*ଖାସି ମାଂସ*****କୁଂଜବିହାରୀ ରାଉତ ****

ଠିକ୍ ସକାଳ ଆଠଟା ବେଳକୁ ଶ୍ରୀମତୀଙ୍କ ବ୍ୟସ୍ତ ଭରା ସ୍ଵର ଶୁଭିଲା “ଆରେ…. ଏତେ କଣ ଶୋଇଛ, ଉଠ… ଜଲଦି ଉଠ।” ମୁଁ ଆଖି ମଳିମଳି ବଡ଼ କଷ୍ଟରେ ଉଠି ବିରକ୍ତି ଭରା ସ୍ୱରରେ କହିଲି “କଣ ହେଲା… ମଣିଷକୁ ଟିକେ ଶାନ୍ତିରେ ଶୋଇବାକୁ ଦେଉନ, ଏମିତି କଣ ବେଦ ଅସୁଧ ହୋଇଗଲା ଯେ….।” ଶ୍ରୀମତୀ ମୋ ପ୍ରଶ୍ନରେ ପୂର୍ଣ୍ଣଛେଦ ପକାଇ ଖୁଵ ଅଗ୍ରହରେ କହିଲେ “ଜାଣିଛ…ଦିଲ୍ଲୀରୁ ମୋ ବଡ଼ଭାଇ ଓ ଭାଉଜ ସ୍ପେଶାଲ ଟ୍ରେନରେ ଆସୁଛନ୍ତି, ଆଜି ସେମାନେ ରାଉରକେଲାରେ ଓହ୍ଲାଇବେ ବୋଲି ଗତକାଲି ବାପା ଫୋନ କରି କହୁଥିଲେ।” ମୁଁ ଆଶ୍ଚର୍ଯ୍ୟ ହୋଇ ଘରାଣୀଙ୍କୁ ପଚାରିଲି “ଆରେ ଏ କରୋନା ସମୟରେ ସେମାନେ ସିଧା ତାଙ୍କ ଘର କଟକକୁ ନଯାଇ ଆମ ଘରକୁ ଆସିବା କାରଣ କଣ…? ଶ୍ରୀମତୀ ଟିକେ ସହଜ ହୋଇ କହିଲେ, ଓଃହା ତୁମର ସବୁ ବେଳେ ସବୁ କଥାରେ ସନ୍ଦେହ । ଭାଇ ଆଜି ସକାଳୁ ଫୋନ କରି କହୁଥିଲା ବଡ କଷ୍ଟରେ ସେମାନଙ୍କୁ ଦିଲ୍ଲୀ-ହାୱଡା ଟ୍ରେନରେ ରିଜେର୍ଭସନ ମିଳିଛି । ଏଠି ଓହ୍ଲାଇ ଟେକ୍ସିରେ ସେମାନେ କଟକ ଯିବେ, ଆଉ ସେ ଟେକ୍ସି ଯୋଗାଡ଼ କରିବା ତୁମର ଦାୟିତ୍ୱ । ଏଠି ଖାଇ ପିଇ ଟେକ୍ସି ଧରି କଟକକୁ ଯିବେ । ତିନିଦିନ ହେଲା ଘରେ ସଉଦାପତ୍ର ନାହିଁ । ଏବେ ଆଉ ଡେରି କରନି ଶୀଘ୍ର ଯାଇକି ଜିନିଷ ଆଣିଲେ ମୁଁ ରୋଷେଇ କରିବି।

