ହେମା ଙ୍କ ଜେମା,ଜୁଏଲ୍ ଙ୍କ ସାମ୍ନାରେ ଏବେ ବିଜେଡି ର କରିତ୍ କର୍ମା !!

ଜୁଏଲ୍ ଙ୍କୁ ଟକ୍କର ଦେବେ ସୁନୀତା:ବିଜେଡି ଭୂୟାଁ କାର୍ଡ ଖେଳି ନେବ ବଦଳା !!
ଭୁବନେଶ୍ବର: ପିସିସି ଶୃଙ୍ଖଳା କମିଟୀ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି  । ନବୀନ ନିବାସରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁନୀତା ବିଜେଡ଼ିରେ ସାମିଲ ହୋଇଛନ୍ତି  । ଏହି ଅବସରରେ ନବ ଦାସ ମଧ୍ୟ ଉପସ୍ଥିତ ଥିଲେ  । ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କୁ ସୁନ୍ଦରଗଡ଼ରୁ ଲୋକସଭା ପ୍ରାର୍ଥୀ କରାଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି  ।

ଅପରପକ୍ଷରେ ଝିଅର ବିଜେଡ଼ିରେ ଯୋଗଦାନକୁ ନେଇ ହେମାନନ୍ଦ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି  । ସେ ଛୋଟ ପିଲାନୁହେଁ ଯେ, ସେ ମୋର ପରାମର୍ଶ ନେବ  । ବିଜେଡ଼ିରେ ଯୋଗଦାନ ନିଷ୍ପତି ସମ୍ପୂର୍ଣ୍ଣ ଭାବେ ତା’ର ନିଜସ୍ୱ  । ତେବେ ମୁଁ କଂଗ୍ରେସ ପାଇଁ ପ୍ରଚାର କରିବି ଓ ଝିଅ ବିଜେଡ଼ି ପାଇଁ ପ୍ରଚାର କରିବ ବୋଲି ହେମାନନ୍ଦ କହିଛନ୍ତି  ।

ସୁନୀତା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିଲେ  । ଗତ ପଂଚାୟତ ନିର୍ବାଚନ ପୂର୍ବରୁ ହେମାନନ୍ଦଙ୍କ ଦୁଇ ଭାଇ କ୍ଷୀରସାଗର ବିଶ୍ୱାଳ ଓ ବିହାରୀ ବିଶ୍ୱାଳ ବିଜେଡ଼ିରେ ସାମିଲ ହୋଇଥିଲେ  ।

ଝାରସୁଗୁଡ଼ା କଂଗ୍ରେସ ରାଜନୀତିକୁ କରାୟତ କରି ରଖିଥିବା ନବ ଦାସ ଦଳ ଛାଡ଼ିବା ପରେ ଏହି ଜିଲ୍ଲା ଦାୟିତ୍ୱ ନେଇଥିଲେ ହେମାନନ୍ଦ  । ଯାହା ନବଙ୍କୁ ଅକଳରେ ପକାଇବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା  । କିନ୍ତୁ ଏବେ ରାଜନୀତିକ ପାଣିପାଗ ବଦଳି ଯାଇଛି  । ସୁନୀତାଙ୍କୁ କଂଗ୍ରେସ ଟିକେଟ ନଦେବାରୁ ସେ ଦଳ ଛାଡ଼ିବାକୁ ଯାଉଛନ୍ତି  । ସେ ବିଜେଡ଼ିରେ ମିଶି ସୁନ୍ଦରଗଡ଼ରୁ ପ୍ରାର୍ଥୀ ହେବେବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ସୁନ୍ଦରଗଡ଼ରୁ କଂଗ୍ରେସ ନେତା ଜର୍ଜ ତିର୍କୀ ଓ ବିଜେପିରୁ ଜୁଏଲ ଓରାମ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଥିବାବେଳେ ସୁନୀତା ସେମାନଙ୍କୁ ଟକ୍କର ଦେବେବୋଲି ସୁନ୍ଦରଗଡ଼ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ସୁନ୍ଦରଗଡ଼ରେ ଭୂୟାଁ ସମ୍ପ୍ରଦାୟର ଭଲ ଭୋଟ ରହିଛି  । ଯେଉଁଥିପାଇଁ ଜୁଏଲଙ୍କୁ ମଧ୍ୟ ହେମାନନ୍ଦ ପରାସ୍ତ କରିପାରିଥିଲେ  । ଗତ ନିର୍ବାଚନରେ ଅଳ୍ପକେ ବିଜେଡ଼ି ନେତା ଦିଲୀପ ତିର୍କୀ ପରାସ୍ତ ହୋଇଥିଲେ  । ତେବେ ହେମାନନ୍ଦଙ୍କ ଝିଅଙ୍କୁ ଦଳକୁ ନେଇ ଜୁଏଲଙ୍କୁ ଚେକ ଦେବା ପାଇଁ ନବୀନ ପଟ୍ଟନାୟକ ଯୋଜନା କରିଛନ୍ତି  । ପୂର୍ବରୁ ଦିଲ୍ଲୀପ ରାୟ ବିଜେପି ଛାଡ଼ିଥିବାବେଳେ ସୁନୀତାଙ୍କ ଯୋଗଦାନ ଜୁଏଲଙ୍କ ରାଜନୀତିକ ରାସ୍ତାକୁ ବନ୍ଧୁର କରିଦେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି  ।