*# ସମ୍ପର୍କର ବେଡି#*****କୁଞ୍ଜବିହାରୀ ରାଉତ*****

ଗୋଧୂଳି ବେଳର ସୂର୍ଯ୍ୟ, ପଶ୍ଚିମ ଦିଗରୁ ଲୋହିତ ଶିଖା ଚାରିଆଡେ ବୁଛୁରିତ କରିଛି । ଧୀରେ ଧୀରେ ମାଛିଅନ୍ଧାର ମାଡି ଆସୁଥାଏ । ସୌଦାମିନୀ ମନ ଦୁଃଖରେ ତା ଘରର ଛାତ ଉପରେ ବସିଥାଏ । ସୌଦାମିନୀ କେତେ ଯେ ଚୁଲବୁଲି ଝିଅଟେ ନ ଥିଲା, କିନ୍ତୁ ହଠାତ ବାହାଘରଟା ଠିକ ହୋଇଯିବା ଶୁଣି ତା ମନଟା ଖୁବ ଭରାକ୍ରାନ୍ତ ହୋଇଗଲା । ବିବାହର ଭବିଷ୍ୟତକୁ ନେଇ ତା ମନରେ କେତେକଣ ଭାବନାର ବୁଢିଆଣି ଜାଲ ଗୁଡେଇ ତୁଡେଇ ହୋଇ ଚାଲିଥାଏ । ହଠାତ ମା’ର ଡାକ ଶୁଣି ଭାବନା ରାଜ୍ୟରୁ ଫେରିଲା ସୌଦାମିନୀ । ମା ତା ପାଖକୁ ଆସି ବସିପଡ଼ି କହିଲେ,

“କଣ ମା… ଏଠି ବସି କଣ ସବୁ ଭବୁଛୁ …? ଆସ, ତୋ ମୁଣ୍ଡ ଚିପି ଦେବି, ଟିକେ ଆରାମ ଲାଗିବ।”
ମା’ର ହାତ ପାପୁଲିର କୋମଳ ସ୍ପର୍ଶରେ ସେ ଆସ୍ତେ ଆସ୍ତେ ସୋମ୍ମହିତ ହୋଇ ଯାଉଥାଏ। ଧିରେ ଧିରେ ତାର ଆଖି ବି ମୁଦି ହୋଇ ଆସୁଥାଏ । ସେ ଚମକି ପଡିଲା, ତା ବୁକୁରେ ତତଲା ପାଣିର ଟୋପା । ସୌଦାମିନୀ ବୁଲି ଦେଖିଲା ଯେ ତା ମା’ର ଆଖିରୁ ଲୁହ ଟୋପା ଟୋପା ଖସି ଆସୁଥାଏ । ସୌଦାମିନୀ ମା’ର ଆଖିରୁ ଲୁହ ପୋଛି ଦେଇ କହିଲା,
“କାନ୍ଦନା ମା, ମୁଁ…. କେଉଁ ବିଦେଶକୁ ଚାଲି ଯାଉଛି ଯେ…। ଅଢେଇ ଘଣ୍ଟାର ରାସ୍ତା, ରାଜଧାନୀରୁ ଆମ ଘରକୁ । ମୁଁ ଯେବେ ଚାହିଁବି ସେ’ବେ ଆସିଯିବି।”
ମା ସୌଦାମିନୀକୁ କୋଳେଇ ଧରି କପାଳରେ ମୃଦୁ ଚୁମ୍ବନ ଦେଇ କହିଲେ,
“ମୋ ମା’ ଟା କେତେ ବୁଦ୍ଧିମାନ ହୋଇଗଲାଣି।”
ଘରୁ ବିଦାୟ ପୂର୍ବରୁ ମା ଠାରୁ ଢେର କଥା ସେ ଶିଖି ସାରିଲାଣି । ବହୁ ପ୍ରତୀକ୍ଷିତ ଦିନ ବାହାଘର ଦିନ ଆସିଗଲା। ବିବାହ କାର୍ଯ୍ୟ ସମ୍ପାଦନ ପରେ ବିଦାୟ ସମୟ ବି ଆସିଗଲା। ସାନ ଭାଇ ଭଉଣୀକୁ ସ୍ନେହ, ଜେଜେ ଜେଜେ’ମା, ବାବା’ମା, ମାମୁ’ମାଇଁ, କକା’ଖୁଡି, ମଉସା’ମାଉସି, ପିଉସା’ପିଉସି ଓ ଘରର ଅନ୍ୟାନ୍ୟ ଗୁରୁଜନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲା ବେଳକୁ ସେ ନିଜର କୋହ ସମ୍ଭାଳି ନ ପାରି ପିଲାଙ୍କ ପରି ଭୋ ଭୋ କରି କାନ୍ଦି ଉଠିଲା। ତା’ର ଏପରି କାନ୍ଦ ଦେଖି ସମସ୍ତେ ବୁଝାଉଥିଲେ,
“କାନ୍ଦନା ମାଆ, ଭଲରେ ଭଲରେ ଯା’ ଆଉ ଖୁସିରେ ଥାଆ। ଜଲଦି ଚାଲି ଆସିବୁ, ଏମିତି ଯିବା ଆସିବା କରୁଥିବୁ।”
ସମସ୍ତେ ହାତ ହଲେଇ କାରରେ ବସିବା ପର୍ଯ୍ୟନ୍ତ କାନ୍ଦ କାନ୍ଦ ଆଉ ଶୁଖିଲା ମୁହଁ କରି ବିଦାୟ ଦେଉଥିଲେ। ସାଙ୍ଗରେ ବସିବାକୁ ଯାଇ ତା ସଦ୍ୟ-ସ୍ୱାମୀ ପ୍ରକାଶ ମଧ୍ୟ ତା କାନ୍ଦକୁ ବନ୍ଦ କରାଇବା ଉଦ୍ଦେଶ୍ୟରେ କହୁଥିଲେ,
“ଅରେ ତୁମେ ଭାବ ଯେ…. ବାହାରକୁ ପାଠ ପଢିବା ପାଇଁ ଯାଉଛ, ହଷ୍ଟେଲରେ ଅଛ…, ଯେତେବେଳେ ମନ ହେବ ସେତେବେଳେ ଚାଲି ଆସିବ।”

ଇତି ମଧ୍ୟରେ ବାହାଘରର ଏକ ବର୍ଷ ବିତିଗଲାଣି, ଶଶୁରଘର ଜଞ୍ଜାଳରୁ ସୌଦାମିନୀ ମୁକୁଳି ପାରୁ ନଥାଏ । ଦିନକୁ ଦିନ ଘରର ଦାୟିତ୍ୱ ବଢ଼ିବାରେ ଲାଗୁଥାଏ । ଯେମିତି ମା ତାକୁ ଶିଖାଇ ଥିଲେ ସେମିତି ସମସ୍ତଙ୍କ ମନ ଜାଣି ସବୁକାମ ସଠିକ ଭାବରେ କରିବାକୁ ଚେଷ୍ଟା କରୁଥାଏ।

ସେଦିନ ଖରାବେଳଟାରେ ବାପଘରୁ ଖବର ଆସିଲା ଯେ ତାର ଜେଜେ ଦୁନିଆରୁ ଚାଲିଗଲେ। ସେତିକିବେଳେ ସୌଦାମିନୀ ପ୍ରକାଶ ସହିତ ତାଙ୍କ ମାମୁଁ ଝିଅ ଭଉଣୀର ବାହାଘରରେ ଯୋଗ ଦେବାକୁ ବାଲେଶ୍ୱର ଚାଲି ଆସିଥାଏ। ପ୍ରକାଶ ସବୁ କଥା ଶୁଣି କହିଲେ,
“ଏମିତି କେମିତି ବାହାଘରକୁ ଛାଡି ଆମେ ଚାଲିଯିବା। ଜେଜେଙ୍କର ଅକାଳ ବିୟୋଗ ତ ହୋଇନି… ଦିନେ ନା ଦିନେ ତାଙ୍କୁ ଯିବାର ଥିଲା। ଆଉ ଦିନେ କେତେବେଳେ ଚାଲିଯିବା, କିନ୍ତୁ ବର୍ତ୍ତମାନ ନୁହେଁ।”
ସୌଦାମିନୀ ଚୁପ ରହିଗଲା କାରଣ ମା ତାକୁ ଶିଖେଇ କହିଥିଲେ ଏବେ ଶଶୁରଘର ତାର ନିଜ ଘର, ସେଠି ସେମାନେ ଯାହା କହିବେ ତାହାହିଁ କରିବା ତାର କର୍ତ୍ତବ୍ୟ। ସେମିତି….. ଛଅ ମାସ ପୂର୍ବରୁ ତା ମାମୁଁପୁଅ ଭାଇ ମନୋଜ ବାହା ଘରକୁ ଯାଇପାରି ନଥିଲା କାରଣ ସେତେବେଳେ ଶାଶୁ ବେମାର ପଡି ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ।

ଏବେ ତ ସୌଦାମିନୀ ଗୋଟେ ଝିଅର ମା ହୋଇସାରିଲାଣି । ଯେବେ ସେ ପାଞ୍ଚମାସର ଗର୍ଭବତୀ ଥିଲା ତା ମାଉସୀ ଝିଅ ଭଉଣି ଵନ୍ଦିତାର ବାହାଘର ହୋଇଥିଲା। ମାଉସୀ ତା ଶଶୁରଘରକୁ ଆସି ସମସ୍ତଙ୍କୁ ଯିବାପାଇଁ ନେହୁରା ହୋଇଥିଲେ। ବାହାଘର ପୂର୍ବ ଦିନ ଶାଶୁ’ମା ଙ୍କୁ ଅନୁମତି ମାଗିବାରୁ କହିଲେ,
“ଏମିତି ଅବସ୍ଥାରେ ତୁ କୁଆଡେ ଯିବୁ, ସେଠି ଯାଇକି କଣ ବା କରିପାରିବୁ କହିଲୁ…?”
ସୌଦାମିନୀ ଭାବୁଥାଏ ଏ କେମିତି ପରିସ୍ଥିତିରେ ପଡିଗଲା…! ସକାଳୁ ନେଇ ରାତି ଯାଏ ଏପରି ଅବସ୍ଥାରେ ତ ଘରର ସବୁ କାମ ସେ ହିଁ କରୁଛି। ସେତେବେଳେ ତ ସବୁ ଠିକଠାକ ଅଛି, ପୁଣି ବାହାଘରକୁ ଗଲା ବେଳେ ଏ ଅବସ୍ଥା କଥା ଯିବାପାଇଁ ପ୍ରତିବନ୍ଧ ଆସିଲା କେଉଁଠୁ…? ଶେଷରେ ସେ ବାଧ୍ୟ ହୋଇ ପ୍ରକାଶକୁ କହିଥିଲା କି ମାଙ୍କୁ ଟିକେ ବୁଝାଇ କଥାବାର୍ତ୍ତା କରିବାକୁ ଆଉ ତାକୁ ନେଇ ବାହାଘରକୁ ଯିବାକୁ କାହିଁକିନା ମାଉସି ମାସେ ପୂର୍ବରୁ ଆସି ସମସ୍ତଙ୍କୁ ଅନୁରୋଧ କରିଥିଲେ। ତା ପରେ ବି ବାରମ୍ବାର ଫୋନ କରି ସୌଦାମିନୀ କୁ ମନେ ପକେଇ ଦେଉଥିଲେ। ପରେ ପରେ ପ୍ରକାଶ ପାଖକୁ ମଧ୍ୟ ଫୋନ ଆସିଥିଲା। ପ୍ରକାଶ ସିଧାସଳଖ କହିଲେ,
“ଦେଖ ମାଉସୀ, ଆପଣମାନେ ଯଦି ଅଡି ବସିବେ ତାହାହେଲେ ମୁଁ ତାକୁ ନେଇଯିବି ହେଲେ ସେଠାରେ ଯଦି କିଛି ଅସୁବିଧା ହୁଏ ତାହାହେଲେ ଆପଣମାନେ ହିଁ ସେଥିପାଇଁ ଦାୟୀ ରହିବେ”। ଏ କଥା ମାଉସୀ ଠାରୁ ଶୁଣି ସୌଦାମିନୀର ମା ମାଉସୀକୁ ବାଧ୍ୟ କରିବାକୁ ମନା କରିଦେଲେ । ପୁଣି ମା ଫୋନ କରି ଝିଅକୁ ବୁଝାଇ କହିଲେ,
“ଥାଉ ମା ତୁ ଏ ବାହାଘରକୁ ବେଶି ଗୁରୁତ୍ବ ଦେ ନାହିଁ। ଏହିଟା ତୋର ପ୍ରଥମ ସନ୍ତାନ। ଯଦି କିଛି ବି ଅସୁବିଧା ହେଇଯାଏ ତାହାହେଲେ ତୋ ଶଶୁରଘର ଆମକୁ କ୍ଷମା କରିବେନି।”

ସେମିତି ଶଶୁର ଘରେ ତାକୁ କୌଣସି ଜିନିଷର ଅଭାବ ନ ଥିଲା, ତଥାପି ଲାଗୁଥାଏ ଯେ ସମସ୍ତେ ମିଶି ଦାୟିତ୍ବର ରାଜମୁକୁଟ ତାକୁ ହିଁ ପିନ୍ଧାଇ ଦେଇଛନ୍ତି। ତାର ଆସିବା ପୂର୍ବରୁ ବି ତ ଲୋକ ବେମାର ପଡୁଥିଲେ, ଆଉ ସେହି ପରିସ୍ଥିତିରେ କିପରି ଏଠି ଲୋକେ ସମ୍ଭାଳି ଥିଲେ । ତା ଅସିବା ପୂର୍ବରୁ ମଧ୍ୟ ଏହି ଘରେ ବିବାହ କାର୍ଯ୍ୟ ହୋଉଥିଲା ତ….। ତାହାହେଲେ ଆଜି ସେମିତି କୋୖଣସି ବିବାହ ସମାରୋହରେ ଯୋଗ ନଦେଇ ନିଜ ବାପାଘର ମୃତ୍ୟୁ କାର୍ଯ୍ୟରେ ଯୋଗ ଦେବାରେ ଅସୁବିଧାଟା କେଉଁଠି ରହିଲା…? ସେ ବୁଝିପାରୁନଥାଏ ଏମିତି କାହିଁକି ତା ସହିତ ଘଟୁଛି…! ଏମିତି ଦିନଗୁଡିକ ବିତି ଯାଉଥାଏ । କେବେ ଦୁଇ ଦିନ ତ କେବେ ଚାରିଦିନ ପାଇଁ ସୌଦାମିନୀ ତା ବାପା’ମା ପାଖକୁ ଯାଏ ଆଉ ସମସ୍ତଙ୍କୁ ଦେଖା କରି ପୁଣି ଦୁଃଖ ମନରେ ଫେରିଆସେ।

ସୌଦାମିନୀର ନଣନ୍ଦ ସୁସ୍ମିତା ର ଏହା ମଧ୍ୟରେ ବାହାଘର ଠିକ ହୋଇ ଯାଇଥାଏ । ସେ ଦୁଇଜଣଙ୍କ ସମ୍ପର୍କ ଦୁଇସାଙ୍ଗ ପରିକା ଥିଲା । ଖାଲି ଦୁଇସାଙ୍ଗ ପରିକା ନୁହେଁ ବରଂ ଦୁଇଭଉଣୀ ପରିକା ଥିଲା । କେବଳ ତା ନଣନ୍ଦ ପାଇଁ ହିଁ ତାକୁ କେବେ ହେଲେ ଏକୁଟିଆ ଲାଗୁ ନଥିଲା। ତା ସହିତ କେତେ ନା କେତେ ହସ ମଜ଼ା କରି ଦିନ ସବୁ କାଟିଛି । ସିନେମା ଦେଖା ହେଉ ଅବା ପିକନିକ ଯିବା ହେଉ, ସେ ପ୍ରମୁଖ ଭୂମିକା ନେଇଥାଏ। ଆଉ ଯିବା ପରେ ସୌଦାମିନୀ ତାକୁ ସଫଳତାର ସହ ପରିଚାଳନା କରିଥାଏ। ସୁସ୍ମିତାର ବାହାଘର ଶୁଣି ଯେତିକି ଖୁସି ଲାଗୁଥାଏ ସେତିକି ଉଦାସ ମଧ୍ୟ ଲାଗୁଥାଏ। ତା ବିନା ଶଶୁର ଘର କଥା କଳ୍ପନା କଲେ ତା ଆଖିରେ ଲୁହ ଜକେଇ ଆସିଯାଏ। ସୁସ୍ମିତା ବାହାଘରର ପ୍ରତିଟି ଦାୟିତ୍ୱ ସୌଦାମିନୀ ବହୁତ ଭଲ ଭାବରେ ସମ୍ଭାଳି ନେଲା । ଯଦିବା ଦ୍ଵିତୀୟ ଥର ପାଇଁ ସୌଦାମିନୀ ମା ହେବାକୁ ଯାଉଥିଲା ଆଉ ସେଇଟା ଚତୁର୍ଥ ମାସ ଚାଲୁଥିଲା । ତଥାପି ଘର-ବାହାର ପ୍ରତ୍ୟେକଟି କାମକୁ ଖୁବ ସୁରୁଖୁରରେ କରୁଥିଲା । ପାଞ୍ଚ ଦିନ ଆଗରୁ ଘରେ ପ୍ରବଳ ସମାଗମ। ସବୁ ବନ୍ଧୁବାନ୍ଧବ ତା ଶାଶୁଙ୍କୁ କହୁଥିଲେ
“ବଡ ଭାଗ୍ୟବାନ ତୁମେ, ଯାହାକୁ ସୌଦାମିନୀ ଭଳି ରୂପବତୀ ଆଉ ଗୁଣବତୀ ଵୋହୁଟେ ମିଳିଛି।”

ବାହାଘର ଦିନ ଆସିଗଲା, ଆଜି କିନ୍ତୁ ସୌଦାମିନୀ ନିଜ ଆଖିର ଲୁହକୁ କୌଣସି ପ୍ରକାର ଅଟକେଇ ରଖି ପାରିନଥିଲା। ନିଜ ଶୋଇବା ଘରେ ଏକାନ୍ତରେ କଇଁ କଇଁ ହୋଇ କାନ୍ଦୁଥାଏ। ଠିକ ସେତିକିବେଳେ ସୁସ୍ମିତା ଚାଲି ଆସିଲେ। ଭାଉଜଙ୍କ ଏପରି କାନ୍ଦିବାର ଦେଖି ସେ ଜମାରୁ ସମ୍ଭାଳି ପାରିଲେନି । ଦୁଇ ନଣନ୍ଦ ଭାଉଜ ଜଣେ ଅନ୍ୟକୁ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦିଲେ। ସେହି ସମୟରେ ସୌଦାମିନୀର ଶାଶୁ ପଶି ଆସିଲେ ସେ ରୁମକୁ। ଏମାନଙ୍କୁ ଏପରି ଅବସ୍ଥାରେ ଦେଖି ସୁସ୍ମିତାକୁ ବୁଝାଇବାରେ ଲାଗିଥାନ୍ତି,
“କାନ୍ଦନା ମା ସୁସ୍ମିତା, ତୁ କଣ ବିଦେଶ ଯାଉଛୁ ଯେ ଏମିତି ଅଧର୍ଯ୍ୟ ହୋଇ ପଡୁଛୁ। ତିନି ଘଣ୍ଟାର ରାସ୍ତା, ଯେତେବେଳେ ଚାହିଁବୁ ତୁ ଆସିକି ଯାଇ ପାରିବୁ।” ସୁସ୍ମିତା କିନ୍ତୁ ସେମିତି କାନ୍ଦି କାନ୍ଦି କହୁଥାଏ,
“ନା… ମା… ଯେବେ ମୋର ମନ କରିବ ସେ’ବେ ଜମାରୁ ଆସି ପାରିବି ନାହିଁ।”
ସୌଦାମିନୀର ଶାଶୁ ପୁଣି ବୁଝାଇବାକୁ ଚେଷ୍ଟା କଲେ,
“ତୁ ଏମିତି କାହିଁକି ଭବୁଛୁ ଯେ ଇଛା କଲେ ବି ତୁ ତୋର ମା ପାଖକୁ ଆସି ପାରିବୁ ନାହିଁ..?” ସେତେବେଳେ ସୁସ୍ମିତା କହିଲା,
“କେମିତି ଆସିପାରିବି ମା…? ହୋଇପାରେ ମୁଁ ଯେତେବେଳେ ଅସିବା ପାଇଁ ଚାହିଁବି ସେତେ ବେଳକୁ ମୋ ଶଶୁରଘରର କୌଣସି ଲୋକ ବେମାର ପଡିଯାଇ ପାରନ୍ତି। ତାହାହେଲେ ମୁଁ ସେମାନଙ୍କୁ ସେ ଅବସ୍ଥାରେ ଛାଡି ଦେଇ କେମିତି ଆସିଯିବି । ଆଉ ଯଦି କେବେ କାହାର ବାହାଘର ପଡିପାରେ, ନହେଲେ ମୋ ସ୍ୱାମୀ ନିଜେ ମୋତେ କହିପାରନ୍ତି ଯେ ତୁମେ ନିଜ ଦାୟିତ୍ୱରେ ଯାଇପାର, ଆଉ ଯଦି କିଛି ବି ଅସୁବିଧା ହୁଏ, ତା ପାଇଁ ତୁମେ ସବୁ ଦାୟୀ ରହିବ, ସେତେବେଳେ ମୋତେ କିଛି କହିବ ନାହିଁ” ।

ସୁସ୍ମିତା ର ଏଭଳି କଥା ଶୁଣି ଅନ୍ୟମାନେ ସମସ୍ତେ ତଟସ୍ତ ହୋଇଗଲେ। ସେତେବେଳକୁ ଘରର ଅନ୍ୟ ସଦସ୍ୟ ମାନେ ଚାଲି ଆସିଥାନ୍ତି। ସମସ୍ତେ ସୌଦାମିନୀ ଆଡକୁ ଏକ ପ୍ରଶ୍ନିଳ ଦୃଷ୍ଟିରେ ଦେଖୁଥାନ୍ତି। ସେମାନଙ୍କ ଭାବନା ଯେ ସୌଦାମିନୀ ହିଁ କିଛି ଶିଖାଶିଖି କରି ସୁସ୍ମିତାକୁ ମତେଇଛି। କିନ୍ତୁ ସୁସ୍ମିତା ସେମାନଙ୍କ ଭାବନାକୁ ଅନ୍ତକରି କହିବାରେ ଲାଗିଲା,
“ନା…. ମା…. ଭାଉଜ ଆଡକୁ ଚାହିଁ କିଛି ଲାଭ ନାହିଁ…କାରଣ ସେ କେବେ ବି ତାଙ୍କର ଅସୁବିଧା କଥା ମୋତେ କହନ୍ତି ନାହିଁ। ଯଦି କହିଥିବେ ତାହାହେଲେ ପ୍ରଥମେ ତୁମକୁ, ନହେଲେ ବାପାଙ୍କୁ ଆଉ ବେଶିରୁ ବେଶି ହେଲେ ଭାଇଙ୍କୁ କହିଥିବେ। କିନ୍ତୁ ମୁଁ ନିଜେ ଦେଖିଛି ତାଙ୍କ ଶୁଖିଲା ଆଖିର ଭାଷା, ଯେତେବେଳେ ତାଙ୍କ ଜେଜେବାପାଙ୍କ ଦେହାନ୍ତ ହୋଇଥିଲା ଆଉ ସେଦିନ ତୁମେସବୁ ବହାଘରେ ମଉଜ ମଜଲିସ କରୁଥିଲ କିନ୍ତୁ ଭାଉଜ ମନ ମାରି ବସିଥିଲେ । ମୁଁ ନିଜେ ଦେଖିଚି ମା, ତୁମର ସାମାନ୍ୟ ଜ୍ୱର ହେବା ଦେଖି ବାପା କିଛି ଅଧିକା ଆଶଙ୍କାରେ ହସ୍ପିଟାଲରେ ଆଡ଼ମିଟ କରିଦେଲେ। ସେତେବେଳେ ଭାଉଜଙ୍କ ଭାଇର ବାହାଘର ଯିବା ପ୍ରସ୍ତୁତି ହୋଇଥିଲେ ମଧ୍ୟ ସେ ଯାଇପାରି ନଥିଲେ । ମୁଁ ନିଜେ ଅନୁଭବ କରିଛି ଭାଉଜଙ୍କ ଅନ୍ତଦ୍ବନ୍ଦ ସେଦିନ, ଯେତେବେଳେ ଭାଇ ସିଧାସଳଖ ମନା କରିଦେଲେ ତାଙ୍କ ମାମୁଁ ଝିଅ ଭଉଣିର ବାହାଘରକୁ ଯିବାକୁ। ସେହି ପ୍ରକାଶ ଭାଇ, ଯିଏକି ଭାଉଜଙ୍କ ବିଦାୟ କାଳରେ ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ ‘ଭାବିନିଅ ତୁମେ ବାହାରକୁ ପଢିବାପାଇଁ ଯାଉଛ, ଯେବେ ଇଛା ହେବ ସେ’ବେ ଚାଲି ଆସିବ।’ ପ୍ରକାଶ ଭାଇ ତୁମକୁ ଜଣା ନାହିଁ ଯେ ତୁମେ ଭାଉଜଙ୍କ ମନର ବିଶ୍ୱାସକୁ ଭାଙ୍ଗି ଚୁରମାର କରିଦେଇଛ।”

ବାପାଙ୍କ ଉଦ୍ଦେଶ୍ୟରେ ସୁସ୍ମିତା କହୁଥିଲା,
“କାଲିକି ମୋ ସାନ ଭାଇର ବାହାଘରକୁ ମୋ ଶଶୁର ଘର ଯଦି ଅସିବା ପାଇଁ ନଦିଅନ୍ତି, କେବେ ଭାବିଛ ତୁମ ମନରେ କଣ ଭାବନା ଆସିବ। ବାପା, ତୁମର ସବୁଠୁ ଗେହ୍ଲା ଝିଅ, ମୋ ସାନ ଭଉଣୀ ପିଙ୍କି, ତାର ମଧ୍ୟ କାଲିକି ବହାଘର ହେବ। ତୁମର କିଛି ବି ଅସୁବିଧା ହୋଇଗଲା ବେଳକୁ ତା ଶଶୁର ଘର ଲୋକ ତାକୁ ଯଦି ନ ଛାଡ଼ନ୍ତି, ତା ହେଲେ ତୁମ ମନ କେମିତି ଲାଗିବ କେବେ ସେ ବିଷୟରେ ଚିନ୍ତା କରିଛନ୍ତି ? କେବେ ତୁମେମାନେ ସବୁ ଭାଉଜଙ୍କ ଜାଗାରେ ନିଜକୁ ବା ଆମ ଭଉଣୀ ମାନଙ୍କୁ ରଖି ଚିନ୍ତା କରି ଦେଖିଛ..?”
ସୁସ୍ମିତା ସେମିତି କହି ଚାଲିଥାଏ,
“ଜଣେ ଝିଅ ଜୀବନର ବାଇଶି ତେଇଶ ବର୍ଷ ଗୋଟିଏ ଘରେ ବିତାଇ, ଯେଉଁ ପ୍ରେମର ସମ୍ପର୍କ, ସ୍ନେହର ବାସ୍ନାରେ ତା ଜୀବନଟା ମହକି ଥିବ ସେହି ସମ୍ପର୍କକୁ ଅନୁଭବ କରିବା ପାଇଁ ତାକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଏ ସେ ଜାଗାରେ ତାର ମନ ଅବସ୍ଥାରେ କିପରି ଥିବ କେବେ ବି କେହି ଚିନ୍ତା କରିଛ।”

ସୌଦାମିନୀକୁ ସେମିତି କୁଣ୍ଢେଇ ଧରି ସୁସ୍ମିତା କାନ୍ଦି କାନ୍ଦି କହୁଥିଲା,
“ମୋତେ କ୍ଷମା କରିଦିଅ ଭାଉଜ ମୁଁ ତୁମ ପାଇଁ କିଛି କରି ପାରିଲିନି। ଯେଉଁ ସମ୍ପର୍କରେ ବାନ୍ଧି ଆମେ ତୁମକୁ ଆମ ଘରକୁ ଆଣିଥିଲୁ ସେହି ସମ୍ପର୍କ ହିଁ ତୁମର ନିଜ ସମ୍ପର୍କର ବେଡି ହୋଇଗଲା।”

ସମସ୍ତେ ସୁସ୍ମିତା କଥାରେ ନିଜକୁ ଏକ ପ୍ରକାର ଦୋଷୀ ମନେ କରୁଥିଲେ। ସେମାନଙ୍କ ମୁଣ୍ଡ ଆତ୍ମଗ୍ଲାନିରେ ତଳକୁ ହୋଇ ଯାଉଥିଲା। ସୌଦାମିନୀ ଏଥର ସୁସ୍ମିତାକୁ ଆହୁରି ଜାବୁଡି ଧରି କାନ୍ଦିବାରେ ଲାଗିଲା ଆଉ ଚିନ୍ତା କରୁଥିଲା…. ଯାହା ହେଉ ଏ ଘରର କେହି ତ ଜଣେ ତା କଥା ଭାବୁଥିଲା। ସୌଦାମିନୀ ଏଥର ନିଜର ମନର ବୋଝଟି ଧୀରେ ଧୀରେ ହାଲୁକା ହେବାର ଅନୁଭବ କରୁଥିଲା ।