ଲକଡାଉନର ଷାଠିଏ ଦିନ ପରେ ପ୍ରଥମ ଥର ପାଇଁ ବାହାରକୁ ଟୁରରେ ଯାଇଥିଲି । ଆମ ଖବରକାଗଜର ସମ୍ପାଦକ ମହାଶୟଙ୍କ ବିଶ୍ୱାସୀ ସାମ୍ବାଦିକ ହିସାବରେ ଏକ ସତ୍ୟ ଘଟଣାର ପର୍ଦ୍ଦାଫାସ କରିବା ପାଇଁ ସୁନ୍ଦରଗଡର ଗ୍ରାମୀଣ ଅଞ୍ଚଳକୁ ମୋତେ ପଠାଇ ଥିଲେ । ସେଠାକୁ ଯିବା ପାଇଁ ସବୁ ପ୍ରକାର ଗାଡିଘୋଡାର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା। ତିନିଦିନର ଅକ୍ଲାନ୍ତ ପରିଶ୍ରମ ପରେ ସମସ୍ତ ତଥ୍ୟକୁ ଧରି ରବିବାର ସନ୍ଧ୍ୟାରେ ପହଞ୍ଚିଲି । ସିଧାସଳଖ ସମ୍ପାଦକ ମହୋଦୟ ଙ୍କୁ ସମସ୍ତ ତଥ୍ୟ ଧରେଇ ଦେଇ ମୋର କର୍ତ୍ତବ୍ୟ ସମାପ୍ତ କରିବା ଉଦ୍ଦେଶ୍ୟରେ ସେହି ସନ୍ଧ୍ୟାରେ ହିଁ ପହଞ୍ଚି ଗଲି ଅଫିସରେ । କିନ୍ତୁ ମୋର ଦୁର୍ଭାଗ୍ୟ ଯେ ସେଦିନ ସନ୍ଧ୍ୟାରେ ହିଁ ବିଭିନ୍ନ ମିଟିଂ ଏବଂ ସେମିନାର ଥିଲା । ସମ୍ପାଦକ ମହାଶୟ ମୋତେ ଦେଖି ଖୁଵ ଆନନ୍ଦିତ ହୋଇଗଲେ ଆଉ କହିଲେ ମୋର ଆଣିଥିବା ତଥ୍ୟ ପରେ ଦେଖିବେ, ଏବେ ତାଙ୍କ ସହିତ ମିଟିଂକୁ ଯାଇ ସେଠିକାର ସମ୍ବାଦ ମୋତେ ଯୋଗାଡ଼ କରିବାକୁ ପଡିବ । ମୁଁ ବାଧ୍ୟ ହୋଇ ତାଙ୍କ ସହିତ ସେଥିରେ ବ୍ୟସ୍ତ ରହିବା ପରେ ରାତି ଆଠଟା ବେଳକୁ ଟିକେ ଫୁରସତ୍ ମିଳିଲା । ସଙ୍ଗେ ସଙ୍ଗେ ମୋର ସମ୍ପାଦକଙ୍କୁ କହିଲି ଯେ ମୋର ବର୍ତ୍ତମାନ ଯିବା ଜରୁରୀ, ତିନି ଚାରିଦିନ ହୋଇଗଲାଣି, ଘରେ ସମସ୍ତେ ବ୍ୟସ୍ତ ହେଉଥିବେ । ସେ କିନ୍ତୁ ରାଜି ହେଲେ ନାହିଁ । ସୁନ୍ଦରଗଡର ଆଣିଥିବା ତଥ୍ୟ ଧରି ଖବରକାଗଜ କାର୍ଯ୍ୟାଳୟରେ ଶୀଘ୍ର ପହଞ୍ଚିବାକୁ ପଡିବ । ଯେତେ ଶୀଘ୍ର ଏଡିଟିଙ୍ଗ କାମ ସରିଲେ କଲି ସକାଳର ଆମ ଖବରକାଗଜର ସେ ସମ୍ବାଦଟି ହେବ ହେଡ ଲାଇନ। ସେଇଟା ବି ଜରୁରୀ, ବାଧ୍ୟ ହୋଇ ଗଲି, କାମ ସାରି ଫେରିଲା ବେକକୁ ରାତି ଘଣ୍ଟାଏ, ଶୋଇଲା ବେଳକୁ ପାଖାପାଖି ରାତି ଦୁଇଟା । ତା ପର ଦିନ ମାନେ ଆଜି ଖୁଵ ଡେରି ପର୍ଯ୍ୟନ୍ତ ଶୋଇ ରହି ତିନିଦିନର ଥକ୍କା ମାରୁଥିଲି । ବହୁତ ଶାନ୍ତିରେ ଶୋଇବା ହେଇଥିଲା । କିନ୍ତୁ ଧର୍ମପତ୍ନୀଙ୍କ ଆକସ୍ମିକ ପ୍ରୋଗ୍ରାମ ମୋର ସବୁ ଆରାମକୁ ଗଡବଡ଼ କରିଦେଲା।

ଅନିଚ୍ଛୁକ ଭାବେ ଉଠି ନିତ୍ୟକର୍ମ ସାରି ବଜାରକୁ ବାହାରିଲା ବେଳେ ଘରଣୀଙ୍କ ପାଟି ଶୁଭିଲା “ଏଇ ବ୍ୟାଗ ଆଉ ଲିଷ୍ଟ ଧର, ସବୁ ସାମାନ ନେଇକି ଆସିବ । ହଁ ପ୍ରଥମେ ସଉଦା ଦୋକାନରେ ଲିଷ୍ଟ ଦେଇଦେବ । ତାପରେ ମାଂସ ଦୋକାନକୁ ଯାଇ ଭଲ ଖାସି ମାଂସ ନେଇ ଆସି ଘରେ ଦେବ, ତାପରେ ଯାଇ ସଉଦା ଆଣିବ। ଏତେ ଦିନ ପରେ ଭାଇ ଭାଉଜ ଆସୁଛନ୍ତି ତାଙ୍କପାଇଁ କିଛି ଖାସ ଜିନିଷ ନ କରିଲେ ମୋର ବଡ଼ ବଦନାମ ହେବ । ଅଗତ୍ୟା ମୁଁ ବ୍ୟାଗ ଧରି ଆମର ଚିରାଚରିତ ଗୋକୁଳି ରାସନ ଦୋକାନକୁ ବାହାରିଲି। ଗୋକୁଳି ଭାଇକୁ ଲିଷ୍ଟ ଆଉ ବ୍ୟାଗ ଧରେଇ ଦେଇ କହିଲି ଭାଇ ଜିନିଷ ବାହାର କରି ରଖିଥାଅ ମୁଁ ଘଣ୍ଟାଏ ପରେ ଆସି ନେବି । ସେଠୁ ମୁଁ ବାହାରିଲି ଆମର ଧାରାବନ୍ଧା ପୁରୁଣା ମୁନାମିଆଁର ମାଂସ ଦୋକାନ ପାଖକୁ। ସେଠି ପହଞ୍ଚିଲା ବେଳକୁ ସାଢ଼େ ଆଠଟା ବାଜି ସାରିଥାଏ l ମୁନାମିଆଁ ମାଂସ ଦୋକାନରେ ବଡ ଭିଡ । ଏତେ ଭିଡ଼ ଦେଖି ମୋତେ ଆଶ୍ଚର୍ଯ୍ୟ ବି ଲାଗିଲା । ସୋମବାରଟାରେ ଏତେ ଲୋକ କେମିତି । ମୋ ଘରେ ସିନା କୁଣିଆ ଆସିବେ ବୋଲି ମୁଁ ବାର ଅବାରରେ ଆସିବାକୁ ବାଧ୍ୟ ହୋଇଛି । କଣ ଏମାନଙ୍କ ଘରେ ବି ମୋ ଘର ଭଳି କୁଣିଆ ଆସିଛନ୍ତି ନା କଣ…? ନା… ନା…. ଘଟଣାଟା ଠିକ ସେଇୟା ନୁହେଁ। ସେଦିନ ଥିଲା ବକରିଦ୍, ମୁସଲମାନ ଭାଇମାନଙ୍କ ବଡ ପର୍ବ । ତା ଛଡା ଯେମିତି କାର୍ତ୍ତିକ ମାସରେ ଆଇଁଷ ଛାଡିଲା ପରି ଲକଡାଉନରେ ଛେଳିମାଂସର ବିକ୍ରିବଟା ହେଉନଥିବାରୁ ଲୋକଙ୍କର ସ୍ଵାଦିଷ୍ଟ ପାଟିରୁ ପାଣିଚିଆ ସ୍ବାଦ ଛଡେଇବାକୁ ବାରଫାର ନ ମାନି ମୁନା ମିଆଁ ଦୋକାନରେ ପ୍ରବଳ ଭିଡ ଲାଗି ଯାଇଛି ।

