ଆସନ୍ତା ୧୬ ରେ ସମ୍ବଲପୁର ଆସୁଛନ୍ତି ମୋଦି !

ସମ୍ବଲପୁର  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ତାରିଖ ଦିନ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ସେ ଏହି ଗସ୍ତ ସମୟରେ ସମ୍ବଲପୁର-ହୀରାକୁଦ ରାସ୍ତାର ଲରପଙ୍କ ପଡ଼ିଆ ବିଜେପିର ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି। ଆଜି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବାବଦରେ ଉତ୍ତରାଞ୍ଚଚଳ ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇ, ଆରକ୍ଷୀ ଅଧିକ୍ଷକ ସଞ୍ଜୀବ ଆରୋରା ପ୍ରମୁଖ ପ୍ରସ୍ତାବିତ ସଭାସ୍ଥଳ ପରିଦର୍ଶନ କରିଛନ୍ତି। ସେହିଭଳି ବିଜେପି କର୍ମକର୍ତ୍ତାମାନେ ମଧ୍ୟ ମଞ୍ଚ ପ୍ରସ୍ତୁତି ନେଇ ଅନୁଧ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀ ମୋଦିଙ୍କ ଏହା ପ୍ରଥମ ସମ୍ବଲପୁର ଗସ୍ତ ହେବ। ଗୁଜୁରାଟର ମୁଖ୍ୟମନ୍ତ୍ରୀ ହିସାବରେ ସେ ୨୦୦୯ ଏବଂ ୨୦୧୪ ସାଧାରଣ ନିର୍ବାଚନ ବେଳେ ଏଠାକୁ ଆସି ପିଏଚଡ଼ି ପଡ଼ିଆ ଠାରେ ଆୟୋଜିତ ଦଳୀୟ ସଭାରେ ଭାଷଣ ଦେଇଥିଲେ। ଏଥି ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ଜବାହାର ଲାଲ ନେହେରୁ, ଇନ୍ଦିରା ଗାନ୍ଧୀ କଂଗ୍ରେସ, ମୋରାରଜୀ ଦେଶାଇ ଜନତା ପାର୍ଟି ଓ ଚନ୍ଦ୍ରଶେଖର ସମାଜବାଦୀ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ସମୟରେ ସମ୍ବଲପୁର ଠାରେ ଆୟୋଜିତ ନିର୍ବାଚନୀ ସଭା ଗୁଡ଼ିକରେ ଯୋଗଦେଇଥିଲେ। ୨୦୦୦ ମସିହାରେ ପ୍ରଧାନମନ୍ତ୍ରୀ ଥିବା ବେଳେ ଅଟଳ ବିହାରୀ ବାଜପେୟୀ ତତ୍କାଳୀନ ବିଜେଡ଼ି-ବିଜେପି ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ସକାଶେ ସମ୍ବଲପୁର ସମାବେଶରେ ଉଦବୋଧନ ଦେଇଥିଲେ।