ନାବାଳିକାଙ୍କୁ ବଳାତ୍କାର ମାମଲାରେ ୬ଜଣ ଅଭିଯୁକ୍ତଙ୍କୁ ଆଦେଶ ହେଲା ୨୦ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଲେଖାଏଁ ଜୋରିମାନା

କେନ୍ଦୁଝର , (ହଲଚଲ ନ୍ୟୁଜ୍/ହିମାଂଶୁ ଶେଖର ଦାସ) କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ମଙ୍ଗଳବାର କେନ୍ଦୁଝର ଅତିରିକ୍ତ ଜିଲା ଓ ସ୍ବତନ୍ତ୍ର ବିଚାରପତି ଲୋକନାଥ ସାହୁ ୬ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଲେଖାଏଁ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଥିବା ଜଣାପଡିଛି । ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲା ବଡବିଲ ଥାନା ସାଇଡିଂ ବସ୍ତି ଅଞ୍ଚଳର ଜଣେ ନାବାଳିକାଙ୍କୁ ୨୦୧୫ ନଭେମ୍ବର ୬ ତାରିଖ ଦିନ ତାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ୬ଜଣ ଯୁବକ ଗଣ ବଳାତ୍କାର କରିଥିଲେ । ଉକ୍ତ ଘଟଣାରେ ବଡବିଲ ପୋଲିସ ବୁଲୁ ପାତ୍ର, ଝଣ୍ଡା ମୁଣ୍ଡା, ଶନି ମହାକୁଡ, ଭରତ ହେସା, ଶ୍ରୀରାମ ଓରାମ ଓ ମନୋଜ ନାଏକଙ୍କୁ ଗିରଫ କରି (ନଂ ୨୧୭ ତା ୬/୧୧/୨୦୧୫) ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି ମଙ୍ଗଳବାର ବିଚାରପତି ଲୋକନାଥ ସାହୁ ଭାରତୀୟ ପିଙ୍ଗଳକୋଡ୍‌ ଧାରା ୩୭୬(ଘ), ୫୦୬, ୩୪, ପୋକ୍ସୋ ଆଇନର ଧାରା ୬, ଅନୁସୂଚିତ ଜାତି ଓ ଜନଜାତି ଆଇନର ଧାରା ୩(୧)(୧୧) ଅନୁଯାୟୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ବିଚାରପତି ୧୫ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ ଦେଇଥିବା ବେଳେ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରିଥିଲେ ।