ଓଭର ଟେକ କରିବାକୁ ଯାଇ ବସ୍ ବାଇକ୍ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତିଲେ ବାଇକ ଆରୋହୀ

ହରିଚନ୍ଦନପୁର ,୧୨/୦୨ (ହଲଚଲ ନ୍ୟୁଜ/ ପରେଶ କୁମାର ସେଠୀ) ବସ ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚାଳନା ଓ କଣ୍ଡକ୍ଟରଙ୍କ ଲାଭଖୋର ମନୋଭାବକୁ ନେଇ ବସ ସହ ବାଇକ ମୁହାଁମୁହିଁ ଧକ୍କା , ଫଳରେ ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହୀଙ୍କ ସମେତ ୨ଜଣ ଯୁବକଙ୍କ ଜୀବନ । ଖବର ଅନୁଯାୟୀ ମଙ୍ଗଳବାର ସକାଳ ୯ଘଟିକା ସମୟରେ (ଓଡି ୦୪ଇ ୯୫୯୧)ରାଉତ ଆଣ୍ଡ ରାଉତ ନାମକ ବସଟି ଭୂବନେଶ୍ୱର ଠାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଯାଜପୁର ଓ କେନ୍ଦୁଝର ଜିଲ୍ଲା ସୀମାନ୍ତରେ ରହିଥିବା ବ୍ରାହ୍ମଣୀପାଳ ବୋର୍ଡର ଛକ ନିକଟରେ ବସଟି ବେନୀୟମ ଭାବେ ଭୂଲ ରାସ୍ତାରେ ଅତିକ୍ରମ କରି ବାଇକକୁ ମୁହାଁମୁହିଁ ଧକ୍କା ହୋଇଥିବାର ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବୋର୍ଡର ଛକ ନିକଟରେ ବସଟି ଅଧିକରୁ ଅଧିକ ପାସେଞ୍ଜର ପାଇବା ଲୋଭରେ ବେନୀୟମ ଭାବେ ଆଉ ଏକ ବସକୁ ଭୂଲ ରାସ୍ତା ଦେଇ ଓଭରଟେକ୍ କରିବାକୁ ଉଦ୍ୟମ କରୁଥିବାରୁ ଏହି ଦୁର୍ଘଟଣା ଘଟିଛି । ବସଟି ଦୃତଗତିରେ ବାଇକ୍ ଆଡକୁ ମାଡି ଆସୁଥିବାର ବାଇକ୍ ଚାଳକ ସହ ୨ଜଣ ସାଥି ଦେଖି ବାଇକକୁ ଫୋପାଡ଼ି ରାସ୍ତା କଡ଼କୁ ଡେଇଁ ପଡିଯାଇଥିଲେ । ଡେଇଁ ପଡ଼ିବା ଫଳରେ ୩ଜଣଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ବସଟି ବାଇକ୍ ଉପରେ ଚଢିଯାଇଥିଲା । ବାଇକରେ ଥିବା ଯୁବକମାନେ ଟମକା ଥାନା ଅର୍ନ୍ତଗତ ତାରି ଗ୍ରାମର ଦିଲ୍ଲୀପ ସିଂ, ସଞ୍ଜୟ ଓ ଅକ୍ଷୟ ବୋଲି ଜଣାପଡିଛି । ସେମାନେ ଫୁଟବଲ୍ ଖେଳିବା ନିମନ୍ତେ ବ୍ରାହ୍ମଣୀପାଳ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି । ଖବର ପାଇ ଟମକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଜବତ କରିବା ସହ ବାଇକରେ ଆହାତ ହୋଇଥିବା ୩ଜଣଙ୍କୁ ଚିକିତ୍ସା ନିମନ୍ତେ ଦାନଗଦି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି ।