ସ୍ପୋର୍ଟ୍ସ ଷ୍ଟାର୍ ପକ୍ଷରୁ ଓଡିଶାକୁ ‘ଷ୍ଟେଟ୍ ଅଫ୍ ଦ ଇୟର ଅଫ୍ ଦ ପ୍ରମୋସନ ଅଫ୍ ସ୍ପୋର୍ଟ୍ସ’ ସମ୍ମାନ ।

ମୁମ୍ବାଇ : ରାଜନୀତି ଏବଂ କ୍ରୀଡ଼ା ମଧ୍ୟରେ ସେପରି ବଡ଼ଧରଣର ପାର୍ଥକ୍ୟ ନାହିଁ । ଖେଳ ପରି ରାଜନୀତିରେ ମଧ୍ୟ ରନ୍, ଜିରୋରେ ଆଉଟ୍ ହେବା, ଡେଇଁବା, କ୍ୟାଚ୍ ନେବା ଆଦି ରହିଛି । ରାଜନୀତିରେ ବେଳେବେଳେ କେଉଁ ଦିଗକୁ ଦୌଡୁଛ ଜାଣିହୁଏନାହିଁ । ଅନେକ ସମୟରେ ତୁମକୁ ବଲ୍ ଫିଙ୍ଗିବାକୁ ହୁଏ ଏବଂ କେତେବେଳେ ଲୋକେ ମଧ୍ୟ ତୁମକୁ ଫିଙ୍ଗି ଦିଅନ୍ତି । ଉଭୟ କ୍ରୀଡ଼ା ଓ ରାଜନୀତିରେ ସଫଳତା ହାସଲ କରିବା ପାଇଁ ଆବେଗ ରହିବା ଉଚିତ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।କ୍ରୀଡ଼ାର ବିକାଶ କ୍ଷେତ୍ରରେ ଓଡିଶା ସର୍ବୋତ୍ତମ ରାଜ୍ୟ।ମୁମ୍ବାଇରେ ସ୍ପୋର୍ଟ୍ସଷ୍ଟାର୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କ୍ରୀଡ଼ା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନିତ କରାଯାଇଛି । ଏହି ଅବସରରେ ସେ କହିଛନ୍ତି ଯେ କ୍ରୀଡ଼ା ପ୍ରତି ଆବେଗ ଜଣକୁ ବିଜୟୀ କରାଇଥାଏ । ସେହିପରି କ୍ଷମତା ପ୍ରତି ଆବେଗ ନିର୍ବାଚନରେ ବିଜୟୀ କରିଥାଏ । ଉଭୟ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଏବଂ ଶୃଙ୍ଖଳାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଇଚ୍ଛାଶକ୍ତି ବିନା ସଫଳତା ସମ୍ଭବ ନୁହେଁ । ପ୍ରତିଯୋଗୀତା ମନୋଭାବ ହିଁ ଉଭୟ କ୍ଷେତ୍ରରେ ସଫଳତାର ମାନକ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଭଳି ମନୋଭାବ ବ୍ୟତିରକେ ଆମେ ବଡ ବଡ ସଫଳତା ହାସଲ କରିପାରିବାନାହିଁ । ଏ ସମ୍ପର୍କରେ ଏକ ଉଦାହରଣର ଅବତାରଣା କରି ସେ କହିଲେ ଯେ ଓଡିଶାରେ ସବୁ କଚ୍ଚା ଘରକୁ ଆମେ ପକ୍କା ଘରକୁ ପରିଣତ କରିବୁ ବୋଲି ଆମେ ନିଷ୍ପତ୍ତି ନେଲୁ । ସାଧାରଣତଃ ଆମେ ୫ ବର୍ଷରେ ୫ ଲକ୍ଷ ଘର ନିର୍ମାଣ କରିଥିଲୁ । ୫ ବର୍ଷରେ ୨୦ ଲକ୍ଷ ଘର ନିର୍ମାଣ କରିବା ଆମର ଥିଲା ଲକ୍ଷ୍ୟ । ଏଥିପାଇଁ ଜିଲ୍ଲାଗୁଡିକ ମଧ୍ୟରେ ପ୍ରତିଯୋଗୀତାମୂଳକ ମନୋଭାବ ସୃଷ୍ଟି କଲୁ । ଫଳସ୍ୱରୂପ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ୨୦ ଲକ୍ଷ ଲୋକଙ୍କୁ ଆଶ୍ରୟର ନିରାପତ୍ତା ଦେଇପାରିଛୁ । କ୍ରୀଡାର ବିକାଶ ପାଇଁ ଏଭଳି ପୁରସ୍କାର ଆରମ୍ଭ କରାଯାଇଥିବାରୁ ସେ ହିନ୍ଦୁ ଖବରକାଗଜକୁ ଅଭିନନ୍ଦନ ଜଣାଇଥିଲେ । କ୍ରୀଡାର ବିକାଶ ଲାଗି ଏହା ରାଜ୍ୟଗୁଡିକ ମଧ୍ୟରେ ଏକ ପ୍ରତିଯୋଗୀତାମୂଳକ ମନୋଭାବ ସୃଷ୍ଟି କରିବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କ୍ରୀଡା ପାଇଁ ପୁଞ୍ଜି ବିନିଯୋଗ ହେଉଛି ଯୁବ ଶକ୍ତିର ବିକାଶ ପାଇଁ ବାସ୍ତବ ବିନିଯୋଗ ଏବଂ ଯୁବ ଶକ୍ତିର ବିନିଯୋଗ ହେଉଛି ଭବିଷ୍ୟତ ପାଇଁ ବିନିଯୋଗ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତ୍ୟେକ ରାଜ୍ୟ ଗୋଟିଏ କିମ୍ବା ଦୁଇଟି ନିର୍ଦ୍ଧିଷ୍ଟ ଖେଳକୁ ପ୍ରାଧାନ୍ୟ ବା ପ୍ରୋତ୍ସାହନ ଦେବା ଉଚିତ୍ । ଫଳରେ କ୍ରୀଡା କ୍ଷେତ୍ରରେ ନୂତନ ପ୍ରତିଭା ସୃଷ୍ଟି ହୋଇପାରିବ । ଓଡିଶାରେ ହକିର ବିକାଶ ପାଇଁ ତାଙ୍କ ସରକାର ପଦକ୍ଷେପ ନେଇଛନ୍ତି ଏବଂ ଉଭୟ ଜାତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ସାଜିଛନ୍ତି । ଅଲମ୍ପିକ୍ ପଦକ ମଞ୍ଚରେ ଭାରତୀୟ ଜାତୀୟ ସଙ୍ଗୀତ ଗାନ ଆମ ପାଇଁ ବେଶିଦିନ ଅପେକ୍ଷା କରିବାକୁ ପଡିବନାହିଁ ବୋଲି କହିବା ସହ ଶେଷରେ ମୁଖ୍ୟମନ୍ତ୍ରୀ ସାଢେ ୪ କୋଟି ଓଡିଶାବାସୀଙ୍କ ପାଇଁ ଏହି ପୁରସ୍କାରକୁ ଉତ୍ସର୍ଗ କରିଥିଲେ । ସୂଚନାଯୋଗ୍ୟ ଯେ ସ୍ପୋର୍ଟ୍ସଷ୍ଟାର୍ ପକ୍ଷରୁ ୩ଟି ପର୍ଯ୍ୟାୟରେ ପୁରସ୍କାର ଦିଆଯାଉଛି । ଲୋକପ୍ରିୟ ପୁରସ୍କାର, ଜୁରି ପୁରସ୍କାର ଓ ମନୋନୀତ ପୁରସ୍କାର ପ୍ରଦାନ କରାଯାଇଥାଏ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୁରି କମିଟିରେ ହିନ୍ଦୁ ଗ୍ରୁପ୍ର ଅଧ୍ୟକ୍ଷ ଏନ୍ ରାମ୍, ପୂର୍ବତନ ହକି ଅଧିନାୟକ ଏମ୍ଏମ୍ ସୋମେୟା, ଅଲମ୍ପିଆନ୍ ଅଞ୍ଜଳି ଭଗତ୍ ଓ ଅଞ୍ଜୁ ବବି ଜଜ୍ ପ୍ରମୁଖ ସଦସ୍ୟ ଅଛନ୍ତି । ହିନ୍ଦୁ ଗ୍ରୁପ୍ ପ୍ରଥମ ଥର ଲାଗି ଏକ ରାଜ୍ୟକୁ କ୍ରୀଡାର ସାମଗ୍ରୀକ ବିକାଶ ଲାଗି ଦୂରଦୃଷ୍ଟି, ସମ୍ବଳ ସଂଗ୍ରହ ଏବଂ ନୀତି କ୍ରିୟାନ୍ୱୟନ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରିଛି । ଓଡିଶା ଏଥିରେ ‘ଷ୍ଟେଟ୍ ଅଫ୍ ଦ ଇୟର ଅଫ୍ ଦ ପ୍ରମୋସନ ଅଫ୍ ସ୍ପୋର୍ଟ୍ସ’ ହାସଲ କରିଛି ।