ମାଂସ କିଲୋ ସାଢ଼େ ଛଅଶହ ପାଖାପାଖି, ତଥାପି ଲୋକ ହାଉଜାଉ । ରାଉରକେଲାର ରାସ୍ତା କଡରେ ଏମିତି ପାଲଟଣା ଛୋଟ ଛୋଟ ଖୋଲା ଗୁମୁଟିରେ ମାଂସ କଟାଯାଏ । ମୁନାମିଆଁର ବି ସେମିତି ଗୋଟେ ପାଲଟଣା ମାଂସ ଦୋକାନ । ମୁନାମିଆଁ ଦି’ଟା ପିଲାକୁ ଧରି ଗୋଟେ ପରେ ଗୋଟେ ଖାସି କଟା ଚାଲାଇଥାଏ । ଗୋଟେ ଖାସି କଟା ସରୁସରୁ ସେପଟେ ଲୋକ ଅନେଇ କି ବସିଛନ୍ତି ନେବା ପାଇଁ । ପାଞ୍ଚ ଦଶ ମିନିଟରେ ଖାଲି ହୋଇ ଯାଉଥାଏ। ଏପଟେ ପିଲା ଦି’ଟା ଖାସିକୁ ମାଡି ବସି, ତା ବେକ କାଟି , ରକ୍ତ ବାହାର କରି, ଛାଲ ଉତାରି ରେଡି କରିବାକୁ ଟାଇମ ବି ଲାଗୁଥାଏ। ସେ ପାଖରେ ପଲେ କୁକୁର ଜିଭ ବାହାର କରି ଧକେଇ ହୋଇ ଲାଞ୍ଜ ହଲାଉଥାନ୍ତି । ସେମାନଙ୍କ ହାଲତ ଆହୁରି ଖରାପ ଏ ଲକଡାଉନ ସମୟରେ । ତାଙ୍କ ଭିତରେ ବି କସରତ ଚାଲିଥାଏ ଯେ ଖାସିର ଛାଲ ଉତାରି ଫିଙ୍ଗି ଦେଉଥିବା ଅବଶେଷ ଭିତରୁ ନିଜ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ । ଏପଟ ମୁସଲମାନ ଗ୍ରାହକଙ୍କ ଭିତରୁ କାହାର ଦୁଇ କିଲୋ, କାହାର ଚାରି କିଲୋ ତ ଆଉ କାହାର ପାଞ୍ଚ କିଲୋ ଦେଲା ବେଳକୁ ସଙ୍ଗେ ସଙ୍ଗେ ଉତାରା ହୋଇ କଟା ହୋଇଥିବା ଖାସିଟା ବି ଶେଷ। ମୁନା ମିଆଁ ମଝିରେ ମଝିରେ ତାଗିଦ କରୁଥାଏ ତା ପିଲା ଦି’ଟାକୁ “ଆବେ…. ଜଲ୍ଦି ଜଲ୍ଦି ହାତ ଚଲା, କଣ ଏତେ ଟାଇମ ଲାଗୁଛି ? ହଁ ବାବୁ, ଏଇ ଆସିଲା ଆପଣଙ୍କ ପାଳି, ବାସ ଦୁଇ ମିନିଟ, କଣ କରିବା ଆଉ ? ଏମିତି କହି ଗ୍ରାହକ ମାନଙ୍କୁ ଧରି ରଖିବାକୁ ଚେଷ୍ଟା କରୁଥାଏ। ନ ହେଲେ ସେମାନେ ପଳେଇବେ ଆଉ କାହା ଦୋକାନକୁ । ଧୈର୍ଯ୍ୟର ତ ଗୋଟେ ସୀମା ବି ରହିଛି ।

