ଓଆଇଏସଏଲ କାରଖାନାରେ ବିଷାକ୍ତ ଗ୍ୟାସ ସଂସ୍ପର୍ଶ ଆସି କର୍ମଚାରୀଙ୍କ ମୃତ୍ଯୁ, ଉତ୍ତେଜନା

କୁତ୍ରା (ପ୍ରଶାନ୍ତ ସାହୁ /ହଲଚଲ ନିଉଜ୍) ଜାମପାଲି ଠାରେ ଅବସ୍ଥିତ ଓଆଇଏସଏଲ କାରଖାନାରେ କାର୍ଯ୍ୟ କରୁଥିବା ସମୟରେ ଗତକାଲି ପୂର୍ବାହ୍ନ ୧୧ ସମୟରେ ସୁନୀଲ କାକ ନାମକ 20 ବର୍ଷୀୟ ଯୁବକ ବିଷାକ୍ତ ଗ୍ୟାସ ସଂପର୍ଶରେ ଆସି ରକ୍ତ ବାନ୍ତି କରିବା ସହ ଗୁରୁତର ହୋଇ ପଡିଥିଲେ। ପ୍ରଥମେ ତାଙ୍କୁ ରାଜଗାଙ୍ଗପୁର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଆଇଜିଏଚ୍ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପହଞ୍ଚିବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ବିଷାକ୍ତ ଗ୍ୟାସ ସଂପର୍ଶରେ ଆସି ସୁନୀଲ ମୃତ୍ୟୁ ବରଣ କରିଥିବା ଅଭିଯୋଗ ଆଣି ତାଙ୍କ ପରିବାର ସଦସ୍ୟ ଏବଂ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀ ମାନେ ଉପଯୁକ୍ତ କ୍ଷତି ପୂରଣ ଦାବୀରେ  ଆଜି ଅପରାହ୍ନ 1ଟାରୁ ମୂଖ୍ଯ ଗେଟ୍ ବନ୍ଦ କରି ଆନ୍ଦୋଳନ କରିଥିଲେ। ପରେ କାରଖାନା କର୍ତ୍ତୃପକ୍ଷ 8 ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଲିଖିତ ଭାବେ ପ୍ରତିଶ୍ରୁତି ଦେବା ପରେ 5ଟାରେ ଆନ୍ଦୋଳନରୁ ଓହରିଥିଲେ। ହେଲେ କାର୍ଯ୍ୟରତ ଅବସ୍ଥାରେ କୋଉ ବିଷାକ୍ତ ଗ୍ୟାସ ସଂପର୍ଶରେ ଆସି ସୁନୀଲ ମୃତ୍ୟୁ ବରଣ କଲେ ସେନେଇ ଉପଯୁକ୍ତ ତଦନ୍ତ ପାଇଁ ଦାବୀ ହେଉଛି। ଏହାସହ କାରଖାନା ଭିତରେ ଏବଂ ଆଖପାଖ ଅଞ୍ଚଳରେ ଅତ୍ୟଧିକ ପ୍ରଦୂଷଣ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି।