ମୋ ଗାଁ **ନିଶିକାନ୍ତ ପାଢ଼ୀ

ଛୋଟ ମୋର ଗାଁଟି
ଭୂଗୋଳ ପୋଥି ପତରେ ପଛେ
ନଥାଉ ତାର ନାଁଟି ୲

ଏଇଠି ଖେଳ ହୁଏ ପଟିଘର , ଡାବର ପୁଆ , ବାଗୁଡ଼ି
ଗୋବର ବାଡି ୲ କବାଡି ଖେଳରେ
କୁମ୍ଭାର ପୁଅ ଦେହଟା ଝାଳେଇଯାଏ ଆଉ ଖସିଯାଏ ବି
ବସୁଜେନା ପାଟେଣାରେ ଛେଳି ବାନ୍ଧେ ୲

ଏଇଠି ମାଟି ଉପରେ ବାଟି ଗଡ଼େ
କନିଆରି ଗିଲରେ ଗାତେଇ ଖେଳ ହୁଏ ୲

ଧୁ ଧୁ ଖର୲ବେଳଟାରେ ପାଟଣାରେ ଶବ୍ଦ ମାନଙ୍କର
କୋଳାହଳ ଶୁଭେ ୲

ଚୋର କାହାଙ୍କ୲ …ମୋଟା ବଳଦିଆ …ଗର୍ଜି ଗର୍ଜି
ମାଡି ଆସନ୍ତି କ୍ଷେତ ସାରେ
କିଏ କୁଆଡ଼େ ଡିଆଁ ମାରୁ ୲

ଏଇଠି ଶୀତଳ ଷଷ୍ଠୀକୁ ଶିବ ବିଵାହ ପର୍ବ
ପାଳନ ହୁଏ ୲ ବରବେଶରେ ମହାଦେବ କାଠଘୋଡା
ଉପରେ ବସି ଆସନ୍ତି ବାହା ହେବାକୁ୲
ଗଦେଇ ପାଢୀ ଶିଂଘିଦୁଆର କୁ କବଜା କରନ୍ତି
ଶିବଙ୍କୁ ଲଙ୍ଗଳା ଫକୀର , ମଶାଣି ଯୋଗୀ ଓ ସାପୁଆ କେଳା କହି ତସ୍ଚଲ୍ଯ କରନ୍ତି ୲
କାରୁକନ୍ଦର୍ପ ରୂପ ନେଇ ଶିବ ଶମ୍ଭୁ ଉଭା ହୁଅନ୍ତି
ପାଢୀଏ ଦୁଆର ଖୋଲନ୍ତି
ବିଭାଘର ହୁଏ
ଆଉ ପେଣ୍ଡାଲର ଚାରି କୋଣରେ
ସାଧୂଆ ଲାଇଟ ଝୁଲା ହୁଏ
ଅମୂଲ୍ୟ ମାଇକି ତାର ଟାଣେ
ଡ୍ରାମା ହୁଏ ୲

ଏଇଠି ମକର ବେଢାରେ କଟକ ହୋଟେଲ ନଟପାଢୀ
ପିଠିରେ ପଖଜ ପକାଇ ନାଚନ୍ତି
ମନ୍ଦିରରେ ମକର ଚାଉଳ ଭୋଗ ହୁଏ ୲

ଏଇଠି ଗାଁ ଭୁଆସୁଣୀ କୁମାର ପୂର୍ଣମୀର ଦୀପ ଜାଳେ
କାର୍ତିକ ପୂର୍ଣିମା ଡଙ୍ଗା ଭସା ରେ ଘଣ୍ଟ ମୃଦଙ୍ଗ ବାଜେ
ଜନ୍ମାଷ୍ଟମୀଦିନ ଭାଗବତ ପାଠ ହୁଏ ୲

ଏଇଠି ଜାଗର ଯାତ ହୁଏ
ଶିରାମ ମିଠା ଦୋକାନ ଆଉ ପୂରସ୍ତୋମ ଆଳୁଦମ ଦୋକାନରେ ଭିଡ଼ ଜମେ ୲

ଯାତ୍ରା ପାଟି ନାଚ କରେ
ପାଖ ଗାଁର ଲାଇନ ମାରୁଥିବା ଟୋକା ଛେଚାଖାଏ ୲

ଏଇଠି ଦୋଳ ପୂର୍ଣିମାରେ
ଜାଡୁଆ ବାହାରେ
ତ୍ରାହି ପଡିଥିବା ଲୋକ ହୁକୁମ ପାଏ ୲

ଏଇଠି ଶରତ ରାସ ହୁଏ
ମାଳି ସୋଲ ଫୁଲରେ କଦମ୍ବ ଗଛ ସଜାଏ ୲

ଏଇଠି ଗାଁର ବୋହୂ ଖିର ନବାତ ବେଲ ପତ୍ର ଧରି ଆସେ ମନ୍ଦିରକୁ ୲ ପୁଅ ଟିଏ ପାଇଁ ମାନସିକ କରେ ୲
ଜୋଇଁ ପୁଅ ଭାଙ୍ଗ ବାଟେ ୲ ନିଶାରେ ଟଳ ମଳ ହୁଏ ୲

ଏଇଠି ଗାଁର ପ୍ରେମିକ ପ୍ରେମିକାକୁ ଭେଟେ
ମନ୍ଦିରର ଗମ୍ଭୀରାରେ ପ୍ରେମ ଦିଆ ନିଆ ହୁଏ ୲

ଏଇଠି ବ୍ରହ୍ମା କାଠ ତଳେ
ହଲପ ହୁଏ , ନ୍ୟାୟ ନିଶାପ ଚାଲେ
କିଏ ସୁନ୍ଦରୀ ବୁଢୀକୁ ଢେଲା ମାରିଲା
ତାନାକଣି ଘରେ କିଏ ପଶିଲା
ବିଲୁଆ ବିଚାର ହୁଏ ୲

ଏଇଠି ବେଳେ ବେଳେ RSS ର ଶାଖା ଲାଗେ
ଭୋଜି ଭାତ ହୁଏ ୲ ଅମାବାସ୍ୟା , ପୂର୍ଣମୀ ପାଳି ହୁଏ ୲

ଏଇଠି ବଢେଇ ଘର ପୁଅ ଦାସକାଠିଆ କରେ
କୈଳାସ ମୁଦୁଲି ପାଲା ଗାଏ ୲
ବେଲକନ୍ଦାର ମହାନ୍ତି ପୁଅ କାଳିଶି ସାଜେ
ମୁଣ୍ଡରେ ସିନ୍ଦୁର ବୋଳେ
ପାଟିରେ କଦଳୀ ଭଣ୍ଡାର ଖୋଳପା କାମୁଡ଼େ
ହାତରେ ଖଣ୍ଡା ଧରି ଦୌଡ଼େ ୲