ସେ ଭିଡ଼ ଭିତରେ ମୁନା ମିଆଁର ନଜର ମୋ ଉପରେ ପଡ଼ିବା କ୍ଷଣି ହାତ ଠାରି ଡାକି କହିଲା “ସାର୍ ଟିକେ ଅପେକ୍ଷା କରନ୍ତୁ, ଏହା ପରେ ଯେଉଁ ଖାସି କାଟିବି ସେଥିରୁ ଆପଣଙ୍କୁ ଦେବି l” କଣ କରିବା ବୋଲି ଯାହା ସବୁ କହିଗଲା ସେଥିରୁ ଜାଣିଲି ଯେ ମୁନାମିଆଁଟା କରିବ ବା କଣ…? ତିନି ଚାରିମାସ ପୂର୍ବରୁ ବଇନା ଦେଇ ଆସିଥିଲା ତିରିଶି ପଇଁତିରିଶଟା ଖାସି ପାଇଁ । କୋଡ଼ିଏ ପଚିଶଟା ବକରିଦ୍ ପର୍ଵ ପାଇଁ ଆଉ ବାକି ସବୁ ରଜ ପର୍ଵ ପାଇଁ l ଗତ ରାତିରୁ ଖାସି ମହାଜନ ପାଖକୁ ଯାଇ, ସକାଳ ଚାରିଟାରେ ଟାଟା ଏସିଇ ଭଡା କରି ପାଖା ପାଖି ପଚିଶଟା ଖାସି ନେଇ ପହଞ୍ଚିଛି କି ନାହିଁ, ତା ସାନ ସମୁଦି ଆସି ସେଠି ହାଜର । ସେ ବଡ଼ ବିକଳ ହୋଇ କହିଲେ “ସମୁଦି, ମୋର ଆଜି କିଛି ବି ଖାସି ଆସି ନାହିଁ । ଯାହାକୁ ବଇନା ଦେଇଥିଲି ସେ ମୋତେ ଧୋକା ଦେଇଛି, ସବୁତକ ମାଇବାଞ୍ଝ ଦେଇ ଦେଇଛି। ସେଥିରୁ କିଛି ନେଇ ମୋତେ କିଛି ଖାସି ଦିଅ ନହେଲେ ମୋର ପରମାନେଣ୍ଟ କଷ୍ଟମର ଆଜି ଆସିଲେ ମୁଁ ଫସିଯିବି।” ମୁନାମିଆଁ ଇଛୁକ ନଥିଲେ ମଧ୍ୟ ସେ ନୂଆ ସମୁନ୍ଧି, ଝିଅ ଦେଇଛି, ତେଣୁ ଏହି କଥାକୁ ନେଇ ସମ୍ପର୍କରେ ଫାଟ ହେବାର ଆଶଙ୍କା ରହିଛି। ମନଟା ଡାକୁ ନଥାଏ ଦେବା ପାଇଁ । ଏତେ କଷ୍ଟରେ ଆଣିଥିବା ଖାସି ଗୁଡାକ ଦେଇ ଦେଲେ ସେ କଣ କରିବ । ହଁ… ନା… ଭିତରେ ଆଠ ଦଶଟି ଖାସି ଦେଇ ଦେଲା l ଯଦିବା ସମୁନ୍ଧି ତା ବଦଳରେ ମାଇବାଞ୍ଝ କିଛି ଦେବାକୁ ଚାହିଁଥିଲେ, ହେଲେ ମୁନାମିଆଁ ବେପାରରେ ବେଇମାନ କରେନାହିଁ ତେଣୁ ବାଞ୍ଝ ଛେଳିକୁ ନେବା ପାଇଁ ଇଚ୍ଛୁକ ହେଲାନି l କିନ୍ତୁ ଦେଖିଲା ବେଳକୁ ଅବିକା ସର୍ଟ ପଡିବାର ଭୟ ଆସିଗଲାଣି l ଏପଟ ଭିଡ଼ ପ୍ରବଳ, ଏ ଭିଡ଼ ଭିତରେ, କେତେ କଟା ହେଲାଣି ସେ ହିସାବ ରଖି ପାରିନି । ପିଲା ଦି’ଟା କାଟି ଚାଲିଛନ୍ତି, ସେ ସେପଟେ ବିକ୍ରି କରି ଚାଲିଛି।

ଏହି ସମୟରେ ହଠାତ ସେ ଇଲାକାର ପୋଲିସ ଗାଡି ଧରି ଡ୍ରାଇଭର ସାହେବ ଆସି କହିଲା “ଅରେ ମୁନା, ବଡବାବୁ କହିଛନ୍ତି ଦଶ କିଲୋ ଭଲ ଖାସି ଦବୁ, ତାଙ୍କ ପୁଅର ଆଜି ଜନ୍ମଦିନ, ମୁଁ ଯାଉଛି ଅଧ ଘଣ୍ଟା ପରେ ଆସିବି, ଦେଖ ମାଲ୍ ଠିକ୍ ଥିବ ନହେଲେ ପୁଣି..!” ହଉ ବୋଲି କହି ସେ ବିକ୍ରି ଛାଡି ଆସିଲା କଟା ହେଉଥିବା ଜାଗାକୁ। ଆଉ ଗୋଟିଏ କି ଦୁଇଟା ମାତ୍ର ଖାସି ଅଛି, ସେ ଗୁଡାକ ସେତେ ଓଜନଦାର ନୁହେଁ l ଏପଟ ସେପଟ କରିଲେ ବି ଅତି ବେଶିରେ ଦଶ କି ବାର କିଲୋ ଯାଏ ହେବ କି ନାହିଁ ସନ୍ଦେହ । ବାହାରକୁ ଅନାଇଲା, ସେଠି ପାଖାପାଖି ଦଶ ବାର ଜଣ ଲୋକ ଠେଲାପେଲା ହେଉଛନ୍ତି l ତା ଭିତରେ ନିଜ ଜାତିଭାଇ ପାଞ୍ଚ ଛଅ ଜଣ ଅଛନ୍ତି । ସେମାନେ ସମସ୍ତେ ଧରାବନ୍ଧା ଗ୍ରାହକ। ପୁଣି ଆଜି ବକରିଦ୍ ପର୍ଵ । କୌଣସି ପ୍ରକାର ତା ଭାଇ ମାନଙ୍କୁ ଅଳ୍ପ ବହୁତ କରି ମାଂସ ଦେଇ ଦେଲା ବେଳକୁ ସବୁ ଖଲାସ ହୋଇଗଲା । ତା ପାଖରେ ଆଉ ଖାସି ଛେଳି ନାହିଁ ।

