ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭାରେ ମତଦାନ ଚାଲିଛି:ଅନେକ ବୁଥ୍ ରେ ଇଭିଏମ୍ ଅଚଳ,ଭୋଟରଙ୍କ ମଧ୍ୟରେ ଅସନ୍ତୋଷ !

ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ ଓ ଭୁବନେଶ୍ୱରରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟର ୬ ଲୋକସଭା ପାଇଁ  ୬୧ ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ, ୬ ଜଣ ମହିଳା ଅଛନ୍ତି। ସେହିପରି ୪୨ ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା ୩୫୬ ଜଣ ପ୍ରାର୍ଥୀ କରୁଛନ୍ତି। ଏମାନଙ୍କ ମଧ୍ୟରେ ୩୧୮ ଜଣ ପୁରୁଷ, ୩୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ଅଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ୧୦ ହଜାର ୪୬୪ ବୁଥ୍ କରାଯାଇଥିବା ବେଳେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୯୨ ଲକ୍ଷ ୫୬ ହଜାର ୯୨୨।  ଏମାନଙ୍କ ମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୩୦ ପୁରୁଷ ଭୋଟର ଥିବା ବେଳେ ୪୪ ଲକ୍ଷ ୫୬ ଜଣ ୭୨୯ ମହିଳା ଓ ୧୧୬୩ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ତେବେ ଆଜି ବହୁ ବଡ଼ ବଡ଼ ନେତା ମନ୍ତ୍ରୀ ଭୋଟ୍‌ ଦେଉଥିବା ବେଳେ ଆଇଏଏସ୍ ଅଫିସର ଓ ଅନ୍ୟ ସରକାରୀ କର୍ମଚାରୀମାନେ ମଧ୍ୟ ଭୋଟ୍‌ ଦେଉଛନ୍ତି।

ସୂଚନା ଅନୁସାରେ, ସମ୍ବଲପୁରର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଲିର ବୁଥ୍‌ ନମ୍ବର ୩୮ରେ ଲୋକସଭା ଭିଭିପିଏଟି କାମ କରୁ ନ ଥିବାରୁ ଲୋକେ ଭୋଟ୍‌ ଦେବାକୁ ଧାଡ଼ି ବାନ୍ଧି ଅପେକ୍ଷା କରିଛନ୍ତି। ଝଙ୍କରପାଲିର ବୁଥ୍‌ ନମ୍ବର ୩୬ ଓ ୩୭ରେ ଇଭିଏମ୍‌ କାମ କରୁ ନ ଥିବାରୁ ପୋଲିଙ୍ଗ୍‌ ପାର୍ଟି ଚିନ୍ତିତ ହୋଇ ପଡ଼ିଛନ୍ତି। ରେଢ଼ାଖୋଲର ହୁମା ଠାରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ମତଦାନ ହୋଇ ପାରୁ ନାହିଁ। କୁଚିଣ୍ଡାର କତରାପାଲିର ୧୨୨ ନମ୍ବର ବୁଥ୍‌ରେ ବି ଇଭିଏମ୍‌ କାମ କରୁନାହିଁ।

ଭୁବନେଶ୍ୱର ଉତ୍ତର ଅନ୍ତର୍ଗତ ମରିଚିଆର ବୁଥ୍‌ ନମ୍ବର ୧୦ ଇଭିଏମ୍‌ ତ୍ରୁଟି ସଜଡ଼ା ଯିବା ପରେ ସେଠାରେ ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।

କଟକ ସହରର ରାଜାବଗିଚାରେ ବୁଥ୍‌ ନମ୍ବର ୧୭୯ ଏବଂ ବାଦାମବାଡ଼ି ନିଉ କଲୋନିର ୧୬୯ ରେ ଇଭିଏମ୍‌ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ।

କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୩୬, ଖୋର୍ଦ୍ଧା ଅନ୍ତର୍ଗତ ବେଗୁନିଆର ବୁଥ୍‌ ନମ୍ବର ୩୪ ଓ ୩୬ ଏବଂ ଜଟଣୀର ୮୧, ୮୨, ୮୩ , ଆନନ୍ଦପୁର ଅଞ୍ଚଳର ପୁରୁଣାବାନ୍ଦଗୁଡ଼ାର ବୁଥ୍‌ ନମ୍ବର ୨୮୧, ସରଳା ଅଞ୍ଚଳ ଖପରାଖାଇର ବୁଥ୍‌ ନମ୍ବର ୯୦, କେନ୍ଦୁଝର ମ୍ୟୁନିସିପାଲିଟିର ବୁଥ୍‌ ନମ୍ବର ୨୨୧, ୨୪୩ ଓ ୨୫୫ ବୁଥ୍‌ରେ ଇଲେକ୍‌ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ରେ ତ୍ରୁଟି ଥିବାରୁ ଭୋଟ୍‌ ଗ୍ରହଣ କରି ହେଉ ନ ଥିବା ଖବର ମିଳୁଛି।

ସେହିପରି କାମାକ୍ଷାନଗରର ୧୯ ନଂ ବୁଥ୍, ଚମ୍ପୁଆର ୨୫ ନଂ, ବ୍ରହ୍ମଗିରିର ୧୫୪ ନଂ ଓ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ୬ଟି ବୁଥରେ ଇଭିଏମ ଅଚଳ।

ଏ ପର୍ଯ୍ୟନ୍ତ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ୧୨ଟି ସ୍ଥାନରେ ଇଭିଏମ୍‌ ତ୍ରୁଟି ପରିଲକ୍ଷିତ ହୋଇଛି। ଚମ୍ପୁଆର ମଡେଲ୍‌ ବୁଥ୍‌ରେ ବି ତ୍ରୁଟି। ପାଟଣା ଉଭିଏମ୍‌ରେ ମଧ୍ୟ ତ୍ରୁଟି ଦେଖାଦେଇଛି।

ଇଭିଏମ୍‌ ତ୍ରୁଟି ଯୋଗୁଁ ଅନଗୁଳ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳ ନଗିରା ପଞ୍ଚାୟତର ୫ ନମ୍ବର ବୁଥ୍‌, ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ୍‌ର ଘୋଷର ଗ୍ରାମରେ ଭୋଟ୍‌ ଦିଆ ଯାଇ ପାରୁ ନାହିଁ। ଅନଗୁଳର ୨୬ ନମ୍ବର ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଯୋଗୁଁ ୩୫ ମିନିଟ୍‌ ବିଳମ୍ବରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୨୪ରେ ଇଭିଏମ୍‌ ଲଗାଇବାରେ ବିଳମ୍ବ ଯୋଗୁଁ ନିର୍ଦ୍ଧାରିତ ସମୟ ଠାରୁ ୩୦ ମିନିଟ୍‌ ବିଳମ୍ବରେ ମତଦାନ। ହେମସୁରପଡ଼ା ୨୯ ନମ୍ବର ବୁଥ୍‌ରେ ମଧ୍ୟ ଇଭିଏମ୍‌ ଅଚଳ ହୋଇ ପଡ଼ିଛି।

ଢେଙ୍କାନାଳର ହିନ୍ଦୋଳର ବୁଥ୍‌ ନମ୍ବର ୨୩୨, ମ୍ୟୁନିସିପାଲିଟିର ବୁଥ୍‌ ନମ୍ବର ୧୯୩, ୧୯୪ ଇଭିଏମ୍‌ ଅଚଳ ଯୋଗୁଁ ଭୋଟ୍‌ ଗ୍ରହଣ କରି ହେଉନାହିଁ।

ଦେବଗଡ଼ର ୩ଟି ବୁଥ୍‌ରେ ଇଭିଏମ୍‌ ଅକାମି ହୋଇଥିବାରୁ ଭୋଟ୍‌ ଗ୍ରହଣ ହୋଇ ପାରୁନାହିଁ। ଦେବଗଡ଼ର ବୁଥ୍‌ ନମ୍ବର ୮୯, ୧୧୦, ୨୭୫ ଓ ୩୧୦ରେ ବି ଇଭିଏମ୍‌ ଚାଲୁ ନ ଥିବାରୁ ଭୋଟ୍‌ ଗ୍ରହଣରେ ବିଳମ୍ବ ଦେଖାଦେଇଛି।

ପୁରୀର ଗଦାଧର ସ୍କୁଲ୍‌ରେ ଖୋଲିଥିବା ବୁଥ୍‌ ନମ୍ବର ୧୪୬, ବ୍ରହ୍ମଗିରିର ବାଲିପାଟପୁରରେ ୫ ନମ୍ବର ବୁଥ୍‌ରେ ବି ଇଭିଏମ୍‌ ଅଚଳ ହୋଇ ଯାଇଛି।