କଂଗ୍ରେସ ର ସିଏଏ-ଏନଆରସି ବିରୋଧ ର‌୍ୟାଲି ସମୟରେ ଉତ୍ତେଜନା ।

ସୁନ୍ଦରଗଡ,୧୨ ।୦୧(ହଲଚଲ୍ ନ୍ୟୁଜ୍/ଆଲୋକ ବେହେେରା)- ଦେଶରେ ସିଏଏ ଏବଂ ଏନଆରସ ର ପ୍ରତିବାଦ ଏବଂ ସପକ୍ଷରେ ଶୋଭାଯାତ୍ରା ବିକ୍ଷୋଭ ଆଦି ଲାଗି ରହିଛି । ଅନେକ ସ୍ଥାନରେ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମଧ୍ୟରେ ତକ୍ତତା ବଢୁଥିବା ଲକ୍ଷ କରାଯାଉଛି । ଆଜି ସ୍ଥାନୀୟ ନାରିକଲ୍ୟାଣ କେନ୍ଦ୍ରରୁ ସିଏଏ ଓ ଏନଆରସି କୁ ବିରୋଧ କରି ଆଦିବାସୀ କଂଗ୍ରେସ ନେତା ଜର୍ଜ ତିର୍କି ଓ ପ୍ରଫୁଲ୍ଲ ମାଝୀଙ୍କ ନେତୃତ୍ୱରେ ଏକ ର‌୍ୟାଲିର ଆୟୋଜନ କରାଯାଇଥିବା ବେଳେ ସ୍ଥାନୀୟ ଡିଆରଡିଏ ଛକ ଠାରେ ଏହି ର‌୍ୟାଲିକୁ ବିରୋଧ କରିଥିଲେ ହିନ୍ଦୁ ଏକତା ମଂଚର ସଦସ୍ୟ । ଏହି ସମୟରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରୁଥିବା ଜଣେ ଯୁବକଙ୍କ ସହ କିଛି ଯୁବକ ମାଡପିଟ କରିବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପରେ ପୋଲିସର ହସ୍ତକ୍ଷେପ ପରେ ଉଭୟ ଗୋଷ୍ଠୀ ପାଟିତୁଣ୍ଡରୁ ଓହରିଥିଲେ ମଧ୍ୟ ଉତ୍ତେଜନା ଅନେକ ସମୟ ଧରି ଲାଗି ରହିଥିଲା । ପ୍ରାୟ ୧ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲେ ବେଳେ ପୋଲିସକୁ ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ ନାକେଦମ ହେବାକୁ ପଡିଥିଲା ।
ଆଜି କଂଗ୍ରେସ ତରଫରୁ ଆୟୋଜିତ ଏହି ର‌୍ୟାଲିରେ ୫ ଶହରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମି ଓ ସିଏଏ-ଏନଆରସି ବିରୋଧୀ ଯୋଗ ଦେଇ ନଗର ପରିକ୍ରମା କରିଥିଲେ । ନାରୀ କଲ୍ୟାଣ କେନ୍ଦ୍ରରୁ ଏହି ର‌୍ୟାଲି ବାହାରି ହସ୍ପିଟାଲ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଏବଂ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଦିଆଯାଇଥିଲା । ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଡିଆରଡିଏ ଛକରେ ହିନ୍ଦୁ ଏକତା ମଂଚର କିଛି ଯୁବକ ବିଭିନ୍ନ ସ୍ଲୋଗାନ ଦେଇ ର‌୍ୟାଲିର ବିରୋଧ କରିଥିବା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ର‌୍ୟାଲିରେ କଂଗ୍ରେସ ନେତା ବେଣୁମାଧବ ତ୍ରିପାଠୀ, ରାଜକିଶୋର ଷଡଙ୍ଗୀ, ପ୍ରଫୁଲ୍ଲ ସୁନାନୀ, ଅମିତା ବିଶ୍ୱାଲ, ସଂଜୟ ସିଂ, ମଣ୍ଟୁ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁ ଏକତା ମଂଚ ପାଖରେ ପୋଲିସ ଅନୁମତି ନଥିଲା
ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ହିନ୍ଦୁ ଏକତା ମଂଚ ତରଫରୁ ସିଏଏ ସପକ୍ଷରେ ର‌୍ୟାଲି କରାଯିବା ପାଇଁ ପୋଲିସକୁ ଅନୁମତି ମଗା ଯାଇଥିଲା । ତେବେ କଂଗ୍ରେସ ପ୍ରଥମେ ସିଏଏ ବିରୋଧରେ ର‌୍ୟାଲି ପାଇଁ ଅବେଦନ କରି ଅନୁମତି ପାଇ ସାରିଥିବାର କୌଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ହିନ୍ଦୁ ଏକତା ମଂଚକୁ ଅନୁମତି ଦେଇ ନଥିଲା । ତେବେ ହିନ୍ଦୁ ଏକତା ମଂଚ ତରଫରୁ କୌଣସି ର‌୍ୟାଲି କରାଯାଇ ନଥିଲେ ମଧ୍ୟ ମଂଚର ସଦସ୍ୟମାନେ ଡିଆରଡିଏ ଛକରେ ଏକତ୍ରିତ ହୋଇ ନାରାବାଜି କରିଥିଲେ ।

ସେମାନେ ଯାହା କୁହନ୍ତି
ଜନାର୍ଦନ ପାଣୀଗ୍ରାହୀ- ହିନ୍ଦୁ ଏକତା ମଂଚ- ଭାରତ ଅନେକ ୧୯୪୭ ରେ ବ୍ରଟିଶଙ୍କ ଠାରୁ ସ୍ୱାଧୀନତା ହାସଲ କରିଥିବା ବେଳେ କଂଗ୍ରେସ ଆଜାଦି ର ନାରା ଲଗାଇବା ନିନ୍ଦନୀୟ । କଂଗ୍ରେସ ଭଳି ଏକ ରଷ୍ଟ୍ରୀୟ ଦଳକୁ ଏଭଳି ଗତିବିଧୀ ଶୋଭା ଦିଏ ନାହିଁ ।

ଜର୍ଜ ତିର୍କି- କଂଗ୍ରେସର ପୁର୍ବତନ ବିଧାୟକ – ର‌୍ୟାଲିରେ କୌଣସି ପ୍ରକାର ଦେଶ ବିରୋଧି ନାରା ଲଗାଯାଇ ନାହିଁ । ଏବଂ କଂଗ୍ରେସର ଏହି ର‌୍ୟାଲିକୁ ଭନ୍ଡୁର କରିବା ପାଇଁ ଏଭଳି ମିଥ୍ୟା ଅଭିଯୋଗ କରି କଂଗ୍ରେସ କର୍ମିଙ୍କୁ ସେମାନେ ବାଡେଇଛନ୍ତି ।
ପ୍ରଫୁଲ୍ଲ ସୁନାନୀ- କଂଗ୍ରେସ ନେତା- ବାପୁ ଓାଲି ଆଜାଦି, ଭଗତ ସିଂ କି ଆଜାଦି, ଆରଏସଏସ୍ ସେ ଆଜାଦି କିପରି ଦେଶ ବିରୋଧି ହେଲା? ଯଦି ଏହା ଦେଶ ବିରୋଧୀ ତେବେ ଆଇନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ନାଁ ହିନ୍ଦୁ ଏକତା ମଂଚ? ସେମାନଙ୍କୁ ଆଇନ କୁ ହାତକୁ ନେବାପାଇଁ ଅଧିକାର କିଏ ଦେଲା?