ଧର୍ମ ନାମରେ ବିଶ୍ୱକୁ ବିଭାଜନ କରାଯିବା ଉଚିତ୍ ନୁହେଁ ।

ଆବୁଧାବି : ଆତଙ୍କବାଦ ଓ ଉଗ୍ରବାଦ୍ ଭିନ୍ନ ନାମ ଓ ସଙ୍କେତ ବହନ କରେ । ଧର୍ମ ନାମରେ ବିଶ୍ୱକୁ ବିଭାଜନ କରାଯିବା ଉଚିତ୍ ନୁହେଁ । ଧର୍ମ ପାଇଁ ନଲଢି ଆତଙ୍କବାଦ ବିଲୋପ ପାଇଁ ସମସ୍ତେ ଏକଜୁଟ୍ ହେବା ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଆବୁଧାବିରେ ଆଜି ଅନୁଷ୍ଠିତ ଇସ୍ଲାମିକ୍ ରାଷ୍ଟ୍ର ସଂଗଠନ (ଓଆଇସି)ର ବୈଠକରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ସଂଗ୍ରାମ ସାମ୍ପ୍ରତିକ ସମୟର ସବୁଠାରୁ ବଡ ଆବଶ୍ୟକତା । ଆତଙ୍କବାଦ ନିରାକରଣ ଅର୍ଥ ନୁହେଁ, କୌଣସି ରାଷ୍ଟ୍ରକୁ ବିରୋଧ କରିବା । ଆତଙ୍କବାଦ ବିଶ୍ୱକୁ ବିଭାଜ କରିବା ଲାଗି ବ୍ୟବହାର କରାଯାଉଛି । ଧର୍ମ ନାମରେ କିଛି ଲୋକଙ୍କୁ ପ୍ରଭାବିତ କରି ହିଂସାକାଣ୍ଡ ପାଇଁ ପ୍ରରୋଚିତ କରାଯାଉଛି ବୋଲି ଶ୍ରୀମତୀ ସ୍ୱରାଜ କହିଛନ୍ତି ।
ବର୍ତ୍ତମାନର ପରିସ୍ଥିତିକୁ ନେଇ ଭାରତ-ପାକ୍ ସମ୍ପର୍କରେ ତୀକ୍ତତା ସୃଷ୍ଟି ହୋଇଥିବା ବେଳେ ୫୭ ଇସ୍ଲାମିକ ରାଷ୍ଟ୍ର ପ୍ରତିନିଧିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଓଆଇସି ୫୬ତମ ଦୁଇଦିନିଆ ଅଧିବେଶନରେ ସମ୍ମାନିତ ଅତିଥିଭାବେ ଉଦ୍ବୋଧନ ଦେଇ ଶ୍ରୀମତୀ ସ୍ୱରାଜ କହିଛନ୍ତି ଯେ ଇସ୍ଲାମ ଅର୍ଥ ହେଉଛି ଶାନ୍ତି । ଆହ୍ଲାଙ୍କ ୯୯ ନାମ ମଧ୍ୟରୁ କୌଣସି ଗୋଟିଏ ବି ହିଂସାର ପ୍ରତୀକ ନୁହେଁ । ପାକିସ୍ତାନର ନାଁ ନନେଇ ସେ କହିଛନ୍ତି ଯେ ପ୍ରତ୍ୟେକ ଧର୍ମ ଶାନ୍ତିର ବାର୍ତ୍ତା ଦିଏ । ସଂହତି ଓ ଭାତୃଭାବ ଧର୍ମର ମୂଳ ଲକ୍ଷ୍ୟ । ଭାରତ ଏଭଳି ଏକ ରାଷ୍ଟ୍ର ଯିଏ ଏ ସୃଷ୍ଟି ପ୍ରାରମ୍ଭରୁ ଶାନ୍ତି ଓ ମୌତ୍ରୀର ବାର୍ତ୍ତା ବହନ କରିଆସିଛି । ଏଠାରେ ମୁସ୍ଲମାନ ଧର୍ମାବଲମ୍ବୀ ଏକାଧିକ ଭାରତୀୟ ଭାଷା ବ୍ୟବହାର କରନ୍ତି । କୋଟି କୋଟି ଭାରତୀୟଙ୍କ ମଧ୍ୟରେ ଆବାହମାନ କାଳରୁ ଭାତୃଭାବର ଧାରା ପ୍ରବାହିତ ହେଉଛି । ସେମାନଙ୍କ ମଧ୍ୟରେ ୧୮୫ ନିୟୁତ ମୁସ୍ଲମାନ ଭାଇଭଉଣୀ ଅଛନ୍ତି । ଯେଉଁମାନେ କି ଭାରତୀୟ ଏକତାର ମୂଳତତ୍ତ୍ୱ । ୟୁଏଇ ଓ ଉପସାଗରୀୟ ରାଷ୍ଟ୍ର ସମେତ ପଶ୍ଚିମ ଏସୀୟ ଅଞ୍ଚଳ ସହିତ ଭାରତର ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ରହିଛି । ଏସବୁ ରାଷ୍ଟ୍ରର ସୁଖଦୁଃଖ ସହିତ ଭାରତ ସବୁବେଳେ ରହିଆସିଛି । ଆମେ ସ୍ୱାଧୀନତାର ଆଲୋକ ଦେଖିଛେ । ସ୍ୱାଧୀନତା ଓ ସଦ୍ଦିଚ୍ଛା ବଜାୟ ରଖିବା ଲାଗି ଉପନିବେଶବାଦର କଳା ବାଦଲକୁ ହଟାଇବାକୁ ପଡିବ ବୋଲି ଶ୍ରୀମତୀ ସ୍ୱରାଜ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସେ କୋରାନ, ଋକ୍ବେଦ ଓ ଗୁରୁ ନାନକଦେବଙ୍କ ବାଣୀ ଆବୃତି କରି ଆତଙ୍କବାଦର ମୂଳୋତ୍ପାଟନ ପାଇଁ ମତବ୍ୟକ୍ତ କରିଥିଲେ ।
ସୂଚନା ଥାଉକି, ପୁଲୱାମା ଆକ୍ରମଣ ପ୍ରଚ୍ଛଦପଟରେ ଆରମ୍ଭ ହୋଇଥିବା ଇସ୍ଲାମୀୟ ରାଷ୍ଟ୍ର ସମ୍ମିଳନୀରେ ଭାରତର ଉପସ୍ଥିତିକୁ ପାକିସ୍ତାନ ଦୃଢ ବିରୋଧ କରିଛି । କେବଳ ଏଇଥିପାଇଁ ପାକ୍ ପ୍ରତିନିଧି ବୈଠକକୁ ବର୍ଜନ କରିଛନ୍ତି ।