୩ମାସ ପାଇଁ କୋହଳ ହେଲା ନୂଆ ଟ୍ରାଫିକ୍ ନିୟମ !!

ଭୁବନେଶ୍ୱର : ସଂଶୋଧିତ ମୋଟର ଭେଇକେଲ ଆକ୍ଟ ଓ ଜୋରିମାନା ପ୍ରସଙ୍ଗରେ ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଓଡ଼ିଶାରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ସହ ଅତ୍ୟଧିକ ଜୋରିମାନା ଚିନ୍ତା ବଢାଇଥିବା ଲୋକଙ୍କ ରୋଷକୁ ଦେଖି ୩ମାସ ଏହି ନୂଆ ଟ୍ରାଫିକ ନିୟମ କୋହଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଗାଡ଼ି ଚାଳକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ମାସ ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ଅପିଲ କରିଛନ୍ତି । ଜୋରିମାନା କୋହଳ କରି ସଚେତନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାଗଜପତ୍ର ପାଇଁ ଅଧିକ ସୁବିଧା ସୃଷ୍ଟି କରାଯିବ । ଟ୍ରାଫିକ ନିୟମ ମାନିବାକୁ ଗାଡ଼ି ଚାଳକଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଗତ କିଛି ଦିନ ତଳେ ନୂଆ ସଂଶେଧିତ ମୋଟର ଭେଇକିଲ ଆଇନ ଲାଗୁ ହୋଇଥିଲା । ଏହି ଆଇନ ଅନୁସାରେ ଉଲଙ୍ଘନକାରୀମାନେ ୧୦ଗୁଣା ଜୋରିମାନା ଦେଉଥିଲେ । ନୂଆ ମୋଟର ଯାନ ନିୟମକୁ ନେଇ ଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା । ଦେଶରେ ସଂଶୋଧିତ ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ଓଡ଼ିଶାରେ ମଧ୍ୟ ଏହା କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା । ଏଥିରେ ଗାଡ଼ିର କୈାଣସି ଜରୁରୀ କାଗଜପତ୍ର ସାଙ୍ଗକୁ ଡ୍ରାଇଭିଂ ଲାଇସେନ୍ସ ଓ ନୋ ପଲ୍ୟୁସନ ହେଲମେଟ ଆଦି ବାଧ୍ୟତାମୂଲକ ଥିଲା । ଏହା ସହ ଏହି ସବୁ କାଗଜପତ୍ର କିମ୍ବା ଟ୍ରାଫିକ ନିୟମ ଉଲଂଘନ ଉପରେ ଅତ୍ୟଧିକ ଜୋରିମାନାକୁ ନେଇ ଲୋକଙ୍କ ମନରେ ଅସେନ୍ତାଷ ମଧ୍ୟ ପ୍ରକାଶ ପାଇଥିଲା । ସାମାନ୍ୟ ଟ୍ରାଫିକ ନିୟମ ଉଲଂଘନ କଲେ ଅତ୍ୟଧିକ ଜୋରିମାନା ପଡ଼ୁଥିବାରୁ ଲୋକଙ୍କ କଥା ଚିନ୍ତା କରି ୩ମାସ ଯାଏଁ ଏହାକୁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରକାଶ ଥାଉକି , ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଜଣେ ଅଟୋ ଚାଳକଙ୍କ ଉପରେ ୫୨ ହଜାର ଟଙ୍କା ଫାଇନ୍ ପଡିବା ପରେ ଜନଆକ୍ରୋଶ ଜୋର ଧରିଥିଲା । ଆଉ ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ରାଜଧାନୀର ରାଜମହଲ ଛକରେ । ପୋଲିସ ଏବଂ ପବ୍ଲିକ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଶେଷରେ ନିୟମ କୋହଳ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ । ଆଉ ଆଜି ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆଣିଦେଇଛନ୍ତି ରାଜ୍ୟ ସରକାର ।