ଓଡିଶା ସୀମାନ୍ତ ଛତିଶଗଡରେ ବଡ଼ଧରଣର ମାଓବାଦୀ ହମଲା:ବିଧାୟକଙ୍କ ସମେତ ୫ ନିରାପତ୍ତାରକ୍ଷୀ ନିହତ

ମାଲକାନଗିରି : ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ବସ୍ତର ନିର୍ବାଚନମଣ୍ଡଳୀରେ ନିର୍ବାଚନର ଦୁଇଦିନ ପୂର୍ବରୁ ମଙ୍ଗଳବାର ଘଟିଛି ବଡଧରଣର ମାଓବାଦୀ ହମ୍ଲା । ମାଓବାଦୀଙ୍କ ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ବିଜେପି ବିଧାୟକ ଭୀମ ମାଣ୍ଡବି ଏବଂ ସହିଦ ହୋଇଛନ୍ତି ୫ ଜଣ ସୁରକ୍ଷା କର୍ମୀ । ଦନ୍ତେୱାଡା ଜିଲ୍ଲାର କୁଆକୋଣ୍ଡାରେ ଘଟିଛି ଏହି ମର୍ମନ୍ତୁଦ ଘଟଣା । ସୁରକ୍ଷା କର୍ମୀଙ୍କ ଯାନ ବିସ୍ଫୋରଣରେ ଖଣ୍ଡବିଖଣ୍ଡିତ ହୋଇଛି । ବିଧାୟକ ମାଣ୍ଡବି ନିର୍ବାଚନ ପ୍ରଚାର ସାରି ଫେରୁଥିବାବେଳେ ମାଓବାଦୀମାନେ ରାସ୍ତାରେ ଖଞ୍ଜିଥିବା ବିସ୍ଫୋରକକୁ ବିସ୍ଫୋରଣ ଘଟାଇଥିଲେ । ମୃତୁ୍ୟବରଣ କରିଥିବା ମାଣ୍ଡବି ହେଉଛନ୍ତି ସମଗ୍ର ବସ୍ତର ଅଞ୍ଚଳର ଏକମାତ୍ର ବିଜେପି ବିଧାୟକ ଥିଲେ । ସେ ଦାନ୍ତେୱାଡା (ଏସ୍ଟି) ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ବସ୍ତର ଅଞ୍ଚଳ ମାଓବାଦୀ ଅଧୁ୍ୟଷିତ ହୋଇଥିବା କାରଣରୁ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ବିଧାୟକ ମାଣ୍ଡବି ମଙ୍ଗଳବାର ଉକ୍ତ ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଶେଷ ଦିନରେ ପ୍ରଚାର କରିବାକୁ ଯାଇଥିଲେ । ତାଙ୍କୁ ସରକ୍ଷା ଦେବା ସକାଶେ ସୁରକ୍ଷା ବାହିନୀର ଏକ ଦଳ ତାଙ୍କ ସହ ଯାଇଥିଲେ । ମାତ୍ର ଫେରିବା ବାଟରେ ମାଓବାଦୀମାନେ ସେମାନଙ୍କୁ ଟାର୍ଗେଟ୍ କରିଥିଲେ । ବିସ୍ଫୋରଣ ଘଟିଥିବା କୁଆକୋଣ୍ଡା ଅଞ୍ଚଳ ଦାନ୍ତେୱାଡାର ସବୁଠାରୁ ଅଧିକ ମାଓ ଉପଦ୍ରୁତଭାବେ ଜଣାଶୁଣା । ବିସ୍ଫୋରଣରେ ସୁରକ୍ଷା ବାହିନୀର ଯାନଟି ଏଭଳି ଖଣ୍ଡବିଖଣ୍ଡିତ ହୋଇଯାଇଛି ଯେ ତାହାକୁ ଚିହ୍ନିବା ସହଜ ହୋଇନାହିଁ । ବିସ୍ଫୋଣସ୍ଥଳରେ ନିରାପତ୍ତାରକ୍ଷୀ ଯବାନଙ୍କ ଖଣ୍ଡବିଖଣ୍ଡିତ ଶରୀର ବିକ୍ଷିପ୍ତ ହୋଇପଡିଥିଲା । ସହିଦ ହୋଇଥିବା ନିରାପତ୍ତାରକ୍ଷୀମାନେ ଜିଲ୍ଲା ପୁଲିସ୍ ବଳର ବୋଲି ଜଣାପଡିଛି । ମାଣ୍ଡବୀଙ୍କ ଯାନଟି ବୁଲେଟ୍ ପ୍ରୁଫ୍ ହୋଇଥିଲେ ମଧ୍ୟ ଶକ୍ତିଶାଳୀ ବିସ୍ଫୋରକ ବ୍ୟବହାର କରାଯାଇଥିବା କାରଣରୁ ତାହା ଖଣ୍ଡବିଖଣ୍ଡିତ ହୋଇଯାଇଛି ।
ଏହି ମାଓବାଦୀ ଆକ୍ରମଣ ଅପରାହ୍ଣ ସାଢେ ୪ଟାରେ ଘଟିଥିଲା । ଯେଉଁ ବାଟ ଦେଇ ସେମାନେ ଫେରୁଥିଲେ ତାହା ନିରାପଦ ନୁହେଁ ବୋଲି ଜିଲ୍ଲା ପୁଲିସ୍ ପକ୍ଷରୁ ବହୁପୂର୍ବରୁ ଘୋଷଣା କରାଯାଇଥିଲା । ଏହାସତ୍ତ୍ୱେ ବିଧାୟକ ମାଣ୍ଡବି ଅପରାହ୍ଣ ୫ଟା ପୂର୍ବରୁ ଅନ୍ୟ ଏକ ସ୍ଥାନରେ ଦଳୀୟ ପ୍ରାର୍ଥୀ ବୈଦୁ୍ୟରାମ କାଶ୍ୟପଙ୍କ ସକାଶେ ପ୍ରଚାର ସକାଶେ ଏହି ରାସ୍ତାରେ ଫେରୁଥିଲେ । ପ୍ରକାଶ ଯେ ଗତ ଡିସେମ୍ବର ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ୪୦ ବର୍ଷ ବୟସ୍କ ମାଣ୍ଡବି ନିର୍ବାଚିତ ହୋଇଥିଲେ । ସେ ପୁଲିସ୍ର ସତର୍କତାକୁ ଅଣଦେଖା କରି ବିପଦପୂର୍ଣ୍ଣ ରାସ୍ତାରେ ଫେରୁଥିବାରୁ ଏଭଳି ଅଘଟଣର ଶିକାର ହେଲେ ବୋଲି କୁହାଯାଉଛି । ଏହି ଖବର ପ୍ରଚାରିତ ହେବାପରେ ଦାନ୍ତେୱା ଏସ୍ପି ଅଭିଷେକ ପାଲ୍ଲାଭା ଏବଂ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚôଥିଲେ । ମାଓବାଦୀଙ୍କ ଦ୍ୱାରା କୌଣସି ରାଜନେତାଙ୍କ ଉପରେ ଆକ୍ରମଣ ଘଟଣା ଛତିଶଗଡରେ ୨୦୧୩ ପରେ ଘଟିଲା ବୋଲି କୁହାଯାଉଛି । ପୁଲିସ୍ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡାକଡି କରି ଯବାନଙ୍କ ସହ ତଲାସି ଅଭିଯାନ ଆରମ୍ଭ କରିଛି ।