ସେ ସଙ୍ଗେ ସଙ୍ଗେ ପୋଲିସ ଡ୍ରାଇଭରକୁ ଫୋନ ଲଗେଇ କହିଲା କହିଲା ”ସାର୍ ଦଶ କିଲୋ ହବନି, ଆଗରୁ ସିନା ଆସିଥାନ୍ତ କି ଫୋନ ବି କରି ଦେଇଥିଲେ ମୁଁ ରଖି ଦେଇଥାନ୍ତି । ଏବେ ଦିନ ଦଶଟା ହେଲାଣି, ସବୁ ସରିଲାଣି, ଆଉ କୁଆଡୁ ମୁଁ ଆଣିବି…? ତଥାପି ମୁଁ ଚେଷ୍ଟା କରୁଛି ପାଞ୍ଚ କିଲୋ ପାଇଁ।” ଡ୍ରାଇଭର ବାବୁ ଏକଥା ଶୁଣି କେଉଁଠି ଥିଲା କେଜାଣି, ଦି ମିନିଟରେ ହାଜର ହୋଇଗଲା। ମୁନାମିଆଁଠୁ ସବୁ ଶୁଣି ଫୋନ ଲଗେଇଲା ବଡ ବାବୁଙ୍କ ପାଖକୁ । ତାଙ୍କ ସହିତ କିଛି ସମୟ କଥା ହେଲା ପରେ ଫୋନ ଆଣି ଧରାଇ ଦେଲା ମୁନାମିଆଁକୁ । ବଡ ବାବୁଙ୍କ ସହ କଥା ହେଲା ପରେ ମୁନା ମିଆଁର ମୁହଁଟା ଶେତା ପଡିଗଲା । ଠିକ୍ ଏତିକି ବେଳେ ମୁନାମିଆଁର ମୋବାଇଲ୍ ଫୋନ୍ ପୁଣି ଚିତ୍କାର କରି ଉଠିଲା । ଡ୍ରାଇଭର ବାବୁଙ୍କୁ ହାତ ଠାରି ଯିବା ପାଇଁ ଇସାରା କରି ଫୋନ ଉଠାଇଲା । ସେପଟୁ କିଏ କହୁଛି ଜଣା ନ ପଡ଼ିଲେ ବି ମୁଁ ତାର କଥା କହିବା ଢଙ୍ଗରୁ ଜାଣି ପାରୁଥାଏ ନିଶ୍ଚୟ କେହି ପ୍ରଭାବୀ ଗ୍ରାହକ ହୋଇଥିବେ । ଏପଟ ପୋଲିସ ବାବୁଙ୍କୁ ଅଧଘଣ୍ଟାଏ ପରେ ଆସିବାକୁ ଅନୁରୋଧ କରିଛି l କାହାକୁ ଗୋଟେ ଫୋନ ଲଗାଇ କିଛି ସମୟ କଥାବାର୍ତ୍ତା ହେଲା । ତା ପରେ ସରିଗଲା ବୋଲି କହି, ବାକି ଗ୍ରାହକଙ୍କୁ ଫେରେଇ ଦେଇ ସେ ଦୋକାନ ବନ୍ଦ କରିବାକୁ ବାହାନା କଲା। ଲୋକମାନେ ଚିଡିଚିଡି ହୋଇ ବହେ ବକାବକି କରି ଦୋକାନ ଛାଡିଲେ, ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା କରିବା ପାଇଁ l

ଠିକ ଏତିକି ବେଳେ ବୁଲେଟର ଫଟଫଟ ଶବ୍ଦ ଦୋକାନ ଆଗରେ ଶୁଣାଗଲା l ଦୁଇଟା ଦାଦା ଟୋକା ମୁନାମିଆଁ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ “ଆବେ ମୁନାମିଆଁ କର୍ପୋରେଟରଙ୍କ ଫୋନ ପାଇଲୁ ତ, ତାଙ୍କ ପାଇଁ ପାଞ୍ଚ କିଲୋ, ତା ସହିତ ଆମର ଆଉ ଦି କିଲୋ ଅଲଗା ଓଜନ କରି ଫାଟଫଟ ଦେ । ଟୋକା ଦି’ଟାକୁ କହିଲା ଅଧଘଣ୍ଟେ ଛାଡି ଆସ ମୁଁ ରେଡି କରି ରଖିଥିବି l ସେ ଦାଦା ଦୁଇ ଜଣ ବି ଗଡ଼ ଜିତିଲା ପରି ଖୁସିରେ ଗାଡି ଷ୍ଟାର୍ଟ କରି ଚାଲିଗଲେ।

