ଟିଟୋ ସହଯୋଗୀ ମାଛୁ ଗିରଫ : ଏସଟିଏଫ କାର୍ଯ୍ୟାଳୟରେ ହାଜର ହେଲା ଆଇଓସିଏଲ ଟିମ

ଭୁବନେଶ୍ୱର ରୁ ଆକାଶ ମିଶ୍ର 

ଟିଟୋର ସାଙ୍ଗ ତଥା ଅପରାଧିକ ସହଯୋଗୀ ମାଛୁ ଓରଫ ଆସୁଦିନ କାଦିର କୁ ଗତକାଲି ବିଳମ୍ବିତ ରାତ୍ରିରେ ସ୍ପେଶାଲ ଟାସ୍କଫୋର୍ସ ପକ୍ଷରୁ ଉଠାଯାଇଥିବା ସୂଚନା ମିଳିଛି । ମାଛୁ ନାମରେ ଏକାଧିକ ଅପରାଧିକ ମାମଲା ରହିଛି । ମାଛୁ ର କେନ୍ଦ୍ରାପଡା ବଜାର ଉପରେ ଏକ ମେଡ଼ିସିନ ଷ୍ଟୋର ରହିଛି । ନାମକୁ ମାତ୍ର ସେ ମେଡ଼ିସିନ ଷ୍ଟୋର ଚଳାଉଥିବା ବେଳେ ଅଧିକାଂଶ ସମୟରେ ଅପରାଧିକ କାର୍ଯ୍ୟକଳାପ ସହ ସେ ଜଡିତ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ତା ନାମରେ ବିଭିନ୍ନ ଥାନାରେ କେତୋଟି ମାମଲା ରହିଛି ? ସେ ଟିଟୋ ମାଧ୍ୟମରେ କିଭଳି ଲାଭବାନ ହୋଇଛି , ସେ ନେଇ କିଛି ସମୟ ମଧ୍ୟରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ଜନୈକ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିପରି ପେଟ୍ରୋଲ ପମ୍ପ ଲାଇସେନ୍ସ ଓ ଜମି ଲିଜ କିଭଳି ଭାବେ ଟିଟୋ ଓ ସ୍ତ୍ରୀ ଙ୍କୁ ମିଳିଲା ସେ ନେଇ ଅଧିକ ଖୋଳତାଡ଼ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ର ଏକ ପାଞ୍ଚ ଜଣିଆ ଟିମ ଭୁବନେଶ୍ୱର ଏସଟିଏଫ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଟିଟୋ କୁ କିଏ ଓ କିଭଳି ଅନୁକମ୍ପା ଦେଖାଇଛନ୍ତି ସେ ନେଇ ସେମାନଙ୍କୁ ପଚରାଉଚରା କରାଯାଇଛି । ଏଥିରେ କିଛି ରାଜନେତା ଓ ବରିଷ୍ଠ ଅଧିକାରୀଙ୍କ ହାତ ଥିବା ତଦନ୍ତକାରୀ ସଂସ୍ଥା ଜାଣିପାରିଛି । ଅନ୍ୟପକ୍ଷରେ ଏହି ଅଧିକାରୀ ମାନଙ୍କ ସୂଚନା ମୁତାବକ ପାରାଦ୍ୱୀପ , ରାଞ୍ଚି ଓ ରାୟପୁର ମଧ୍ୟରେ ଯେଉଁ ପାଇପ ଲାଇନ ( ଏସଇଆରପିଏଲ ) ବିଛାଇବା କାର୍ଯ୍ୟ ଚାଲିଛି , ତାହା କିଛି ଅପରାଧୀଙ୍କ ଦ୍ୱାରା ବାଧାପ୍ରାପ୍ତ ହେଉଛି । ଦାଦାବଟି ମାଗିବା ସହ ଗଣ୍ଡଗୋଳ ଭିଆଉଛନ୍ତି । ଏଣୁ ଏ ସମ୍ପର୍କରେ ସେ ଏସଟିଏଫ ଅଧିକାରୀଙ୍କୁ ଅବଗତ କରାଇବା ପାଇଁ ଆସିଥିଲେ । ତେବେ ଏହି ଅଧିକାରୀ ମାନେ ଗଣମାଧ୍ୟମକୁ ଦେଇଥିବା ସୂଚନାର ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି କମ୍ପାନୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛି ତେବେ ସେମାନେ ପୋଲିସ ନିକଟରେ ଅଭିଯୋଗ ନକରି ଏସଟିଏଫ ନିକଟକୁ କଣ ପାଇଁ ଆସିଥିଲେ ? ଦାଦାବଟି ମାଗିବା ଘଟଣା ରେ ଟିଟୋ ର ସମ୍ପୃକ୍ତି ରହିଛି କି ?

