ଝାରସୁଗୁଡ଼ା : ମୁଦ୍ରାଜୋର ସି.ଏଚ.ସି ରେ ୬୦ ହଜାର ଲୋକଙ୍କୁ ଜଣେ ଆୟୁଷ ଡାକ୍ତର ! ଡ଼ାକ୍ତର ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା : ସୁସ୍ଥ ସମାଜରେ ଅସୁସ୍ଥ ହୋଇ ଦୋହଲୁଛି ଝାରସୁଗୁଡ଼ା ଜିଲ୍ଲା ସ୍ୱାସ୍ଥ୍ୟନୀତି । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୁଷ୍ଟଗ୍ରହ ନଜର ଲାଗିଥିବା କଥାକୁ ମାନିବାକୁ ହେବ । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୧ଟି ଗ୍ରାମପଞ୍ଚାୟତର ପାଖାପାଖି ୬୦୦୦୦ ଲୋକ ନିର୍ଭର କରୁଥିବା ବେଳେ ଡ଼ାକ୍ତର ଅଭାବ ଯୋଗୁଁ ସ୍ଵାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହୁଛନ୍ତି ଏବଂ କ୍ୱାକ ମାନଙ୍କ ଠାରେ ଲୁଟି ହେଉଛନ୍ତି ରୋଗୀ । ଦୀର୍ଘବର୍ଷ ହେଲା ଅଧିକାରୀଙ୍କ ଖାମଖିଆଳି ନୀତି ଯୋଗୁଁ ଅଚଳ ଅବସ୍ଥାରେ ରହିଥିବା ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ସରକାରଙ୍କ ଅଧିକାରୀ ମାନେ ଏପରି ଅଣଦେଖା କରିଚାଲିଛନ୍ତି ଯାହାଦ୍ୱାରା ସ୍ଥାନୀୟ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ସ୍ୱଚ୍ଛତାର ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟ ହେଉଛି ପ୍ରମୁଖ ସମସ୍ୟା ଏହାକୁ ଦୃଷ୍ଟିରେ ରଖୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲି ଚାଲିଛନ୍ତି ଆଧୁନିକ ମାନ୍ୟତା ପ୍ରାପ୍ତ କ୍ୱାକ କେନ୍ଦ୍ର ସାଙ୍ଗକୁ ଅବହେଳିତ ଚିକିତ୍ସା । ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅପାରଗତା ହେଉ ଅବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମାନବ ଚେତନା ବିରୋଧୀ ଯୋଗୁଁ ବର୍ଷବର୍ଷ ହେବ କ୍ୱାକ ମାନଙ୍କ ଠାରେ ଶୋଷି ହେଉଛନ୍ତି ରୋଗୀ ।

