ଲଇକେରା ନିକ୍ତିମାଲରେ ରାତାରାତି ଜେସିବି ଲଗାଇ ସାଗୁଆନ ଗଛ ଗୁଡିକୁ କାଟିଦେଲେ ସରପଞ୍ଚ ! ବନବିଭାଗ ଚୁପ ?

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା : ଜଙ୍ଗଲ ବିଭାଗରେ ଜଙ୍ଗଲୀ ଶାସନ ! ବିକାଶ ନାଁ ରେ ବିନାଶ । ଦେଖୁ ଦେଖୁ ଅଧିକାରୀଙ୍କ ଆଖି ଆଢୁଆଳରେ ଜଙ୍ଗଲ ସଫା । ବେଆଇନ ଗଛ କଟାକୁ ନେଇ ଏବେ ଗ୍ରାମବାସୀ ଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗଛ ହେଉଛି ଜୀବନ । ମାନବ ସମାଜ ସବୁ ଜାଣି ମଧ୍ୟ ଏହାକୁ କାଟିବା ଲାଗି ପଛାଉ ନାହିଁ । ଫଳରେ ପରିବେଶ ଖରାପ ହେବା ସହ ବିଶୁଦ୍ଧ ଅମ୍ଳଯାନ ପାଇବା ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଖାଲି ସେତିକି ନୁହେଁ ଗଛ ମଣିଷଙ୍କ ବିଭିନ୍ନ ସହାୟତା ମଧ୍ୟ କରିଥାଏ। ତଥାପି ନିଜର ସୁବିଧା ଲାଗି ଗଛ ଗୁଡିକୁ କାଟୁଛନ୍ତି ଗ୍ରାମର ସରପଞ୍ଚ । ଆଉ ଏଭଳି ଗଛ କଟା ଅଭିଯାନ ଚାଲିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ନିକ୍ତିମାଲ ଗ୍ରାମପଞ୍ଚାୟତର ଘନଗୁଡା ଜଙ୍ଗଲରୁ । ଆଉ ଏନେଇ ଲିଖିତ ଅଭଯୋଗ ହୋଇଛି କୋଲାବିରା ବନବିଭାଗ ଅଧିକାରୀଙ୍କ ନିକଟରେ । ସୂଚନାଯୋଗ୍ୟ ଯେ ନିକ୍ତିମାଲ ଗ୍ରାମର ଘନଗୁଡ଼ା ଜଙ୍ଗଲରେ ସାଗୁଆନ ଗଛରେ ଭରପୁର ଭାବେ ନର୍ସରି ବଗିଚା ରହିଥିଲା ଓ ଏହି ନର୍ସରି ବଗିଚାକୁ ଲାଗି ଗ୍ରାମ୍ୟ ଜଙ୍ଗଲ ରହିଛି । ଏହି ଜଙ୍ଗଲରେ ସାଗୁଆନ ଗଛ ସହ ଅନେକ ମୂଲ୍ୟବାନ ଗଛ ରହିଥିଲା । ଯାହାକୁ ନିକ୍ତିମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ତରୁଣ ପ୍ରଧାନ ଚାରିପାଞ୍ଚ ଦିନ ଧରି ରାତ୍ରି ସମୟରେ ଗଛ ଗୁଡିକ କାଟି ଜେସିବି ମେସିନ ସାହାଯ୍ୟରେ ଚେର ଗୁଡିକୁ ଉଫାଡ଼ି ପ୍ରମାଣ ନଷ୍ଟ କରିବା ପାଇଁ ତା ଉପରେ ମାଟି ପକାଇଛି । ପ୍ରାୟ ୭ଏକର ଜମିର ଚାରାରୋପଣରେ ୨ଫୁଟ ଗାତ ମଧ୍ୟ ଖୋଲାଯାଇଥିବା ନେଇ ଗ୍ରାମବାସୀ କୋଲାବିରା ବନବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।