ବୀର୍ ମାଟି “ମାଟିମଖା”

 

(ହଲଚଲ୍ ନ୍ୟୁଜ୍ ଆଣ୍ଡ ଫିଚର)

ଗାଙ୍ଗପୁର ଗଡ଼ଜାତ ତଥା ସର୍ଗିପାଲି ଜମିଦାରଙ୍କ ଖମାର ଗାଁ ହେଉଛି ତିଲିଆ । ସୁନ୍ଦରଗଡ଼ ସଦର ମହକୁମା ଠାରୁ ଉତର-ପୂର୍ବ କୋଣକୁ ପ୍ରାୟ ୫୦ କି.ମି. ଦୂରରେ ବାଲିଶଙ୍କରା ତହସିଲ ଅନ୍ତର୍ଗତ ଶାଗବାହାଲ ପଂଚାୟତରେ ଅବସ୍ଥିତ ।ଏହି ଗାଁ ଟି ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତରେ ଅବସ୍ଥିତ ।
ଘୋର ଜଙ୍ଗଲ ଓ ପାହାଡ଼ରେ ପରିପୂର୍ଣ୍ଣ ତିଲିଆ ଠାରେ ଗାଙ୍ଗପୁର ଗଡ଼ଜାତ ସମୟରୁ ଏକ ପ୍ରାଚୀନ କିମ୍ବଦନ୍ତୀ ତଥା ସ୍ୱାଧୀନତା ଆନ୍ଦୋଳନର ଏକ ଐତିହାସିକ ସ୍ମୃତିପୀଠ ଲୋକଲୋଚନକୁ ଆସିବା ପରିବର୍ତେ ସୁପ୍ତ ହୋଇ ରହିଯାଇଛି ଇତିହାସର ସମାଧି ଭିତରେ ।
ତିଲିଆରେ ବିଶେଷ ଭାବେ ଭୂୟାଁ, କୁଅଁର ସମେତ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ବସବାସ କରନ୍ତି । ଏହା ଏକ କୃଷି ପ୍ରଧାନ ଗାଆଁ । ଗାଁ ର ଚାରିପଟେ ସୁଉଚ୍ଚ ପାହାଡ଼ ଓ ଘାଟୀ ରହିଛି । ଏହାର ଉତର-ପୂର୍ବ କୋଣରେ ଲମ୍ବିଯାଇଛି ପୁଞ୍ଜିପଥର ଘାଟୀ । ଏହି ଘାଟୀ ରାଜାମହାରାଜା ଶାସନ ସମୟରୁ ଇଂରେଜ ଶାସନ ପର୍ଯ୍ୟନ୍ତ ବିହାର ଓ ମଧ୍ୟପ୍ରଦେଶ ଅଂଚଳ ସହିତ ଗାଙ୍ଗପୁର ରାଜ୍ୟର ଯୋଗାଯୋଗ ତଥା ଡ଼ାକ ବ୍ୟବସ୍ଥାର କେନ୍ଦ୍ର ଥିଲା ।
ସେହି ପର୍ବତ ଘାଟୀରେ ରହିଛି ବୀରମାଟି “ମାଟିମଖା” ଜମିଦାରୀ ସମୟରେ ବୀର ମାନେ ଏଠିକାର ମାଟି ମାଖି କୁଆଡ଼େ ମହାବଳୀୟାନ ହୋଇଯାଉଥିବାର ଲୋକକଥା ରହିଛି । ତେଣୁ ସ୍ଥାନଟିର ନାମ ମାଟିମଖା ହୋଇଛି । ମାଟିମଖା ପୂଣ୍ୟପୀଠର ଏକ ଗଛ ମୂଳେ ପଥରପୁଞ୍ଜ ରଖାଯାଇ ପୂଜା କରାଯାଉଛି । ଯିଏ ସେହି ବାଟ ଦେଇ ଯାଏ ସେ ଖଣ୍ଡେ ଛୋଟିଆ ପଥର କିମ୍ବା କାଠିକୁଟା ପୁଞ୍ଜ ପାଦରେ ଥୋଇ ଦେଇ ମନାସି କରିଥାଏ । କୁଆଡ଼େ ଏଠି ମନାସି କଲେ ଶତପ୍ରତିଶତ କାମନା ପୂରଣ ହୋଇଥାଏ ବୋଲି କୁହାଯାଏ । ପଥରପୁଞ୍ଜ ଥିବା ଗଛ ଦେହରେ ଯଦି କୌଣସି ଭାରୁଆ ଛିଡ଼ା ହୋଇ ହାତ ରଖେ, ତାହା ହେଲେ ଭାରଟି ତାରି ଆପେ ଆପେ ଦୋହଳି ଉଠେ ।
ଆଗେ ଏହି ପୁଞ୍ଜିପଥର ଘାଟୀ ଉପରେ ଏକ କ୍ଷୁଦ୍ର ଆଦିବାସୀ ବସତି ରହିଥିଲା । କାଳକ୍ରମେ ତାହା ପାହାଡ଼ ପାଦଦେଶରେ ଥିବା ଭାଲୁମୁଣ୍ଡା ଗାଁ ସହିତ ମିଶିଯାଇଥିବା କୁହାଯାଏ । ତିଲିଆ ଗ୍ରାମର ଜନୈକ ବୟୋବୃଦ୍ଧ ବ୍ୟକ୍ତି ହାବିଲ ତିର୍କୀଙ୍କ କହିବା ଅନୁସାରେ ‘ମାଟିମଖା’ ର ମାଟି ବାସ୍ତବରେ ପବିତ୍ର ଓ ମହାନ୍ । ଜମିଦାରୀ ସମୟରେ ଏଠିକାର ମାଟି କପାଳରେ ଲଗାଇ ସର୍ଗିପାଲି ଠାରେ ଥିବା ଜମିଦାରଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାପାର୍ବଣ ପାଇଁ ମାତ୍ର ଗୋଟିଏ ବେଳାରେ ପହଚି ପୂଜା କରି ଫେରି ଆସୁଥିଲେ । ସର୍ଗିପାଲି ଓ ତିଲିଆ ଭିତରେ ପାଖାପାଖି ୭୦ କି.ମି.ର ଦୂରତ୍ୱ ରହିଥିଲେ ସୁଦ୍ଧା ପୁଞ୍ଜ ଘାଟୀର ମାଟିରେ ଏଭଳି କୁହୁକ ରହିଥିଲା ଯେ ସବୁ ସମ୍ଭବ କରି ଦେଇଥିଲା ବୋଲି ସେ କହନ୍ତି । ଏହା ଏକ କାହାଣୀ କି କିମ୍ବଦନ୍ତୀ ନୁହେଁ । ଏହା ଜମିଦାରୀ ସମୟର ଏକ ନିଚ୍ଛକ ସତ୍ୟ ଏବଂ ସେ ତାଙ୍କ ଅଜା ଓ ବଡ଼ୁ ଙ୍କ ମୁହଁରୁ ଏହି ସତ୍ୟ କାହାଣୀ ଶୁରିଥିବା ବୋଲି ଦୃଢତାର ସହ କହନ୍ତି ।
ତେବେ ମାଟିମଖା କୁ ନେଇ ଯାହା କାହାଣୀ, ଲୋକକଥା କିମ୍ବା କିମ୍ବଦନ୍ତୀ ଥାଉ ନା’ କାହିଁକି, ହେଲେ ଏହି ସ୍ଥାନରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ମହାନ ସଂଗ୍ରାମୀ ସମ୍ବଲବୀର ବୀର ସୁରେନ୍ଦ୍ର ସାଏ ଙ୍କ ଯେ ପାଦ ପନିଥିଲା, ଆଉ ସେହି ଦିନ ଠାରୁ ମାଟିମଖାର ମହାନତା ଓ ଗୁରୁତ୍ୱ ଢେର ଗୁଣ ବଢିଗଲା ।
୧୮୪୦ ମସିହାରେ ଇଂରେଜ ସରକାର ବୀର ସୁରେନ୍ଦ୍ର ସାଏଙ୍କୁ ଗିରଫ କରି ହଜାରୀବାଗ ଜେଲ୍ରେ ରଖିଥିଲେ । ଦୀର୍ଘ ୧୭ ବର୍ଷ ପରେ ୧୮୫୭ର ସିପାହୀ ବିଦ୍ରୋହ ସମୟରେ ବିଦ୍ରୋହୀ ମାନେ ଜେଲ୍ ଭାଙ୍ଗି ଦେବାରୁ ସେ ପଲାୟନ କଲେ ।ସେତେବେଳେ ସେ ରାଞ୍ଚିରୁ ଏହି ଘାଟୀ ଦେଇ ଆସିଥିଲେ ଏବଂ ଏହି ପୁଞ୍ଜିପଥର ଘାଟୀରେ କିଛିଦିନ ବିଶ୍ରାମ ନେଇଥିଲେ । ସେ ସେହି ରହଣି ମଧ୍ୟରେ ମାଟିମଖାର ମହନୀୟ ଗୁର ସଂପର୍କରେ ସ୍ଥାନୀୟ ଆଦିବାସୀଙ୍କ ଠାରୁ ଶୁଣିବାକୁ ପାଇତିଲେ । ସେ ଦୀର୍ଘ ୧୭ ବର୍ଷ ଧରି ସମ୍ବଲପୁରର ମା’ ସମଲେଇଙ୍କ ଠାରୁ ଦୂରରେ ରହିଥିବାରୁ କୁଆଡ଼େ ସେ ରାତାରାତି ମାଟିମଖାରୁ ସର୍ଗିପାଲିକୁ ଆସି ଦେବୀ ସମଲେଇଙ୍କ ପୂଜାଅର୍ଚ୍ଚନା କରି ପୁଣି ମାଟିମଖାକୁ ଫେରି ଯାଉଥିଲେ । ତେବେ ଏହି ଘଟଣା ନେଇ ଅଦ୍ୟାବଧି କୌଣସି ପ୍ରମାଣ କିମ୍ବା ସ୍ପଷ୍ଟ ସୂଚନା ମିଳି ନ ଥିଲେ ସୁଦ୍ଧା ସ୍ଥାନୀୟ ଲୋକକଥା ରୁ ଶୁଣିିବାକୁ ମିଳେ । ତେବେ ମା’ ସମଲେଇଙ୍କ ପ୍ରତି ସୁରେନ୍ଦ୍ର ସାଏଙ୍କ ରହିଥିବା ଅଗାଢ ଭକ୍ତି ଓ ବିଶ୍ୱାସକୁ ନେଇ ଏହି ଘଟଣାକୁ ବିଶ୍ୱାସକୁ ନିଆଯାଇ ପାରେ ।
ମାଟିମଖାରେ ବୀର ସାଏଙ୍କ ରହଣି ମଧ୍ୟରେ ସେ ପଥରପୁଞ୍ଜ ଠାରେ ମା’ ଅଧିଷ୍ଠାତ୍ରୀ ଦେବୀଙ୍କ ପୂଜାର୍ଚ୍ଚନା କରି ପବିତ୍ରମାଟିକୁ କପାଳରେ ବୋଲୁଥିଲେ । ସ୍ଥାନୀୟ ମାଟି ମାଖିବା ପରେ ତାଙ୍କର ବୀରତ୍ୱ କୁଆଡ଼େ ଶତଗୁଣ ବଳୀୟାନ ହୋଇଯାଇଥିଲା ବୋଲି ତିଲିଆବାସୀଙ୍କ ବିଶ୍ୱାସ ରହିଛି । ସେ ଏଠାରୁ ମହାବଳୀ ରୂପ ନେଇ ସମ୍ବଲପୁରକୁ ଫେରି ପୁଣି ତାଙ୍କର ସଂଗ୍ରାମକୁ ଉଗ୍ରରୂପ ଦେଇଥିବା ଏଠାରେ ଲୋକକଥା ରହିଛି । ତେବେ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମମୟ ଜୀବନ ସହ ଜଡ଼ିତ ଏହି ତ୍ିଲିଆ ଗାଆଁ ଓ ପବିତ୍ର ମାଟିମଖା ଆଜି ଯେ, ସୁନ୍ଦରଗଡ଼ ଜିଳ୍ଳାବାସୀଙ୍କ ଳୋକଲୋଚନରୁ ଦୂରରେ ରହିଯାଇଛି, ତାହା ବାସ୍ତବିକ୍ ପରିତାପର ବିଷୟ । ଯାହାକି ସମଗ୍ର ପଶ୍ଚିମ ଓଡ଼ିଶା କାହିଁକି ସମଗ୍ର ଭାରତବର୍ଷରେ ସ୍ଥାନଟିର ଗୁରୁତ୍ୱ ରହିବା ଉଚିତ୍ ।
ତେବେ କିଛି ଲୋକକଥା, କିଛି ଇତିହାସ ଆଉ କିଛି କିମ୍ବଦନ୍ତୀକୁ ନେଇ ଆଜି ଆମେ ଯେଉର୍ “ମାଟିମଖା” ର କାହାଣୀଟିଏ ପାଇଛେ, ତାର ବିକାଶ ଓ ଗବେଷଣା ପାଇଁ ଆମର ଯୁବ ଐତିହାସିକ ମାନେ ଗୁରୁତ୍ୱ ଦେଇ ଏହାର ସ୍ପଷ୍ଟ ଐତିହ୍ୟକୁ ଲୋକଲୋଚନକୁ ଆଣିିବା ପାଉଁ ପ୍ରୟାସ କରିବା ବିଧେୟ । ସେହିଭଳି ପର୍ଯ୍ୟଟନର ବେଶ୍ ଖୁରାକ ଥିବା ଏହି ଘାଟୀ ଅଞ୍ଚଳକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଅ।।ଯିବା ଦିଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବା ଉଚିତ । ତେବେ ଯାଇ ଏହି ବୀର୍ମାଟି ପୁଣି ବୀର ହୋଇ ଉଠିବ ।

Leave a Reply

Your email address will not be published. Required fields are marked *