ରାଜନୈତିକ ସମୀକରଣରେ ପରିବର୍ତ୍ତନ ସମ୍ଭାବନା !!

ନୂଆଦିଲ୍ଲୀ : ଏଥର କ’ଣ ପୁନର୍ବାର ମୋଦି ସରକାର? ବିଜେପି ପକ୍ଷରୁ ୨୦୧୪ରେ ସ୍ଲୋଗାନ ଥିଲା- ଅବ୍ କି ବାର୍, ମୋଦି ସରକାର । ୨୦୧୯ର ସ୍ଲୋଗାନ- ଅବ୍ କି ବାର, ଫିର୍ ମୋଦି ସରକାର । ବିଜେପିର ଏଭଳି ପ୍ରତ୍ୟାଶାକୁ ନେଇ ରାଜନୈତିକ ପରିସଂଖ୍ୟାନବିତ୍ମାନେ ସଂଖ୍ୟା ଗଣିତ କଷିବା ଆରମ୍ଭ କରିଛନ୍ତି । ଭିନ୍ନ ଭିନ୍ନ ପ୍ରାକ୍ ନିର୍ବାଚନୀ ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଉଛି । ବିଭିନ୍ନ ପ୍ରକାର ଅନୁମାନ ଲଗାଯାଉଛି । ସଦ୍ୟ ପ୍ରକାଶିତ ଏନ୍ଡିଟିଭି ପୋଲ୍ ଅଫ୍ ପୋଲ୍ସ ସର୍ଭେ ଅନୁଯାୟୀ ବିଜେପିକୁ ୨୦୧୪ ନିର୍ବାଚନ ଫଳାଫଳ ତୁଳନାରେ ଅତିକମ୍ରେ ୫୪ ଆସନ ହରାଇବାକୁ ପଡିପାରେ । ବିଜେପିକୁ ଏକାକୀ ୨୨୪ ପାଖାପାଖି ଆସନ ମିଳିପାରେ । ଏନ୍ଡିଏ ପାଇପାରେ ୨୭୬ ଆସନ । ଗତ ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଏନ୍ଡିଏକୁ ମିଳିଥିଲା ୩୩୦ରୁ ଅଧିକ ଆସନ । ମୂଳକଥା ହେଉଛି ୨୦୧୪ ନିର୍ବାଚନ ବେଳକୁ ଥିଲା ମୋଦି ଲହର ଏବଂ ଉପା ସରକାର ବିରୋଧୀ ଜନସ୍ରୋତ । କିନ୍ତୁ ଏଥର ସମୀକରଣ ବଦଳିଯାଇଥିବା ଦେଖିବାକୁ ମିଳୁଛି । ଉପରୋକ୍ତ ଦୁଇଟିଯାକ ଫ୍ୟାକ୍ଟର ବିଜେପି ସପକ୍ଷରେ ନାହିଁ । ବିଜେପି ଏଥର ବିକାଶ, ଡବଲ ଇଞ୍ଜିନ୍ ସରକାର, ଜାତୀୟତାବାଦ୍ ଆଦି ପ୍ରସଙ୍ଗକୁ ନେଇ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି ।
ଗତ ନିର୍ବାଚନରେ ଉତ୍ତର ଭାରତୀୟ ରାଜ୍ୟଗୁଡିକ ହିଁ ବିଜେପିକୁ ସଫଳତାର ଶୀର୍ଷ ଦେଶରେ ପହଞ୍ଚାଇ ଦେଇଥିଲେ । କେବଳ ଉତ୍ତର ପ୍ରଦେଶରେ ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ୮୦ ଆସନରୁ ୭୩ ଆସନ ମିଳିଥିଲା । ଏକାକୀ ବିଜେପି ଜିତିଥିଲା ୭୧ ଆସନ । ଗତଥର ଏହି ରାଜ୍ୟରେ ଏସ୍ପି ଓ ବିଏସ୍ପି ପୃଥକଭାବେ ନିର୍ବାଚନ ଲଢୁଥିଲେ । ଏଥର ସେଠାରେ ଏହି ଦୁଇଦଳ ମେଣ୍ଟ କରି ଭୋଟ୍କୁ ଓହ୍ଲାଇଛନ୍ତି । କଂଗ୍ରେସ ସମସ୍ତ ୮୦ ଆସନରେ ପ୍ରାର୍ଥୀ ଛିଡା କରାଇଛି । ଅନ୍ୟପକ୍ଷରେ ବିହାରରେ ଏଥର ନିତୀଶ କୁମାରଙ୍କ ଜେଡି(ୟୁ) ଏନ୍ଡିଏରେ ସାମିଲ ହୋଇଛି । ଏଠାରେ ମଧ୍ୟ ବିଜେପିର ଏଲ୍ଜିପି ସହ ମେଣ୍ଟ ରହିଛି । ଅବଶ୍ୟ ଭୋଟ୍ ବ୍ୟାଙ୍କ ହିସାବରେ ଏହି ମେଣ୍ଟ ଯଥେଷ୍ଟ ଆଗରେ ରହିଛି । ଅନ୍ୟପକ୍ଷରେ ଲାଲୁ ପ୍ରସାଦ ଯାଦବଙ୍କ ଆର୍ଜେଡି କେତୋଟି ଛୋଟ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢୁଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏକାକୀ ନିର୍ବାଚନ ଲଢୁଛି । କାରଣ ମମତାଙ୍କ ସହ ମେଣ୍ଟ ଉଦ୍ୟମ କରି କଂଗ୍ରେସ ଓ ବାମଦଳଗୁଡିକ ଅସଫଳ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶରେ ଟିଡିପି ଗତ ନିର୍ବାଚନରେ ଏନ୍ଡିଏରେ ଥିଲା । ଏଥର ଏକାକୀ ନିର୍ବାଚନ ଲଢୁଛି । ଚନ୍ଦ୍ରବାବୁ ନାଇଡୁ ବିଜେପି ହାତ ଛାଡିଥିଲେ ମଧ୍ୟ କଂଗ୍ରେସ ସହ ମେଣ୍ଟ ପାରିନାହାନ୍ତି । ଏବେ ପ୍ରଶ୍ନ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ଏଥର କେତେ ଆସନ ମିଳିବ । ଏଥିପାଇଁ ପ୍ରଥମେ ବିଭିନ୍ନ ରାଜ୍ୟର ଆସନ ଗଣିତକୁ ବୁଝିବାକୁ ପଡିବ ।
ଦେଶର ୮ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ହେଉଛି । ଏହି ରାଜ୍ୟଗୁଡିକ ହେଲା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ଗୁଜରାଟ ଓ ଝାଡଖଣ୍ଡ । ଏହି ରାଜ୍ୟଗୁଡିକରେ ମୋଟ୍ ଲୋକସଭା ଆସନ ସଂଖ୍ୟା ୧୬୨ । ୨୦୧୪ ନିର୍ବାଚନରେ ଏହି ୧୬୨ ଆସନ ମଧ୍ୟରୁ ଏନ୍ଡିଏ ସପକ୍ଷରେ ଯାଇଥିଲା ୧୫୧ । ବିଜେପି ସାମ୍ନାରେ ଏବେ ବଡ ଚ୍ୟାଲେଞ୍ଜ, ଏହି ରାଜ୍ୟଗୁଡିକରେ ନିଜ ଆସନ କିପରି ରକ୍ଷା କରାଯାଇପାରିବ । ମନେ ରଖିବାକୁ ହେବ ଯେ ଗତବର୍ଷ ଶେଷ ବେଳକୁ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିଠାରୁ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଛଡାଇ ନେଇଛି କଂଗ୍ରେସ । ଗତ ଲୋକସଭା ନିର୍ବାଚନରେ ବିଜେପି ମହାରାଷ୍ଟ୍ରରେ କୌଣସି ମେଣ୍ଟ ନକରି ନିର୍ବାଚନ ଲଢି ଥିଲା ଓ ଜିତିଥିଲା ମଧ୍ୟ । ଏହାବାଦ୍ ଏହି ୮ ରାଜ୍ୟ ମଧ୍ୟରୁ ୬ ରାଜ୍ୟରେ (ମହାରାଷ୍ଟ୍ର ଓ ଝାଡଖଣ୍ଡକୁ ବାଦ୍ ଦେଇ) ୨୦୧୪ ପରେ ବିଧାନସଭା ନିର୍ବାଚନ ହୋଇଛି । ଏଥିରେ ବିଜେପି ଭୋଟ୍ ହାର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ଅବଶ୍ୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ମତଦାନର ଟ୍ରେଣ୍ଡିଂଙ୍ଗ୍ ପୃଥକ ହୋଇଥାଏ ।
ଆକଳନ ଅନୁଯାୟୀ ଉତ୍ତର ପ୍ରଦେଶ, ବିହାର ଓ କର୍ଣ୍ଣାଟକରେ ଏନ୍ଡିଏକୁ ଏଥର ମଜଭୁତ୍ ବିପକ୍ଷ ମେଣ୍ଟର ସାମ୍ନା କରିବାକୁ ପଡିବ । ଉତ୍ତର ପ୍ରଦେଶରେ ଏସ୍ପି ଓ ବିଏସ୍ପିର ଭୋଟ୍ ବ୍ୟାଙ୍କକୁ ମିଶାଇ ଦେଲେ ସେମାନେ ବିଜେପି ଭୋଟ୍ ବ୍ୟାଙ୍କ ପାଖାପାଖି ପହଞ୍ଚôଯିବାର ସମ୍ଭାବନା ରହିଛି । ସେହିପରି ବିହାରରେ ଏଥର ଆର୍ଜେଡି ସହ ଏଚ୍ଏମ୍, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଓ ଭିଆଇପି ପାର୍ଟି ସାମିଲ ଅଛନ୍ତି । ଆର୍ଜେଡି ସହ ଯୋଡି ହୋଇଥିବାରୁ ଏହି ଛୋଟ ଛୋଟ ପାର୍ଟିଗୁଡିକର ଭୋଟ୍ ବ୍ୟାଙ୍କ ରାଜ୍ୟର କେତୋଟି ନିର୍ବାଚନମଣ୍ଡଳୀରେ ପ୍ରଭାବ ପକାଇପାରେ । କାରଣ ଏହି ରାଜ୍ୟରେ ଜାତିଗତ ସମୀକରଣ ଅଧିକ ରହିଛି । ୨୦୧୪ ଏହି ସବୁ ରାଜ୍ୟରେ ମୋଟ୍ ୧୪୮ ଆସନ ମଧ୍ୟରୁ ଏନ୍୍ଡିଏକୁ ୧୨୧ ଆସନ ମିଳିଥିଲା । ଏଥରେ ଉତ୍ତର ପ୍ରଦେଶର ଯୋଗଦାନ ସର୍ବାଧିକ ରହିଥିଲା । ସେହି ହିସାବରେ ଦେଖିଲେ ଉକ୍ତ ରାଜ୍ୟଗୁଡିକରେ ଏଥର ବିଜେପିକୁ ଅଧିକ କ୍ଷତି ସହିବାକୁ ପଡିପାରେ । ଉତ୍ତର ପ୍ରଦେଶରେ ବିଜେପିକୁ ଅତି ବେଶିରେ ୩୭ ଆସନ ମିଳିପାରେ ବୋଲି ଆକଳନ କରାଯାଉଛି । ସେହି ହିସାବରେ ଯଦି ଦେଖାଯାଏ କର୍ଣ୍ଣାଟକରେ ମଧ୍ୟ ବିଜେପିକୁ ବିପୁଳ କ୍ଷତିର ସାମ୍ନା କରିବାକୁ ପଡିପାରେ । ଏହି ରାଜ୍ୟରେ କଂଗ୍ରେସ ଓ ଜେଡିଏସ୍ର ଭୋଟ୍ ବ୍ୟାଙ୍କକୁ ଯଦି ମିଶାଇ ଦିଆଯାଏ ତେବେ ବିଜେପିକୁ ମାତ୍ର ୨ ଆସନ ମିଳିପାରେ । ଗତ ନିର୍ବାଚନରେ ବିଜେପି ଏହି ରାଜ୍ୟରେ ୧୭ ଆସନରେ ଜିତିଥିଲା ।
ପଶ୍ଚିମବଙ୍ଗରେ ୪୨ ଏବଂ ଓଡିଶାରେ ୨୧ ଲୋକସଭା ଆସନ ଉପରେ ଏଥର ବିଜେପିର ନଜର । ଏହି ଦୁଇ ରାଜ୍ୟରେ ବିଜେପି ଅନ୍ୟତମ ବିରୋଧୀ ଦଳ । ୨୦୧୪ ନିର୍ବାଚନରେ ବିଜେପି ଏହି ଦୁଇ ରାଜ୍ୟର ୬୩ ଆସନ ମଧ୍ୟରୁ ମାତ୍ର ୩ ଆସନରେ ଜିତିଥିଲା । ତନ୍ମଧ୍ୟରୁ ଓଡିଶାରୁ ୧ ଏବଂ ପଶ୍ଚିମବଙ୍ଗରୁ ୨ । ଏଥର ବିଜେପି ଉକ୍ତ ଦୁଇ ରାଜ୍ୟରେ ସରକାର ବିରୋଧୀ ସ୍ରୋତର ଆକଳନ କରୁଛି । ପଶ୍ଚିମବଙ୍ଗରେ ସବୁ କିଛି ନିଷ୍ପତ୍ତି କରୁଛି ବାମଦଳର ଭୋଟ ଶେୟାର ଉପରେ । ବିଜେପି ଯଦି ଏହା ଉପରେ ଭାଗ ବସାଇପାରିବ ତେବେ ଦଳକୁ କିଛିଟା ଫାଇଦା ମିଳିପାରେ । ଓଡିଶାରେ ବିଜେପି ଯଦି କଂଗ୍ରେସ ଭୋଟ୍ ଶେୟାର ଉପରେ ଭାଗ ବସାଇପାରେ ତେବେ ଫାଇଦା ଉଠାଇପାରିବ । ଓଡିଶାରେ ବିଜେଡି ୧୯ ବର୍ଷ କ୍ଷମତାରେ ଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧୀ ଅନୁଃସ୍ରୋତର ସୂଚନା ଖୁବ୍ କମ୍ ମିଳୁଛି । ବିଜେପି ୨୦୧୭ ପଞ୍ଚାୟତ ନିର୍ବାଚନର କିଛିଟା ସଫଳତା ଉପରେ ନିର୍ଭର କରି ଏଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି । ବିଜେଡି ତା’ର ପଞ୍ଚାୟତ ନିର୍ବାଚନ ରଣନୀତି ତ୍ରୁଟି ସୁଧାରି ନିର୍ବାଚନ ଲଢୁଛି । ଏନ୍ଡି ଟିଭି ପୋଲ୍ ଅଫ୍ ପୋଲ୍ସ ସର୍ଭେ ଅନୁଯାୟୀ ଏଥର ଓଡିଶା ଓ ପଶ୍ଚିମବଙ୍ଗରୁ ବିଜେପି ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ଆସନ ପାଇପାରେ ବୋଲି ଆକଳନ କରାଯାଇଛି ।