ଏବେ ମୁନାମିଆଁର ଭାଲେଣି ପଡିଲା, କଣ କରିବ….? ଖାସି ତ ଆଉ ନାହିଁ, ତାକୁ ସତର କିଲୋ ନ ଯୋଗାଡ କଲେ ତାର ନିସ୍ତାର ନାହିଁ l ପୋଲିସ ଥାନାର ବଡ ବାବୁ ଖୋଲା ଗୁମୁଟିରେ ମାଂସ ବିକିଲେ କେଶ୍ କରିବା ଧମକ ଦେଇଛନ୍ତି l ଏପଟ ଲୋକାଲ କର୍ପୋରେଟର ଏଠୁ ଦୋକାନ ଉଠେଇ ଦେବାର ଧମକ ଦେଇଛନ୍ତି । ଜଣେ କାନୁନର ଅଧିକାରୀ ଆଉ ଜଣେ ବହୁତ ବଡ଼ ନେତା, ସେମାନେ କିଛି ବି କରି ପାରିବେ । ବହୁତ ଭାବି ଭାବି ସେ ତା ଭାଇ, ବନ୍ଧୁ ଓ ଅନ୍ୟ ସାଙ୍ଗମାନଙ୍କୁ ଫୋନ କଲା, ଯେଉଁ ମାନେ ଅନ୍ୟ ଜାଗାରେ ଖାସି କାଟୁଥିଲେ l ସମସ୍ତେ ବୋଧେ ମନା କଲେ। କାହାର ସରି ଯାଇଥିଲା ତ କାହାର ଆଉ କିଲେ କି ଅଧ କିଲେ ବଳିଥିଲା । ନିରୁପାୟ ହୋଇ କାନ ମୁଣ୍ଡ ଆଉଁସି ସେ ବସି ପଡ଼ିଲା। ଆଖିରୁ ଲୁହ ଜକେଇ ଆସୁଥିଲା । ଏଥର ତା’ର ଦୋକାନ ଭାଙ୍ଗିବାଟା ନିଶ୍ଚିତ । ସେ ଚିନ୍ତାରେ ଥମ କରି ବସି ପଡ଼ିଲା, ସେ ଥରେ ଦୋକାନକୁ ଆଉ ଥରେ ପିଲା ଦୁଇଟିର ମୁହଁକୁ ଚାହୁଁଥିଲା ।

ଏଭଳି ସ୍ଥିତିରେ ହୁଏତ ମୁଁ ତାର ନଜରରେ ଆସି ନାହିଁ। ହଠାତ୍ ମୋତେ ଦେଖି ସେ ସାପ ଦେଖିବା ଭଳି ଚମକି ଉଠିଲା l “ସାର୍ ଆପଣ କଣ ଏତେ ପର୍ଯ୍ୟନ୍ତ ନେଇନାହାନ୍ତି..?” ମୁଁ ମୁଣ୍ଡ ହଲେଇ ମନା କଲି l ସେ ଛେପ ଢ଼ୋକି ପଚାରିଲା “ଠିକ୍ ଅଛି ଆପଣଙ୍କୁ କେତେ ହେଲେ କାମ ଚଳିଯିବ।” ମୁଁ ଚିନ୍ତା କଲି, ଅଧ କିଲୋ ହେଲେ ବି ଚଳିଯିବ । କେବଳ ଶଳା ଓ ଶଳା ଭାଉଜ ପାଇଁ ସେତିକି ଯଥେଷ୍ଟ । ବାକି ରହିଲା ଶ୍ରୀମତୀ, ଆଜି ସୋମବାର ଟା, ତେଣୁ ସେ ଆମିଷ ଖାଇବ ନାହିଁ । ଆଉ ଶେଷରେ ମୁଁ ଆଉ ପିଲାମାନେ ରହିଲେ । ଦେଖିବା ମାଛରେ କାମ ଚଳାଇ ଦେବା। ମୋ ପାଟିରୁ ଅଧକିଲୋ ଶୁଣି ମୁନା ମିଆଁ ତା ବଡ଼ ସମୁଦିକୁ ଫୋନ କରି କିଲୋଟିଏ ମାଂସ ପଠେଇ ଦେବା ପାଇଁ ନେହୁରା ହେଲା। ଆଉ ନିଜେ ଗୋଟେ ପିଲାକୁ ଧରି ତା ମଟର ସାଇକେଲରେ କିଛି ସମୟ ପାଇଁ କୁଆଡେ ଅଦୃଶ୍ୟ ହୋଇଗଲା। ଅଧ ଘଣ୍ଟା ପରେ ଦୁଇଟି ଛେଳି ଧରି ଆସିଲା l ପିଲା ଦୁଇ ଜଣକୁ ଇସାରା କଲା କାଟି ରଖିବା ପାଇଁ l

