୁଇ ହଜାର ଟଙ୍କା ଟି
ରହିଛି । ମୁଁ ମନେ ପକାଇଲି ଏତେ ଟଙ୍କା ମୁଁ ତ କେବେ ଦେଖି ନଥିଲି ତାହାହେଲେ ଏଠି ରଖିଲି କେତେବେଳେ..? ଚୋର ମାନେ ଏତେଟା ଦୟାଳୁ କେବେ ହୋଇ ନଥିବେ । ମୁଁ ଜାଣି ପାରିଲି ରାତିସାରା କରିଥିବା ପ୍ରାର୍ଥନା ନିଶ୍ଚୟ ଭଗବାନଙ୍କ କାନରେ ବାଜିଛି । ମୋ ପାଇଁ ଏ ଦୁଇ ହଜାର ଟଙ୍କା ରଖି ଦେଇଛନ୍ତି । ସାହେବ, ସେଦିନର ସେହି ଦି’ହଜାର ଟଙ୍କାର ମୂଲ୍ୟ ମୋ ପାଇଁ କଣ ଥିଲା ତାହା ମୁଁ ବାକ୍ୟରେ ବର୍ଣ୍ଣନା କରି ପାରିବି ନାହିଁ । କିନ୍ତୁ ଗୋଟିଏ କଥା କହିବି, ଭଗବାନ ନିଶ୍ଚୟ ଅଛନ୍ତି, ନହେଲେ ମୋ ପୁଅ ବଞ୍ଚି ନଥାନ୍ତା ସାହେବ। ମୁଁ ତ ସବୁବେଳେ କହିବି ଭଗବାନ ନିଶ୍ଚୟ ଅଛନ୍ତି ବୁଢ଼ାଟି ପୁଣି ନିଜେ ନିଜକୁ ବିଳବିଳେଇ ସେ କଥା ବାରମ୍ବାର କହୁଥାଏ। ଭଗବାନଙ୍କ ଅସ୍ତିତ୍ବର ଆତ୍ମ ବିଶ୍ବାସ ତା ଆଖିରେ ସଫାସଫା ଚମକୁ ଥିଲା ।

ବୁଢ଼ାର ଏହି କାହାଣୀ ଶୁଣି ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ । ପଚିଶ ଯୋଡା ଆଖି ଧୀରେଧୀରେ ମେଜର କୂଳଦୀପ ସାହେବ ଆଡ଼କୁ ଦେଖିବାରେ ଲାଗିଥାନ୍ତି । ଯାହାଙ୍କ ଆଖି ସେମାନଙ୍କ ପାଇଁ ସ୍ପଷ୍ଟ ଆଦେଶ ଥିଲା ନିରବ ରହିବାକୁ । ଏତିକି ବେଳେ ମେଜର ସାହେବ ବସିଥିବା ଭଙ୍ଗା ବେଞ୍ଚରୁ ଉଠି ଆସିଲେ, ଚା ବିସ୍କୁଟର ପଇସା ଗଣି ଗଣି ଦେଇଦେଲେ । ସେ ବୁଢା ଚା
ବାଲାକୁ ଆସ୍ତେ ଆସ୍ତେ କୁଣ୍ଢେଇ ଧରି କହିଲେ, ହଁ ବାବା ତୁମ କଥାରୁ ଆମେ ବି ଅନୁଭବ କରି ପାରୁଛୁ ଯେ ଭଗବାନ ନିଶ୍ଚୟ ଅଛନ୍ତି….। ଖାଲି ସେତିକି ନୁହେଁ, ତୁମର ଚା ବି ଖୁବ ବଢ଼ିଆ ଥିଲା। ସେଦିନ ସେହି ପଚିଶ ଯୋଡା ଆଖି ପ୍ରଥମଥର ପାଇଁ ମେଜର ସାହେବଙ୍କ ଆଖିରୁ ପାଣି ଚମକିବାର ଦୁର୍ଲ୍ଲଭ ଦୃଶ୍ୟ ଉପଭୋଗ କରୁଥିଲେ ।