ବିଜେଡିର ନିର୍ବାଚନ ଇସ୍ତାହାର ଉନ୍ମୋଚିତ – ଚାଷୀ, ମହିଳା ଓ ଯୁବଗୋଷ୍ଠୀଙ୍କ ଉପରେ ଗୁରୁତ୍ୱ

ଭୁବନେଶ୍ୱର (ଆକାଶ ମିଶ୍ର) -୨୦୧୯ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଇସ୍ତାହାର ପ୍ରକାଶ କରିଛି । ମହିଳା ସଶକ୍ତିକରଣ, ଚାଷୀ ଙ୍କ ଉପରେ ଗୁରୁତ୍ୱ ଦିଆଯାଇଥିବା ଉଲ୍ଲେଖ କରାଯାଇଛି । ବିଶେଷ କରି କ୍ଷମତାକୁ ଆସିଲେ କାଳିଆ ଯୋଜନା ସବୁ ଦିନ ପାଇଁ ଲିବ ବୋଲି କୁହାଯାଇଛି । ଏପରିକି ସରକାର ଗଠନର ପ୍ରଥମ ଦିନରେ ବାକି ଥିବା ୨୫ ଲକ୍ଷ ଷୀଙ୍କ ଦୁଇଟି କିସ୍ତିର ୧୦,୦୦୦ ଟଙ୍କା ଏକା ଥରକେ ପ୍ରଦାନ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି ।

ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଜାରି କରି କହିଥିଲେ ଯେ ଆମେ ପ୍ରତିଶ୍ରୁତି ପାଳନ କରିଛୁ । ଅନ୍ୟ ଦଳ ପରି ଫାଙ୍କା ପ୍ରତିଶ୍ରୁତି ଦେଉନାହିଁ ବୋଲି ସେ କହିଥିଲେ । ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଇସ୍ତାହାରରେ ଜୁହାର (ଜଏଂଟ ଅପଲିଫ୍ଟମେଂଟ ଅଫ ହାବିଟେସନ୍ ଆଣ୍ଡ ରିଜନ) ନାଁରେ ଏକ କାର୍ଯ୍ୟକ୍ରମ ନିମନ୍ତେ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଛି । ଜୁହାର କାର୍ଯ୍ୟକ୍ରମ ମାଧ୍ୟମରେ ୮ଟି ଜିଲ୍ଲା ଓ ୩ଟି ସବଡିଭିଜନରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇ ସେଥିରେ ବିଶେଷଜ୍ଞମାନଙ୍କୁ ସାମିଲ କରି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି କୁହାଯାଇଛି । ନବୀନ ଓଡ଼ିଶା,ସଶକ୍ତ ଓଡ଼ିଶା ଓ ସମସ୍ତଙ୍କ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯିବ । ପାରମ୍ପରିକ ବୃତି ଯଥା ପୂଜାରୀ, ବାରିକ ଓ ରଜକଙ୍କୁ ପ୍ରୋତ୍ସାହିତ କରିବା ୱେଲଫେୟାର ବୋର୍ଡ ଗଠନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ବିଜେଡିର ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ମିଶନ ଶକ୍ତି ପାଣ୍ଠି ବୃଦ୍ଧି, ଏସଏଚଜି ମହିଳା ସଦସ୍ୟଙ୍କୁ ଦୁର୍ଘଟଣା ବୀମା, ପ୍ରତି ପଂଚାୟତରେ ମିଶନ ଶକ୍ତି ବଜାର, କର୍ପସ ଫଣ୍ଡ, ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି, ରେଜିଷ୍ଟ୍ରେସନ ବେଳେ ଷ୍ଟାମ୍ପ ଡ୍ୟୁଟିରେ ରିହାତି ସହ ଝିଅମାନଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ଗରିବ ଝିଅଙ୍କୁ ବିବାହ ପାଇଁ ୨୫ହଜାର ଟଙ୍କା, ପ୍ରତ୍ୟେକ ମହିଳା ଓ ସ୍ୱାମୀ ପରିତ୍ୟକ୍ତାଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ସେହିପରି । କାଳିଆ ଯୋଜନାର କାର୍ଯ୍ୟକାରିତା ଏବଂ ଧାନ କ୍ୱିଂଟାଲ ପିଛା ୨୯୩୦ଟଙ୍କା ଏମଏସପି ଦେବାକୁ କେନ୍ଦ୍ର ପାଖରେ ଦାବି ଜୋରଦାର କରିବା ଓ ପ୍ରତ୍ୟେକ ପଂଚାୟତରେ ଗୋଦାମଗୃହ ନିର୍ମାଣ କରାଯିବ ବୋଲି କୁହାଯାଇଛି ।
ଇସ୍ତାହାର ସମ୍ପର୍କରେ ସୂଚନା ଦେଇ ଅମର ପଟ୍ଟନାୟକ କହିଛନ୍ତି ଯେ ଘର ଘର ବୁଲି ମତ ସଂଗ୍ରହ ପରେ ଇସ୍ତାହାର ପ୍ରସ୍ତୁତ ହୋଇଛି । ୨୦୧୪ରେ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ୨୦୧୯ ପ୍ରତିଶ୍ରୁତି ମଧ୍ୟ ପୂରଣ କରିବୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଆସନ୍ତା ୧୧ ତାରିଖରୁ ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ପୂର୍ବରୁ କଂଗ୍ରେସ ଓ ବିଜେପି ଉଭୟ ଜାତୀୟ ଓ ଆଚଳିକ ସ୍ତରରେ ଇସ୍ତାହାର ପ୍ରକାଶ କରିସାରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ବିଜେଡି ତାର ଇସ୍ତାହାର ପ୍ରକାଶ କରିଛି ।