ଓଡିଶାର ୪ ଟି ଲୋକସଭା ନିର୍ବାଚନମଣ୍ଡଳୀରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର,(ହଲଚଲ୍ ନ୍ୟୁଜ୍)-ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା ବ୍ରହ୍ମପୁର, କୋରାପୁଟ, ନବରଂଗପୁର ଓ କଳାହାଣ୍ଡିରେ ହେଉଥିବା ବେଳେ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ବ୍ରହ୍ମପୁର, ଚିକିଟି, ଛତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ପାରଳାଖେମୁଣ୍ଡି, ମୋହନା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ, ରାୟଗଡା ବିଷମକଟକ, ଗୁଣପୁର, ନବରଂଗପୁର, ଡାବୁଗାଁ, ଉମରକୋଟ, ଝରିଗାଁ, କୋଟପାଡ, ମାଲକାନଗିରି, ଚିତ୍ରକୋଣ୍ଡା, ଭବାନୀପାଟଣା, ଜୁନାଗଡ, ନର୍ଲା, ଧର୍ମଗଡ, ଲାଞ୍ଜିଗଡ, ନୂଆପଡା ଓ ଖଡିଆଳରେ ହେବ । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୧୩,୭.୭୦୬ ଥିବା ବେଳେ ପ୍ରତିନ୍ଦ୍ୱନ୍ଦୀଙ୍କ ସଂଖ୍ୟା ୯ ରହିଛି । ପ୍ରତିନ୍ଦ୍ୱନ୍ଦୀଙ୍କ ମଧ୍ୟରେ ବିଜେପିର ଭୃଗୁ ବକ୍ସିପାତ୍ର ଥିବା ବେଳେ କଂଗ୍ରେସର ଭି.ଚନ୍ଦ୍ରଶେଖର ନାଇଡୁ ଓ ବିଜେଡିର ଚନ୍ଦ୍ରଶେଖର ସାହୁ ରହିଛନ୍ତି । ବ୍ରହ୍ମପୁରରେ ସମୁଦାୟ ବୁଥ ସଂଖ୍ୟା ୧୬୯୦ ରହିଛି । ସେହିଭଳି କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୧୪,୦୮,୫୭୩ ରହିଥିବା ବେଳେ ପ୍ରତିନ୍ଦ୍ୱନ୍ଦୀଙ୍କ ସଂଖ୍ୟା ୭ ରହିଛି । ବିଜେପିରୁ ଜୟରାମ ପାଙ୍ଗି, କଂଗ୍ରେସରୁ ସପ୍ତଗିରି ଉଲାକ ଓ ବିଜେଡିରୁ କୌଶଲ୍ୟା ହିକକା ଅଛନ୍ତି । ମୋଟ ବୁଥ ସଂଖ୍ୟା ୨୦୦୮ ରହିଛି । ସେହିଭଳି ନବରଂଗପୁରରେ ମୋଟ ଭୋଟରଙ୍କ ସଂଖ୍ୟା ୧୪,୨୫,୫୬୧ ଜଣ ଥିବା ବେଳେ ପ୍ରତିନ୍ଦ୍ୱନ୍ଦୀଙ୍କ ସଂଖ୍ୟା ୪ ରହିଛି । ବିଜେଡିରୁ ରମେଶ ମାଝୀ ଥିବା ବେଳେ ବିଜେପିରୁ ବଳଭଦ୍ର ମାଝି ଓ କଂଗ୍ରେସରୁ ପ୍ରଦୀପ ମାଝି ଅଛନ୍ତି । ମୋଟ ବୁଥ ସଂଖ୍ୟା ୧୭୬୮ ରହିଛି । ସେହିଭଳି କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ୧୫,୮,୭୬୬ ଜଣ ଭୋଟର ଥିବା ବେଳେ ପ୍ରତିନ୍ଦ୍ୱନ୍ଦୀଙ୍କ ସଂଖ୍ୟା ୭ ରହିଛି । ବିଜେଡିରୁ ପୁଷ୍ପେନ୍ଦ୍ର ସିଂହ ଦେଓ ଥିବା ବେଳେ ବିଜେପିରୁ ବସନ୍ତ ପଣ୍ଡା ଓ କଂଗ୍ରେସରୁ ଭକ୍ତ ଚରଣ ଦାସ ଅଛନ୍ତି । କଳାହାଣ୍ଡିରେ ମୋଟ ବୁଥ ସଂଖ୍ୟା ୨୦୦୮ ରହିଛି ।