Loading…

ଚିକିତ୍ସାଲୟ ଗୁଡିକ ଫାର୍ମାସିଷ୍ଟ ଓ ଆୟୁଷ ଡ଼ାକ୍ତର ଙ୍କ ହାତରେ ସମସ୍ତ ଦାୟିତ୍ୱ ଅର୍ପଣ କରି ଚୁପ ବସିଛି ବିଭାଗ । ଫଳରେ ଗ୍ରାମାଞ୍ଚଳର ରୋଗୀମାନେ ନିଜ ହାତପାନ୍ତାରେ ଥିବା ସରକାରୀ ଡ଼ାକ୍ତରଖାନାର ସୁବିଧାକୁ ପଛକରି କ୍ୱାକ ମାନଙ୍କ ପାଖକୁ ଦୌଡୁଛନ୍ତି ରୋଗୀ । ସରକାରଙ୍କ ନିରାମୟ ଯୋଜନା ଠାରୁ ଆରମ୍ଭ କରି ମ୍ୟାଲେରିଆ ନିରାକରଣ ବ୍ୟବସ୍ଥା, ମମତା ଯୋଜନା, ଜନନୀ ସୁରକ୍ଷା ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ଭଳି ବହୁ ଜନହିତକାରି ଯୋଜନାର ବିଫଳତାକୁ ସଫଳତା ରୂପଦେଇ କେବଳ କାଗଜ କଲମରେ ଦେଖାଇ ମାସକୁ ମାସ ରାଜକୋଷରରୁ ଟଙ୍କା ଲୁଟିବାରେ ଲାଗିଛନ୍ତି ଅଧିକାରୀ । ସ୍ୱାସ୍ଥ୍ୟ ବିଭାଗ ଯଦି ଉତ୍ତମ ମାନର ଚିକିତ୍ସା ଯୋଗାଇବାକୁ ଚାହୁଁଛନ୍ତି ତେବେ, ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସା କରୁଥିବା ଡ଼ାକ୍ତର ମାନଙ୍କ ସହ ଆଲୋଚନା କରି ପର୍ଯ୍ୟାପ୍ତ ଡାକ୍ତର ନିଯୁକ୍ତି ସହ ଡ଼ାକ୍ତର ମାନେ କେଉଁଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ସରକାର ବିଚାର କରିବା ଉଚିତ । ଡ଼ାକ୍ତର ମାନଙ୍କୁ ଗ୍ରାମାଞ୍ଚଳରେ ନିଯୁକ୍ତି ଦେଇଥିବା ବେଳେ ସେହି ଡାକ୍ତର ମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଉଥିବାରୁ ଗ୍ରାମାଞ୍ଚଳରେ ଥିବା ଡ଼ାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡୁଛି । ସେହି ଡ଼ାକ୍ତର ମାନେ ଯଦି ରାତ୍ରିସାରା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରନ୍ତି ଆଉ ପୁଣି ସକାଳୁ ଗ୍ରାମାଞ୍ଚଳରେ ଥିବା ଡାକ୍ତରଖାନାରେ କେମିତି ଚିକିତ୍ସା କରିବେ, ତେବେ ଡ଼ାକ୍ତର ମାନେ ସୋଇବେ କେତେବେଳେ ଓ ଚିକିତ୍ସା କରିବେ କେମିତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ଜଣେ ଡ଼ାକ୍ତର ଯଦି ରାତ୍ରିସାରା ଚିକିତ୍ସା କରି ପୁଣି ଦିନସାରା ଚିକିତ୍ସା କେମିତି କରିବେ କାରଣ ସେମାନେ ବି ମଣିଷ । ତା ସାଙ୍ଗକୁ ସରକାର ଡ଼ାକ୍ତରଖାନାକୁ ପରିଦର୍ଶନ କରି ଡାକ୍ତରଖାନା ଗୁଡିକରେ କଣ କଣ ଦରକାର ଓ କଣ କଲେ ଜନସାଧାରଣ ଭଲଭାବରେ ଚିକିତ୍ସା ପାଇ ପାରିବେ ତା ଉପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହେଉଛି । ମୁଦ୍ରାଜୋର ସରକାରୀ ସି.ଏଚ.ସି.ରେ ଡାକ୍ତର ନିଯୁକ୍ତି ପାଇଥିବା ବି.ବି. ବିଶ୍ୱାଳଙ୍କୁ ସିଡିଏମଓ ଙ୍କ ସ୍ପେଶାଳ ଫଣ୍ଡରୁ ଦରମା ପାଉଥିବା ବେଳେ ଚିକିତ୍ସା ନ କରି ଝାରସୁଗୁଡ଼ା ସ୍ଥିତ ମା ସମଲେଶ୍ବରୀ କ୍ଲିନିକରେ ଚିକିତ୍ସା କରୁଥିବାରୁ ଅଞ୍ଚଳରେ ନାନାପ୍ରକାର ଚର୍ଚ୍ଚା ହେଉଛି । କେବଳ କାଗଜ କଲମରେ ଡ଼ାକ୍ତର ଥିବା ଜଣାପଡୁଥିବା ବେଳେ ଡ଼ାକ୍ତର ଦୀର୍ଘ ୨ମାସରୁ ଉର୍ଦ୍ଧ ହେବ ଦେଖାଦେଉ ନାହାନ୍ତି କରୁଛନ୍ତି ଏହି ଅନ୍ଧାରି ଡାକ୍ତର । ଆଉ ଏଭଳି ଡ଼ାକ୍ତର ମାନଙ୍କୁ ଯଦି ନିଯୁକ୍ତି ଦିଆଯାଉଛି ତେବେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଫଳ ଲୋକମାନେ କିଭଳି ପାଇବେ ଓ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ସରକାର ଯେଉଁ ସପ୍ନ ଦେଖୁଛନ୍ତି ତାହା କେମିତି ପୂରଣ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଦେଖାଯାଏ ଯେ ଜଣେ ଶିକ୍ଷକ ସ୍କୁଲକୁ ଅଧଘଣ୍ଟା ବିଳମ୍ବରେ ପହଁଚିଲେ ତା ପ୍ରତି ବିଭାଗୀୟ ଅଧିକାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ, ଜଣେ ଡ଼ାକ୍ତର ଗୋଟିଏ ଡାକ୍ତରଖାନାରେ ନିଯୁକ୍ତି ପାଇ ଏକ ପ୍ରାଇଭେଟ କ୍ଲିନିକ ଖୋଲି ବର୍ଷବର୍ଷ ଧରି ଅନ୍ୟତ୍ର ରୋଗୀ ସେବା କରୁଥିଲେ ମଧ୍ୟ ସରକାର ଜାଣିଶୁଣି ତା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ଏ ଦିଗରେ ଝାରସୁଗୁଡ଼ା ଜିଲ୍ଲାର ବିଧାୟକ ତଥା ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିଜେ ତଦାରଖ କରି ଅତିବେଶୀରେ ଝାରସୁଗୁଡ଼ା ଜିଲ୍ଲାର ସ୍ୱାସ୍ଥ୍ୟନୀତିକୁ ସୁଧାରିବା ପାଇଁ ଝାରସୁଗୁଡ଼ାବାସୀ ଦାବି କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଝାରସୁଗୁଡ଼ା ଜିଲ୍ଲା ସ୍ୱାସ୍ଥ୍ୟନୀତି କେବେ ସୁଧୁରୁଛି ।

Loading…