ଝିଅଙ୍କ ପସନ୍ଦ ଲେହେଙ୍ଗା,ପୁଅଙ୍କ ଧୋତି-କମିଜ୍

ଦିନ ଥିଲା ବାହାଘର ଆସିଲେ ବମ୍କେଇ,ବନାରସୀ ପାଟ ଖୋଜା ପଡ଼ୁଥିଲା ଯିଏ ଯେତେ ଅଧିକ ଦାମ୍ ର ଶାଢୀ ପିନ୍ଧୁଥିଲା, ସିଏ ସେତେ ସୁନ୍ଦର ଲାଗୁଥିଲା । କିନ୍ତୁ , ଏବେ ସେ ଯୁଗ ଆଉ ନାହିଁ । ଶାଢୀର ସ୍ଥାନ ନେଇଛି ଭିନ୍ନ ଭିନ୍ନ ଡ଼ିଜାଇନର ଲେହେଙ୍ଗା । ସାଧାରଣତଃ ଲେହେଙ୍ଗା ବିହାରୀ, ମାରୱାଡ଼ି ଓ ଗୁଜୁରାଟୀ ଝିଅମାନେ ପିନ୍ଧୁଥିବା ବେଳେ ଏବେ ଓଡ଼ିଆ ପରିବାରରେ ବି ଏହାର ଚାହିଦା ଅଧିକ ବଢିଛି । ଏଥିରେ ୱେଷ୍ଟର୍ଣ୍ଣ ଲୁକ୍ ସହ ଷ୍ଟାଇଲିସ୍ ଓ ପାରମ୍ପାରିକ ଲୁକ୍ ମିଳୁଛି । ଜର୍ଜେଟ୍, କଟନ୍, ନେଟ୍ କପଡ଼ା ଆଦିର ଲେହେଙ୍ଗା ସବୁଠି ମିଳୁଛି । କିନ୍ତୁ, ଅଧିକ ଚାହିଦାର ରହିଛି ବନାରସୀ କପଡ଼ା, ଫେବ୍ରିକ୍ ଡ଼ିଜାଇନ୍ ର ଲେହେଙ୍ଗା । ଯାହା ଓଡ଼ିଶାରେ ମିଳିବା ମୁସ୍କିଲ । ସାଧାରଣତଃ ବାହା ଘରରେ ନାଲି, ସବୁଜ, ସୁନେଲି ରଙ୍ଗର ଲେହେଙ୍ଗା ପିନ୍ଧିବାକୁ ଝିଅମାନେ ବେଶ୍ ପସନ୍ଦ କରୁଛନ୍ତି । ଏହାଛଡ଼ା ଫେବ୍ରିକ୍ରେ ଜର୍ଦୋସି କାମ,କରଲି, କିମ୍ ଖ୍ୱାବ୍ ଫେବ୍ରିକ୍, ଆଲୋଭେନ୍ ଆଦି ଡ଼ିଜାଇନ୍ ରହିଛି । ଖାସ୍ ଶୀତଦିନ ପାଇଁ ଏବେ ଭେଲଭେଟ୍ର ମାଇକ୍ରୋ ଲେହେଙ୍ଗା ଆସୁଛି । ଏହି ଲେହେଙ୍ଗାର ତଳ ଓ ଉପର ଭାଗରେ ଦୁଇଟି କପଡ଼ା ଦେଇ ତିଆରି କରାଯାଉଛି । ଲେହେଙ୍ଗାକୁ ମ୍ୟାଚିଂ କରି ଭିନ୍ନ ଭିନ୍ନ କଟିଂର ବ୍ଲାଉଜ୍ ମଧ୍ୟ ତିଆରି ହେଉଛି ।ସାଧାରଣତଃ ଲେହେଙ୍ଗା ତିଆରି ପାଇଁ ୨୫ ମିଟର କପଡ଼ା ଲାଗିଥାଏ । ଯାହାର ଓଜନ ୯ ରୁ ୧୦ କେ.ଜି. ଭିତରେ ରହୁଛି । ବିବାହ ପାଇଁ ପ୍ରସ୍ତୁତ ଲେହେଙ୍ଗା ପ୍ରାୟ ୨୫ ହଜାରରୁ ଆରମ୍ଭ ହେଉଥିବା ବେଳେ ଏହାକୁ ତିଆରି ପାଇଁ ୧୫ ଦିନ ସମୟ ଲାଗିଥାଏ । ପୋଷାକ ଓଜନିଆ ହେଲେ ବି ଝିଅମାନେ ଏହାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି ।
ଝିଅଙ୍କ ଶାଢୀ ଭଲି ଆଗେ ପୁଅମାନେ ବି ବାହାଘରରେ କଟନ ଧୋତି ଓ କୁର୍ତା ପିନ୍ଧୁଥିଲେ । କିନ୍ତୁ, ଏବେକାର ପୁଅମାନେ ଭିନ୍ନ ଡ଼ିଜାଇନର ଧୋତି ଏବଂ ତା’ସାଙ୍ଗକୁ କାମିଜ୍ ପସନ୍ଦ କରୁଛନ୍ତି । ଏହା ଦେଖିବାକୁ ପୁରା ଧୋତି ଭଳି କିନ୍ତୁ ପ୍ୟାଂଟ ଯେମିତି ପିନ୍ଧନ୍ତି,ସେମିତି ଏହାକୁ ପିନ୍ଧାଯାଏ । ପୁଅଙ୍କ ପାଇଁ ବି ବନାରସୀ, ଫେବ୍ରିକ୍ରେ ଜର୍ଦୋସି ଡ଼ିଜାଇନର ରେଡ଼ିମେଟ୍ ମିଳୁଛି । କେହି କେହି ସେରୱାନି, କୁର୍ତ୍ତା-ପାଇଜାମା, ପାଠାନୀ-ସୁଟ୍, ନେହେରୁ ଜ୍ୟାକେଟ୍ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ପୋଷାକକୁ ତାଳ ଦେଇ କୁର୍ତା ଉପରେ ପକାଇବା ପାଇଁ ଓଢଣି ଓ ପଗଡ଼ି ମିଳୁଛି । ତା’ ସହିତ ଜୋତା । ଏହି ସେଟ୍ ୧୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ପଡ଼ୁଛି ।

Leave a Reply

Your email address will not be published. Required fields are marked *