ଶରତ **ମାଧବୀ ପଟେଲ।

ହିଡମାଳେ କାଶତଣ୍ଡିଚାମର ସଜାଇ
ଦୁ୍ର୍ଗା ଆଗମନୀ ବାର୍ତ୍ତା ଦେଲାଣି ସୂଚାଇ।
ସମୀରଣେ ଦୋଳୁଥାଏ ରୂପ ଚମକାଇ।
ସୂକ୍ଷ୍ମ ତୂଳାରେଣୁ ଉଡେ ଦିଗ୍ ବିଦିଗ୍ ଛାଇ।
କ୍ଷେତ ଭରା ଧାନ ଦିଶେ ସବୁଜ ସତେଜ।
ଦିଗନ୍ତ ବିସ୍ତାରି କିଏ ବୁଣିଛି ମୂରୁଜ।
କାହିଁକାହିଁ ବକାଳିକା ଦିଶନ୍ତି ଧବଳ।
ଏ କ୍ଷେତୁ ସେ କ୍ଷେତ କୁଳୁକୁଳୁ ବହେ ଜଳ।
ଶୀତଳ ସମୀର ଅମ୍ଲଜାନ ଭରପୁର।
ଅନାମିକା ଫୁଲଗନ୍ଧେ ବାସନା ବିଭୋର।
ଅଙ୍କାବଙ୍କା ନଈଟିଏ ଅଦୂରେ ଶୋଭଇ।
ପୂର୍ଣଗର୍ଭା ଧବଳାଙ୍ଗୀ ନିଜ ମାର୍ଗେ ଧାଇଁ।
ଛଳଛଳ କଳକଳ ଆବିଳ ଗୁନ୍ଦଳ।
ସାଗର ସଂଗମେ ଧାଏଁ ସତ୍ତ୍ବରେ ଚଞ୍ଚଳ।
କ୍ଷୀଣଅଙ୍ଗୀ ପୃଥୁଳାକାର ହୋଇ ଧାଏଁ।
ବର୍ଷାର ସଂଗମ ପାଇ କୂଳ ଲଂଘା ହୁଏ।
ଶରତର ଆଗମନେ ପୃଥିବୀ ସୁନ୍ଦରୀ
ସ୍ପଟିକ ପରି ଝଟକେ ତନୁ ମାଜିକରି।
ଖଣ୍ଡ ଖଣ୍ଡ ଧଳା ମେଘ ଉଜ୍ଜ୍ୱଳ ଆକାଶ।
ଚନ୍ଦ୍ରତାରା ରଜନୀ ମନଲୋଭା ପ୍ରକାଶ।
ଜୁଇ ଜାଇ ହିନା କିଆ ଇତ୍ର ବିଞ୍ଛିଦିଏ।
ଜହ୍ନି କାକୁଡି କଲରା ହଳଦି ବୁଣିଦିଏ।
କଠଚମ୍ପା କନିଅର ଗେଣ୍ଡୁର ପସରା।
ହରଗୌରା ଗୋଡିବାଣ ବଗିଚାରେ ଭରା।
ଦୁର୍ଗାଙ୍କର ଆଗମନୀ ପାଇଁ ସଜବାଜ।
ମେଢ ମଣ୍ଡପରେ ଗାଁ ସହର ହୁଏ ସଜ।
ବାଜା ସଙ୍ଗେ ମାଇକିରେ କେତେ ଗୀତସ୍ବର।
ବନ୍ଧୁ ବାନ୍ଧବରେ ଭରା ମଧୁମୟ ଘର।
ମାଧବୀ ପଟେଲ।