ପେସା ସଙ୍ଗଠନ ପକ୍ଷରୁ ୨ଦଫା ଦାବିପତ୍ର ପ୍ରଦାନ

ମୟୁରଭଞ୍ଜ,(ହଲଚଲ୍ ନ୍ୟୁଜ୍)-୨ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ କରିଛି ପେସା ଗ୍ରାମସଭା ସଂଗଠନ। କାହିଁ କେଉଁ କାଳରୁ ଶିମିଳିପାଳ ନିଷିଦ୍ଧାଞ୍ଚଳରେ ବସବାସ କରିଆସୁଥିବା ଆଦିବାସୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଥିବା ପ୍ରତିବାଦରେ ଏଭଳି ପଦକ୍ଷେପ ନେଇଛି ପେସା ସଂଗଠନ। ଅନ୍ୟପଟେ ରାଜ୍ୟ ଓ କେନ୍ଦ୍ର ସରକାର ଶିମିଳିପାଳ ଜାତୀୟଉଦ୍ୟାନର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟକାରିତା ନିମନ୍ତେ ବିପୁଳ ଆର୍ଥିକ ଅନୁଦାନ ଯୋଗାଇ ଦେଉଥିବା ବେଳେ ବନବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏଥିରେ ଅନ୍ତରାୟ ସାଜିଥିବା ଭଳି ସଙ୍ଗୀନ ଅଭିଯୋଗ ବିଭିନ୍ନ ସମୟରେ ହୋଇଆସୁଛି। ଫଳରେ ବେଆଇନ ଭାବେ ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ପଥର ମାଫିଆ ମାନଙ୍କ ଇଙ୍ଗିତରେ ପାହାଡ ଭାଙ୍ଗି ପଥର ସଂଗ୍ରହ କରିବାକୁ ଦିନରାତି ଡ଼ିନାମାଇଟ ବିସ୍ଫୋରଣ କରାଯିବା ସହିତ କ୍ରସର ଚାଲୁଥିବା ଭଳି ଘଟଣା ଜିଲ୍ଲା ପ୍ରଶାସନ ଓ ବନବିଭାଗ କୁ ଅଛପା ନାହିଁ। ଅପରପକ୍ଷରେ ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହି ପାହାଡକୁ ତାଙ୍କର ଦେବତା ଭାବେ ପୂଜା କରିବା ସହିତ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥାନ୍ତି। ତଥାପି ତାଙ୍କୁ ବିସ୍ଥାପନ ପାଇଁ ସରକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପକୁ ନାପସନ୍ଦ କରି ବିରୋଧ କରିଛନ୍ତି ମୂଳବାସୀ। ଯୋଉଥିପାଇଁ ଆଦିବାସୀମାନେ ନିଜ ସମ୍ପ୍ରଦାୟର ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଏକ ବିରାଟ ଶୋଭାଯାତ୍ରାରେ ସହରର ବିଭିନ୍ନ ଦିଗରୁ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉକରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ପେସା ସଙ୍ଗଠନ। ୫ଅନୁସୂଚିତ ଜନଜାତି ବର୍ଗର ମୂଳବାସୀଙ୍କୁ ଇକୋ ସେନସିଟିଭ ଯୋନ ବାହାନାରେ ଶିମିଳିପାଳରେ ବସବାସ କରୁଥିବା ଜଙ୍ଗଲ ଜମିରୁ ଉଛେଦ କରାଯିବାକୁ ବିରୋଧ କରିବା ଏବଂ ୧୯୯୬ର ବ୍ୟବସ୍ଥା ଅନୁଯାୟୀ ପେସା ଗ୍ରାମସଭା ଆଇନକୁ କାର୍ଯ୍ୟକାରୀ କରାଯିବା ଭଳି ୨ଦଫା ଦାବି ଉପସ୍ଥାପନ କରିଛି ପେସା ସଙ୍ଗଠନ। ପରେ ଜିଲ୍ଲାପାଳଙ୍କ ଜରିଆରେ ୨ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି। ତେବେ ପେସା ଆଇନକୁ ଗ୍ରାମସଭାରେ ସାମିଲ କରାନଗଲେ ଏବଂ ଜଙ୍ଗଲଜମି ଉଚ୍ଛେଦ ବନ୍ଦ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇ କହିଛନ୍ତି ପେସା ସଂଗଠନ ପ୍ରତିଷ୍ଠାତା।