ବେନିୟମ ଭାବେ ଗ୍ରାମ ମଧ୍ୟରେ ୧୧ କେଭି ବିଦ୍ୟୁତ୍ ତାର ଟଣାକୁ ନେଇ ଉତ୍ତେଜନା

କେନ୍ଦୁଝର,ତା ୧୧ ଅପ୍ରେଲ (ହଲଚଲ୍ ନ୍ୟୁଜ୍/ହିମାଂଶୁ ଶେଖର ଦାସ) ଆନନ୍ଦପୁର ପୌରପାଳିକା ଅଧିନସ୍ଥ ୧୩ ନମ୍ବର ୱାର୍ଡ ଖପରାଖାଇ ଏବଂ ଜଅଁରା ଗ୍ରାମ ମଧ୍ୟରେ ବିଦ୍ୟୁତ୍ ବିଭାଗ ବେଆଇନ୍ ଭାବେ ଖୁଣ୍ଟ ପୋତି ୧୧ହଜାର କେଭି ତାର ଟଣାକୁ ନେଇ ପୁଣି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଖବର ମୁତାବକ ଗ୍ରାମ ମଧ୍ୟରେ ବିଦ୍ୟୁତ୍ ବିଭାଗ ବେଆଇନ୍ ଭାବେ ଖୁଣ୍ଟ ପୋତି ୧୧ କେଭି ତାର ଟଣିବାକୁ ଉଦ୍ୟମ ଚଳାଇଥିଲେ । ବିଭାଗର ମନମୁଖୀ କାର୍ଯ୍ୟକୁ ବିରୋଧ କରି ଗ୍ରାମର ଅନିଲ୍ କୁମାର ମହାନ୍ତି ଓ ଗ୍ରାମର ଲୋକମାନେ ମିଳିତ ଭାବେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ ବିଭାଗ ପକ୍ଷରୁ ଲୋକମାନଙ୍କ ବିରୋଧକୁ ଖାତିର୍ ନକରି କାର୍ଯ୍ୟ ଆରମ୍ଭ କରିଥିଲେ, କାର୍ଯ୍ୟ ଆରମ୍ଭ ଦେଖି ଗ୍ରାମର ଲୋକମାନେ ଏକତ୍ରିତ ହୋଇ ଉକ୍ତ କାର୍ଯ୍ୟକୁ ବନ୍ଦ କରାଇଥିଲେ । ପୁଣି ଗୁରୁବାର ଦିନ କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ଚାପରେ ବିଦ୍ୟୁତ୍ ବିଭାଗ ତରଫରୁ ତାର ଟାଣା କାର୍ଯ୍ୟ ଆରମ୍ଭ କରିବାକୁ ଉଦ୍ୟମ କରାଯାଉଥିଲା । ଏହାକୁ ବିରୋଧ କରି ଗ୍ରାମର ଶତାଧିକ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ କାର୍ଯ୍ୟ ବନ୍ଦ କରିବା ପରେ ପୁଣି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ପୁର୍ନବାର କାର୍ଯ୍ୟ ଆରମ୍ଭ କରିବାକୁ ଉଦ୍ୟମ କଲେ ଗ୍ରାମର ଶତାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ
ଉକ୍ତ କାର୍ଯ୍ୟ ବନ୍ଦ କରାଇବାକୁ ଏଅଞ୍ଚଳର ଜନସାଧାରଣ ମହଲରେ ଦାବି ହୋଇଛି ।