ସେହିପରି କଟକ ଚାଉଳିଆଗଞ୍ଜ ଠାରେ ଗତ ୨୦୧୬ ମସିହାରେ ଘଟିଥିବା ଏକ ଟେଣ୍ଡର ଫିକ୍ସିଂ ମାମଲାରେ ଟିଟୋ କୁ ପକ୍ଷଭୁକ୍ତ କରିବା ପାଇଁ କଟକ ଏସଡିଜେଏମ କୋର୍ଟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଏ ନେଇ କୋର୍ଟ ରେ କମିଶନରେଟ ପୋଲିସ ଆବେଦନ କରିଥିଲା । ସୂଚନଯୋଗ୍ୟ ଗତକାଲି ଟିଟୋ ଲିଙ୍କ୍‌ରେ କେନ୍ଦ୍ରାପଡ଼ା ଓ ଯାଜପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । କେନ୍ଦ୍ରାପଡ଼ାର ପୌର କାର୍ଯ୍ୟାଳୟ ଓ ମହାକାଳପଡ଼ା ତହସିଲ୍‌ରେ ଭିଜିଲାନ୍ସ ଛାନ୍‌ଭିନ୍‌ କରିଥିବା ବେଳେ ଯାଜପୁରର ଦର୍ପଣ ତହସିଲ୍‌ରେ ଚଢ଼ାଉ କରାଯାଇଥିଲା । ଜମି ଲିଜ୍‌ ପ୍ରସଙ୍ଗରେ ଭିଜିଲାନ୍ସ ଟିମ୍‌ କେନ୍ଦ୍ରାପଡ଼ା ପୌର କାର୍ଯ୍ୟାଳୟରେ ଛାନ୍‌ଭିନ୍‌ କରିଥଲେ। ତହସିଲ ଜମି ଲିଜ୍‌ ଦେବାର ଅଧିକାରୀ ହୋଇଥିବା ବେଳେ କେନ୍ଦ୍ରାପଡ଼ା ପୌର ପରିଷଦ କେଉଁ ଅଧିକାରରେ ଲିଜ୍‌ ଦେଇଥିଲା, ତାହାର ଖୋଳତାଡ଼ କରିଥଲେ। ବାଲିଘାଟ ନିଲାମ ପ୍ରସଙ୍ଗରେ ଭିଜିଲାନ୍ସ ଟିମ୍‌ କେନ୍ଦ୍ରାପଡ଼ାର ମହାକାଳପଡ଼ା ଏବଂ ଯାଜପୁରର ଦର୍ପଣ ତହସିଲ୍‌ରେ ଖୋଳତାଡ଼ କରିଥିଲେ। ମୋରମ୍‌ ଓ ବାଲିଘାଟ ପାଇଁ ମହାକାଳପଡ଼ାରେ କେଉଁ ପ୍ରକ୍ରିୟାରେ କେତେ ଟଙ୍କାର ଲିଜ୍‌ ଦିଆଯାଇଥିଲା, ତାହାର ଖୋଳତାଡ଼ କରିଥିଲା। ସେହିଭଳି, ଦର୍ପଣ ତହସିଲ୍‌ରେ ଟିଟୋର ସହଯୋଗୀଙ୍କ ନାମରେ କେତୋଟି ବାଲିଘାଟ ଓ ମୋରମ୍‌ ଖାଦାନ ରହିଛି, ସେ ସଂପର୍କିତ ଫାଇଲ୍‌ ସବୁ ଯାଞ୍ଚ କରିଥିଲେ। ଟିଟୋ ସ୍ତ୍ରୀ ବେନଜୀର୍‌ ବିବିଙ୍କ ନାମରେ ଥିବା ପେଟ୍ରୋଲ ପମ୍ପ୍‌ ଜମିର ମଧ୍ୟ ମାପଚୁପ୍‌ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ଟିମ୍‌ କେନ୍ଦ୍ରାପଡ଼ା ମ୍ୟୁନିସପାଲିଟି ଅଫିସ୍‌ରେ ପହଁଚି ପେଟ୍ରୋଲ ପମ୍ପ୍‌ ପାଇଁ ଦିଆଯାଇଥିବା ‘ ନୋ ଅବଜେକସନ୍‌’ ସାର୍ଟିଫିକେଟ୍‌ ସଂପର୍କରେ ଯାଞ୍ଚ କରିଥିଲେ । ଖୁବ ଶୀଘ୍ର ପୁଣି ଥରେ ଚଢ଼ାଉ କୁ ବ୍ୟାପକ କରାଯିବ ବୋଲି ସେ ଭିଜିଲାନ୍ସ ର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *