ବିଜେପି ର ନିର୍ବାଚନୀ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶିତ

ଭୁବନେଶ୍ୱର: ଓଡ଼ିଶାରେ ମତଦାନ ହେବାର ଅବ୍ୟବହିତ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳର ନିବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶିତ କରିଛନ୍ତି ।ଓଡ଼ିଶାରେ ଦାରିଦ୍ର‌୍ୟତାକୁ ମୂଳୋତ୍ପାଟନ, ଆଦିବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ମହିଳାଙ୍କ ସୁରକ୍ଷା, ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ପରି ୯ଟି ଗୁରୁତ୍ୱ ପ୍ରସଙ୍ଗକୁ ନେଇ ବିଜେପି ପ୍ରସ୍ତୁତ କରିଛି ଦଳର ଇସ୍ତାହାର । ଏହି ଇସ୍ତାହାରରେ ଉଲ୍ଲେଖ ରହିଛି, ଭାରତର ସାଂସ୍କୃତିକ ପ୍ରାଣକେନ୍ଦ୍ର ହେବ ପୁରୀ ।

ଭାରତୀୟ ଜନତା ପାର୍ଟି ନିଜର ନିର୍ବାଚନୀ ଇସ୍ତାହାରରେ ୯ଟି ସଂକଳ୍ପ କରିଛି । ବିଜେପିର ସଂକଳ୍ପ ପତ୍ରରେ ଗରିବ, ମହିଳା, ଓ ବେକାରୀ ସମସ୍ୟା ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଗରିବ ଓଡ଼ିଆକୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଦେବାକୁ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ । ସେହିପରି ପ୍ରତ୍ୟେକ ଜିଲ୍ଲାରେ ମେଡ଼ିକାଲ କରିବ ବିଜେପି ସରକାର ।

ବିଜେପି ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଇଛି । ‘ଶୈଳବାଳା ଟୁ ହୁଇଲର୍ ଯୋଜନା’ରେ +୨ ଶିକ୍ଷା ପାସ୍ କରିଥିବା ମେଧାବୀ ଛାତ୍ରୀଙ୍କୁ ଦୁଇଚକିଆ ଯାନ ମାଗଣାରେ ଦିଆଯିବ । ‘ସୁଭଦ୍ରା ସମୃଦ୍ଧି ଯୋଜନା’ ଦ୍ୱାରା ୧୦ମ ଶ୍ରେଣୀ,୧୨ଶ ଶ୍ରେଣୀ ଓ ଅଣ୍ଡର ଗ୍ରାଜୁଏଟ୍ ଶ୍ରେଣୀରେ ନାମ ଲେଖାଉ ଥିବା ପ୍ରତ୍ୟେକ ଛାତ୍ରୀଙ୍କୁ ଯଥାକ୍ରମେ ୧୦,୦୦୦, ୧୫,୦୦୦ ଓ ୧୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ନେଇଥିବା ଋଣର ୧,୦୦,୦୦୦ ଟଙ୍କା ପର‌୍ୟ୍ୟନ୍ତ ଛାଡ଼ କରାଯିବ । ୩ ଲକ୍ଷ ପର‌୍ୟ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ ପାଇଁ ୨୦୦୦ କୋଟି ଟଙ୍କାର ରିଭଲ୍ଭିଂ ଫଣ୍ଡ୍ ଗଠନ କରାଯିବ । ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧର ତଦନ୍ତ ଓ ଶୀଘ୍ର ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ଫାଷ୍ଟ୍ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ । କଂଗ୍ରେସ ଭଳି ବିଜେପି ମଧ୍ୟ ବିଧବାଙ୍କୁ ମାସିକ ୧୦୦୦ ଟଙ୍କା ଓ ୭୯ ବର୍ଷରୁ ଉଦ୍ଧ୍ୱର୍ ବୟସର ବିଧବା ମହିଳାଙ୍କୁ ୧୫୦୦ ଟଙ୍କା ଦେବ । ପିଏମ୍ ମାତୃ ବନ୍ଦନା ଯୋଜନାରେ ପ୍ରସୂତିଙ୍କୁ ୯୦୦୦ ଟଙ୍କାକୁ ବୃଦ୍ଧି କରାଯିବ ।

ଚାଷୀଙ୍କୁ ମଧ୍ୟ ଧ୍ୟାନରେ ରଖାଯାଇଛି । ୬୦ ବର୍ଷ ପରେ ବିଭିନ୍ନ ବର୍ଗର ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ଭତା ପ୍ରଦାନ କରାଯିବ । ବିନାସୁଧରେ ସମସ୍ତ ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଋଣ ପ୍ରଦାନ କରାଯିବ । ସରକାର ଗଢ଼ିବାର ୧୫୦ ଦିନ ମଧ୍ୟରେ ଚିନିକଳ ମାଲିକମାନେ ବକେୟା ରଖିଥିବା ଆଖୁଚାଷୀଙ୍କ ପାଉଣା ପ୍ରଦାନ କରିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ।

ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି/ଆତ୍ମନିଯୁକ୍ତି ଯୋଗାଇ ଦେବ ବିଜେପି । ୩୦୦୦ କୋଟି ଟଙ୍କାର ରିଭଲ୍ଭିଂ ଫଣ୍ଡ ଜରିଅ ଆତ୍ମନିଯୁକ୍ତି ଯୋଗାଇ ଦିଆଯିବ । ଏହା ଦ୍ୱାରା ୧% ସୁଧ ହାରରେ ୩ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ମଧ୍ୟ ମିଳିପାରିବ । ଅନ୍ୟପକ୍ଷେ ଆଦିବାସୀ କଲ୍ୟାଣ ଓ ଉତ୍ଥାନ ପାଇଁ ୩ ମାସ ମଧ୍ୟରେ ପେସା ଆଇନ ଲାଗୁ କରାଯିବ । ଜଙ୍ଗଲ ଅଧିକାର ଆଇନର କାର‌୍ୟ୍ୟକାରୀ ହେବ । ସମ୍ବେଦନଶୀଳ ଆଦିବାସୀ ପରିବାରକୁ ପ୍ରତି ମାସରେ ୧୫୦୦ ଟଙ୍କା ପ୍ରଦାନ କରାଯିବ ।