ଆମର୍ ଇଲାକାର୍ ମହାଦେବ୍ (ହଲଚଲ୍ ନ୍ୟୁଜ୍)

ଏବେ ଶ୍ରାବଣ ସୋମବାର ଆମେ ଜୋରସୋରରେ ପାଳନ କରୁଛେ । ତେବେ ଆମ ଇଲାକାର ମହାଦେବଙ୍କ ଉପରେ କୁଛି ଜାଣିବା ଜରୁରୀ ଅଟେ ।

ଆଦିବାସୀ ବହୁଳ ଗାଙ୍ଗପୁର ରାଜ୍ୟରେ ମହାଦେବ ପୂଜା ବହୁ ପ୍ରାଚୀନ ହୋଇଥିବା ବେଳେ ଉଷାକୋଠିର ପୂର୍ବପଟେ ରହିଥିବା ପର୍ବତ ଉପରେ ଭଗବାନ ଶ୍ରୀରାମ ତାଙ୍କ ବନବାସ ସମୟରେ ଶିବପୂଜା କରିଥିବାର କିମ୍ବଦନ୍ତୀ ରହିଛି । ତେବେ ଗାଙ୍ଗପୁର ଅଂଚଳରେ କେଶରୀ ରାଜତ୍ୱ ପୂର୍ବରୁ ଆଦିବାସୀ ସଂପ୍ରଦାୟ ଶାକ୍ତ ପୂଜା କରୁଥିଲେ । ବିଶେଷ ଭାବେ ସ୍ଥାନୀୟ ଭୂୟାଁ ମାନେ ଶାକ୍ତ ପୂଜା ଆରମ୍ଭ କରିଥିବାର ଅନେକ ପ୍ରାକ୍ ଐତିହାସିକ ତଥ୍ୟ ରହିଥିବା ବେଳେ ପ୍ରାୟ ନବମ ଶତାଦ୍ଦୀ ବେଳକୁ କେଶରୀ ବଂଶ ହେମଗିର ଓ ବେଲସରା ଅଂଚଳରେ ରାଜ୍ୟ ପ୍ରତିଷ୍ଠା ପରେ ଶିବ ପୂଜାର ପ୍ରସାର ଘଟିଥିଲା ।ହେମଗିର ଜୁନାଗଡ଼ ଦୁର୍ଗରେ ସେତେବେଳର ରାଜାରାଣୀଙ୍କ ଦ୍ୱାରା ପ୍ରତିଷ୍ଠିତ ପଥର ଖୋଦେଇ ଶିବଲିଙ୍ଗ ଅଦ୍ୟାବଧି ଅକ୍ଷତ ଅବସ୍ଥାରେ ରହିଛି । ପରବର୍ତୀ ସମୟରେ ଜୁନାଗଡ଼ ପାଦଦେଶ ତଥା ସୁଖାବନ୍ଧ ଠାରେ ଏକ ଶିବ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଯାହା ଆଜି ଝାଡ଼େଶ୍ୱର ମହାଦେବ ଭାବେ ପରିଚିତ । ଏହାର ପ୍ରାଚୀନ ମନ୍ଦିର କେଶରୀ ରାଜତ୍ୱ ସମୟରେ ନିର୍ମାଣ ହୋଇଥିଲେ ସୁଦ୍ଧା ପରବର୍ତୀ ସମୟରେ ହେମଗିର ଜମିଦାର ଏବଂ ଗାଙ୍ଗପୁର ରାଜାଙ୍କ ଦ୍ୱାରା ପୁର୍ନନିର୍ମାଣ ହୋଇଥିଲା । ଏବେ ସ୍ଥାନୀୟ ଭକ୍ତ ମାନଙ୍କ ଦ୍ୱାରା ଏହାର ବିଶେଷ ବିକାଶ ହୋଇ ପାରିଛି । ସେହିଭଳି ବେଲସରା ଠାରେ ମଧ୍ୟ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ସେହି କେଶରୀ ରାଜାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବେଳେ ପରବର୍ତୀ ସମୟ ମାନଙ୍କରେ ଏହାର ଉନ୍ନତି ଘଟିଛି ।ରାଜଗାଙ୍ଗପୁରର ଘୋଗରେଶ୍ୱର ଏବଂ ମଝାପଡ଼ାର ମେଢେଶ୍ୱର ମହାଦେବଙ୍କ ମନ୍ଦିର ମଧ୍ୟ ସ୍ଥାନୀୟ ଗାଙ୍ଗପୁର ରାଜବଂଶ ଦ୍ୱାରା ପ୍ରଥମେ ପ୍ରତିଷ୍ଠା ହୋଇଥିବାର ଜଣାଯାଏ । ତେବେ ପ୍ରାୟତଃ ଏହି ମନ୍ଦିର ଗୁଡ଼ିକର ପୂଜା ଅର୍ଚ୍ଚନା ଦାୟିତ୍ୱ ରାଜା ମାନେ ସ୍ଥାନୀୟ ଭୂୟାଁ ବଂଶଜଙ୍କୁ ଦାୟିତ୍ୱ ଦେଇଥିଲେ । ଯାହାକି ପୁରୁଷାନୁକ୍ରମିକ ହିସାବରେ ଅଦ୍ୟାବଧି ଅନେକ ମନ୍ଦିରରେ ପୂଜା ଦାୟିତ୍ୱ ସେମାନେ ତୁଳାଇ ଆସୁଛନ୍ତି । ପରେ ପରେ ସମଗ୍ର ରାଜ୍ୟରେ ଅନେକ ଶିବ ମନ୍ଦିର ପ୍ରତିଷ୍ଠା ହୋଇଥିଲା ଏବଂ ଶିବପୂଜା ପ୍ରାଧାନ୍ୟ ବିସ୍ତାର କରିଥିଲା । ଏହି ସବୁ ମନ୍ଦିର ଗୁଡ଼ିକକୁ ନେଇ ରହସ୍ୟ ଓ ରୋମାଞ୍ଚକର ଇତିହାସ, କିମ୍ବଦନ୍ତୀ ଏବଂ ଲୋକକଥା ଶୁଣିବାକୁ ମିଳିଥାଏ ।
ଏହାଛଡ଼ା ଗାଙ୍ଗପୁର ଅଂଚଳେରେ ଆହୁରି ଅନେକ ମନ୍ଦିର ଏବେ ରହିଛି । ତନ୍ମଧ୍ୟରୁ ଉଷାକୋଠି, ସର୍ଗିପାଲିର ଜଳନ୍ଧର ମହାଦେବ, ସୁନ୍ଦରଗଡ଼ର ଚନ୍ଦ୍ରଶେଖର ମହାଦେବ, କୁଣ୍ଡୁକେଳା, ଭାଲୁଗାଡ଼, ଦେଉଳି , ବାଲିଶଙ୍କରାର ଶୁଖାମହାଦେବ ଆଦି ଶିବ ମନ୍ଦିର ମାନଙ୍କରେ ମହାଶିବରାତ୍ରି ଓ ଶ୍ରାବଣମେଳା ବହୁ ଧୁମ୍ଧାମ୍ରେ ପାଳିତ ହୋଇଥାଏ । ସ୍ଥାନୀୟ ଭକ୍ତ ତଥା ଜନସାଧାରଣଙ୍କ ସମେତ ପଡ଼ୋଶୀ ଜିଲ୍ଲା ଏବଂ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ମଧ୍ୟପ୍ରଦେଶ ଅଂଚଳରୁ ହଜାର ହଜାର ଭକ୍ତ ଏହି ମନ୍ଦିର ମାନଙ୍କୁ ଆସି ଜଳାଭିଷେକ କରିଥାନ୍ତି ।
ତେବେ ସ୍ଥାନୀୟ ଶିବାଳୟ ଗୁଡ଼ିକ ପ୍ରାୟତଃ ଝରଣା, ପାହାଡ଼ ଓ ଜଙ୍ଗଲ ନିକଟରେ ରହିଥିବାରୁ ପ୍ରାକୃତିକ ଶୋଭାରାଜି ଭକ୍ତ ଏବଂ ଦର୍ଶକଙ୍କ ମନ ଓ ହୃଦୟକୁ ବେଶ୍ ଆକର୍ଷିତ କରିଥାଏ । ଏହି ମନ୍ଦିର ଗୁଡ଼ିକର ଉକ୍ରୃଷ୍ଟ ଭିତ୍ତିଭୂମି ରହିଥିିବା ସ୍ଥଳେ ବଳିଷ୍ଠ କିମ୍ବଦନ୍ତୀ ଓ ଐତିହାସିକ ପୃଷ୍ଠଭୂମି ଯୋଗୁଁ ସେଗୁଡ଼ିକ ପର୍ଯ୍ୟଟନ ମାନ୍ୟତା ପାଇବାର ହକ୍ଦାର ଅଟେ । ଏଣୁ ଏ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ବିଧେୟ ।

Leave a Reply

Your email address will not be published. Required fields are marked *