ଏଟିଏମ୍ ଟଙ୍କା ଗାଡି ପଛରେ ଧକ୍କା ଦେଲା ବାଇକ୍,ବାଇକ୍ ଆରୋହୀ ମୃତ ଜଣେ ଗୁରୁତର

ହରିଚନ୍ଦନପୁର ,ତା ୧୪ ଅଗଷ୍ଟ (ହଲଚଲ୍ ନ୍ୟୁଜ୍/ଉତ୍ତମ ଗିରି)
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଟାପିଟି ଛକ ନିକଟସ୍ଥ ଭାଇଭାଇ ଢାବା ନିକଟରେ ଭାରସାମ୍ୟ ହରାଇ ଏଟିଏମ୍ ଟଙ୍କା ଗାଡି ପଛରେ ଧକ୍କା ଦେଲା ବାଇକ୍, ବାଇକ୍ ଆରୋହୀ ମୃତ ସାଥି ଗୁରୁତର ହୋଇଛନ୍ତି । ଆଜି ସନ୍ଧ୍ୟା ୬ଘଟିକା ୩୦ ମିନିଟ ସମୟରେ ଏକ ଏଟିଏମ୍ ଟଙ୍କା ଗାଡି ହରିଚନ୍ଦନପୁର ଠାରେ ଥିବା ଏଟିଏମରେ ଟଙ୍କା ଲୋଡ କରି ଫେରୁଥିବା ବେଳେ ଭାଇଭାଇ ଢାବା ନିକଟରେ ବାଳକଟି ଭାରସାମ୍ୟ ହରାଇ ପଛପଟେ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଙ୍ଗରେ ଥିବା ସାଥି ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ପିଠାଗୋଳା ଗ୍ରାମର ଜିତେନ୍ଦ୍ର ନାଏକଙ୍କ ପୁଅ ଶିପୁନୁ ନାଏକ(୨୭) ଓ ଗୁରୁତର ସାଥି ଜଣଙ୍କ ଉକ୍ତ ଗ୍ରାମର ବିଦ୍ୟାଧର ନାଏକଙ୍କ ପୁଅ ରମେଶ ନାଏ(୨୮) ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ନିକଟସ୍ଥ ଦମକଳ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ଶିପୁନୁଙ୍କୁ ମୃତ ଘୋଷଣା କରିଛନ୍ତି । ଶିପୁନୁ ଓ ସାଥି ରମେଶ ପିଠାଗୋଳା ଠାରୁ ଏକ ବଣ୍ଡ ପେପର ନିମନ୍ତେ ହରିଚନ୍ଦନପୁର ତହସିଲକୁ ଆସିଥିଲେ, ହେଲେ ମନୋହରପୁର ଛକରୁ ଶିପୁନୁ ସମ୍ପର୍କୀୟ ଘରୁ ଆସିବା କହି ପିଟାପିଟି ଗ୍ରାମ ଅଭିମୁଖେ ଯାଉଥିଲେ ବୋଲି ଜଣାପଡ଼ିଛି । ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଦୁର୍ଘଟଣାଗ୍ରସ୍ତ ବାଳକକୁ ନିଜ ଅକ୍ତିଆରକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Loading…