ବଙ୍କାପାଦ ଚିକିତ୍ସା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର ରୁ ଆକାଶ ମିଶ୍ର:
ରାଜ୍ୟରେ ବଙ୍କାପାଦ ଶିଶୁଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି , ସାମଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗ ଏବଂ କିଓର ଇଂଟରନ୍ୟାସନାଲ ଇଣ୍ଡିଆ ଟ୍ରଷ୍ଟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ବି.କେ.ବ୍ରହ୍ମା , ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସାସନ ସଚିବ ଅଶୋକ ଭୁୟାଁ , ଏସ୍.ଏସ୍.ପି.ଡି ଯୁଗ୍ମ ସଚିବ କୈଳାଶ ଚନ୍ଦ୍ର ସାହୁ ଏବଂ କିଓର ଇଂଟରନ୍ୟାସନାଲ ଇଣ୍ଡିଆ ନିର୍ଦ୍ଦେଶକ ସନ୍ତୋଷ ଜର୍ଜ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି ।

ସ୍ୱାକ୍ଷରିତ ଚୁକ୍ତିନାମା ଅନୁଯାୟି କିଓର ଇଂଟରନ୍ୟାସନାଲ ସଂସ୍ଥା ପକ୍ଷରୁ ସରକାରୀ- ଘରୋଇ ସହଭାଗିତା ( ପିପିପି )ରେ ବଙ୍କାପାଦ ଚିକିତ୍ସା ସଂପର୍କରେ ରାଜ୍ୟ ସ୍ତରରେ ତାଲିମ୍ ପ୍ରଦାନ କରାଯିବ । ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଓ କର୍ମଚାରୀମାନଙ୍କୁ କ୍ୟାପିଟାଲ ହସପିଟାଲ ସମେତ ତିନୋଟି ମେଡିକାଲ କଲେଜ , କୋରାପୁଟ ମୁଖ୍ୟ ଚିକିତ୍ସାଳୟ ଓ ଆଇ.ଜି.ଏଚ୍ ରାଉରକେଲାରେ ତାଲିମ୍ ଦିଆଯିବ । କଟକ ଏସ୍.ସି.ବି ମେଡିକାଲ କଲେଜ ନୋଡାଲ ତାଲିମ୍ କେନ୍ଦ୍ର ଭାବରେ କାର୍ଯ୍ୟକରୁଛି । ଏହି ଚିକିତ୍ସା କେନ୍ଦ୍ରଗୁଡିକ ସହିତ କଟକ ଶିଶୁ ଭବନ ଓ ଓଲଟପୁରର ନିର୍ତାରରେ ଚିକିତ୍ସା ସୁବିଧା ରହିଛି ।
ଜନ୍ମପରବର୍ତି ସମୟରେ ବଙ୍କାପାଦ ଶିଶୁଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ସହିତ କିଓର ସଂସ୍ଥା ଆବଶ୍ୟକ ପଡୁଥିବା ସ୍ୱତନ୍ତ୍ର ଯୋତା ଯୋଗାଇ ଦେବ । ଏହି ଯୋତାକୁ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ପିନ୍ଧିବାକୁ ପଡିବ । ବଙ୍କାପାଦ ଚିକିତ୍ସା ଲାଗି ରାଜ୍ୟ ସରକାର ଆବଶ୍ୟକ ସମସ୍ତ ଭିତିଭୂମି ଯୋଗାଇ ଦେବେ । ଏହି ଚିକିତ୍ସା ସମ୍ପୂର୍ଣ୍ଣ ଭାବରେ ବିନାମୂଲ୍ୟରେ ଯୋଗାଇ ଦିଆଯିବ । ଏଥି ସହିତ ବଙ୍କାପାଦ ଚିକିତ୍ସା ସଂପର୍କରେ ଲୋକଙ୍କୁ ଏହି ସଂସ୍ଥା ରାଜ୍ୟ ସରକାରଙ୍କ ସହଯୋଗରେ ସଚେତନ କରାଇବ ।
୨୦୧୨ ମସିହବାରୁ ରାଜ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ୨୬୨୮ ବଙ୍କାପାଦ ଶିଶୁଙ୍କୁ ଚିକିତ୍ସା ସହିତ ମାଗଣା ଯୋତା ଯୋଗାଇ ଦିଆଯାଇଛି । କିଓର ସଂସ୍ଥା ସହ ଆଜି ଚୁକ୍ତିନାମା ନବୀକରଣ ହୋଇଥିବାବେଳେ ଆଗାମୀ ୨୦୨୦ ମଧ୍ୟରେ ଅନ୍ୟୁନ ୩୦୦୦ ବଙ୍କାପାଦ ଶିଶୁଙ୍କୁ ଚିକିତ୍ସା ସୁବିଧା ଯୋଗାଇବାର ଲକ୍ଷ୍ୟ ରହିଛି ।