ଏତିକି ବେଳେ ଡ୍ରାଇଭର ବାବୁ ପୋଲିସ ଗାଡି ଧରି ପହଁଞ୍ଚିଲେ। ତା ପରେ ପରେ ବୁଲେଟରେ ସେ ଦୁଇ ଦାଦା ଟୋକା ମଧ୍ଯ ପହଁଞ୍ଚିଲେ l ମୁନା ମିଆଁ ସେମାନଙ୍କୁ ଦେଖି ଛାଲି ଥିବା ମାଂସକୁ ଲୁହା ଚାପଡରେ ଟୁକୁଡ଼ା ଟୁକୁଡା କରିବାକୁ ଲଗିଲା l ଡ୍ରାଇଭର ହାତକୁ ଗୋଟେ ପୁଡ଼ିଆ ବଢ଼େଇ ଦେଲା । ଡ୍ରାଇଭର ପକେଟକୁ ଖୋଲି ଅସଲି କି ନକଲି ପରଖି ତାକୁ ତିନିଶହ ଟଙ୍କା ହିସାବରେ ଦଶ କିଲୋର ପଇସା ଗଣିଦେଲା । ମୁନାମିଆଁ ତାକୁ ଦେଖି କହିଲା “ଏତିକିରେ ହବନି ସାର୍, ବହୁତ କଷ୍ଟରେ ଯୋଗାଡ଼ କରିଛି, ଖାସ ଆପଣମାନଙ୍କ ପାଇଁ l ମାର୍କେଟରେ ଛଅଶହ ଚାଲିଛି । ଠିକ ଅଛି, ଆପଣଙ୍କ ପାଇଁ ପାଞ୍ଚଶହ ଲଗାଉଛି। ତା’ଠୁ କମ ହେଲେ କିଣା ଦାମ ବି ଉଠିବ ନାହିଁ, ତେଣୁ ସାର୍ ଟିକେ ଚିନ୍ତା କରନ୍ତୁ, ମୋ ପେଟ ପାଟଣା କଥା…।l” ସେପଟ ଟୋକା ଦୁଇଟି ମଧ୍ୟ ଚିତ୍କାର କଲେଣି। ପୋଲିସ ଡ୍ରାଇଭର ବାବୁ ବୁଝାଇଲେ “ନେ… ନେ… ରଖିନେ, ଯେତିକି ଦେଇଛନ୍ତି ସେତିକି ରଖ, ନୂଆ ବଡବାବୁ, ସଚ୍ଚୋଟ ଲୋକ ବୋଲି ପଇସା ଦେଇଛନ୍ତି।” ସେପଟ ଟୋକା ଦି’ଟା ପାଇଁ, ତାର ପିଲାକୁ ତାଗିଦ୍ କରୁଥାଏ ଶୀଘ୍ର ହାତ ଚଳାଇବା ପାଇଁ । ତାଙ୍କୁ ମଧ୍ଯ ସାତ କିଲୋର ଦୁଇଟି ପ୍ୟାକେଟ୍ ବଢାଇ ଦେଇ ପଇସା ପାଇଁ ଅନେଇଲା । ସେମାନେ ଚାରିଶହ ହିସାବରେ ସାତ କିଲୋର ପଇସା ବଢାଇ ଦେଇ ପଳେଇଲା ବେଳକୁ ମୁନା ମିଆଁ ନେହୁରା ହୋଇ କହୁଥାଏ “ବେପାର କଥା ଭାଇ। ତମ ପାଇଁ ମୁଁ ମୋ ନିଜ ବାର ମାସିଆ ଗ୍ରାହକଙ୍କୁ ଫେରେଇ ଦେଲି। ଏମିତି ହେଲେ କେମିତି ହବ….?” କହି ମୁନା ମିଆଁ ନାହିଁ ନାହିଁ କରି ପଇସାକୁ ପିଲା ହାତରେ ଧରେଇ ଦେଲା । ପିଲାଟି ତାଙ୍କ ବସ୍ ପାଖକୁ ଫୋନ ଲଗେଇ ମୁନାମିଆଁକୁ ଧରାଇ ଦେଲା । ସେପଟୁ କର୍ପୋରେଟଙ୍କ ରାଗରେ ଧମକ ଦେବା କଥା ହେଲା ପରି ଶୁଭୁଥିଲା l ବହୁତ କଷ୍ଟରେ ମୁନା ମିଆଁ ରାଜି ହେଲା। ଆଉ ପଇସା ଦେଇ ମାଂସ ଧରି ଖୁସି ମନରେ ଦାଦା ଟୋକା ଦି’ଜଣ ଚାଲିଗଲେ।

ମୁଁ ପଚାରିଲି ମୁନା ବାବୁ କଣ ହେଲା…? ମୋର କଥା ଶୁଣି ମୁନାମିଆଁ ମୋତେ ବୁଝାଉ ଥାଏ ଏବେ ନେଇକି ମୋ ବଡ଼ ଜ୍ୱାଇଁପୁଅ ଆସୁଛି ତାଙ୍କ ଦୋକାନରୁ।” ମୁଁ ଅତିଷ୍ଠ ହୋଇ କହିଲି “ମୋତେ ଏଥିରୁ ଆଡଜଷ୍ଟ କଲେ ହୋଇନଥାନ୍ତା। ସେ ପୁରାପୁରି ବ୍ୟସ୍ତ ହୋଇ କହିଲା “ନାହିଁ.. ନାହିଁ.. ସାର୍ ଆପଣ ହକ୍ ପଇସା ଦେବେ ମୁଁ କେମିତି ମାଇ ବାଞ୍ଝ ଦେଇ ଠକିବି।” ଠିକ ସେତିକି ବେଳେ ତା ଜ୍ୱାଇଁପୁଅ ମଟର ସାଇକେଲରେ ଆସି କିଲେ ମାଂସ ଦେଇଗଲା । ମୁନାମିଆଁ ତରାଜୁରେ ମାପି ମୋତେ ଦେଲା ବେଳକୁ ମୁଁ ପଚାରିଲି “କେତେ ପଇସା ଦେବି…?” ସେ କହିଲା “ଯାହା ଆଗରୁ ଦେଉଥିଲେ ତାହା ଦେବେ, ମୁଁ ଆଉ କଣ କହିବି।” ମୁଁ ପାଞ୍ଚଶହ ବଢେଇ ଦେଇ କହଲି “ମାଂସ ଠିକ୍ ଥିବ ତ…? ସେ କହିଲା “ସାର୍ ଖାଇଲେ ଜାଣି ପାରିବେ ନାହିଁ..! ନ ହେଲେ ମୋ ନାଁ’ରେ ପେପରରେ ବାହାର କରିଦେବ।

ଘରକୁ ଆସି ଘରଣୀଙ୍କୁ ମାଂସ ବଢ଼ାଇ ଦେଇ କହିଲି, ଟିକେ ମାଂସକୁ ଭଲ ଭାବରେ କଷିକି ରାନ୍ଧିବ । ସୋଫା ଉପରେ ଲଥ କରି ବସି ପଡ଼ିଲି । ମୁନାମିଆଁର ଶେଷ ଦି ପଦ କଥା ମୋ କାନରେ ଗୁଞ୍ଜରଣ କରୁଥିଲା । ଗତ ବର୍ଷ କଥା, ବଡ଼ଦିନ ଆଉ ନୂଆ ବର୍ଷ ପାଇଁ ମୁନାମିଆଁର ଦୋକାନ ଭଳି ରାସ୍ତା କଡରେ ଛତୁ ଫୁଟିଲା ପରି ମାଂସ ଦୋକାନ ସବୁ ଗଢି ଉଠିବାକୁ ନେଇ ପ୍ରଶାସନର ଉଦାସୀନତା ଉପରେ ମୋର ଏକ ଛୋଟ ଖବର ପ୍ରକାଶିତ ହୋଇଥିଲା । ଖୋଲା ଖୋଲି ରାସ୍ତା କଡରେ ଛେଳି କଟାକୁ ସ୍କୁଲ ଯାଉଥିବା କୋମଳମତି ପିଲା ମାନଙ୍କ ଉପରେ କଣ ପ୍ରଭାବ ପକାଉଥିବ, ଏହାହିଁ ମୋର ଉଦ୍ଦେଶ୍ୟ ଥିଲା । ଏହି ସମ୍ବାଦ ପ୍ରକାଶିତ ପରେ, ସ୍ଥାନୀୟ ପ୍ରଶାସନ ପୋଲିସ ଲଗାଇ କିଛି ଦିନ ପର୍ଯ୍ୟନ୍ତ ଏସବୁ ଦୋକାନ ବନ୍ଦ କରି ଦେଇଥିଲେ । ମୁନାମିଆଁର ଦୋକାନ ବନ୍ଦ ହେବା ପରେ ସେ ମୋ ଘରକୁ ଦଉଡି ଆସି ନେହୁରା କହିଥିଲା ସାର୍ ଆମ ପେଟ ପାଟଣା ଉପରେ ଲାତ କାହିଁକି ମାରୁଛନ୍ତି । ଏମିତି ନ ଲେଖିବା ପାଇଁ ମୀନତି ବି କରିଥିଲା । ଏପରିକି ମାଗଣାରେ ମାଂସ ଦେବାପାଇଁ ସାଲିସ ମଧ୍ୟ କରିବାକୁ ପଛାଇ ନଥିଲା । ହେଲେ ଆଜି ମୁଁ ନିଜେ ଅତି ନିକଟରୁ ତା ବ୍ୟବସାୟର ନଗ୍ନଚିତ୍ର ଦେଖିଲି। କିପରି ସେ ଏହି ସମାଜର ବୁଭୁକ୍ଷୁ ମାନଙ୍କୁ ସମ୍ଭାଳି ଦୋକାନ ଚଳାଇବା ସହ ନିଜ ପରିବାରକୁ ମଧ୍ୟ ଚଳାଇ ଆସୁଛି । ଗୋଟେ ଦୀର୍ଘନିଶ୍ୱାସ ମାରି ଉଠିଲି ବଜାର ସଉଦା ଆଣିବାକୁ ।

ଦିପହରରେ ଶଳା ମାଂସହାଡ଼ ଭିତରୁ ସସକୁ ଶୋଷିଲା ବେଳକୁ ଖାସି ମାଂସର ଟେଷ୍ଟ ଅନୁଭବ କରି ମୋତେ ପ୍ରସଂଶାରେ ପୋତି ପକଉଥାଏ। ସେତେବେଳକୁ ମୁଁ ଭାବୁ ଥିଲି… ନେତା ଓ ପୋଲିସ ବାବୁ ମାଂସ ଖାଉଖାଉ ମୁନା ମିଆଁକୁ ଏଭଳି ପ୍ରସଂଶା କରୁଥିବେ ତ…?

ସେପଟ ଶ୍ରୀମତୀ ବଳକା ହାଡ଼ର ଅଇଁଠା ଥାଳି ଧରି ଘର ପାଖର ବୁଲା କୁତ୍ତି ଆଉ ତା ଛୁଆ ଦି’ଟାକୁ ଟମି… ଟମି….ବୋଲି ଡାକୁଥାଏ… l ସେମାନେ ଲାଙ୍ଗୁଡ ହଲାଇ ହଲାଇ ଲକଡାଉନର ଭରଣା ପାଇଁ ପୁରାପୁରି ରେଡି ହୋଇ ରହିଥିଲେ…।