ମାଲକାନଗିରି:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କଲା କଂଗ୍ରେସ !

ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ଖୋଲା ଯାଇଥିବା ୬୨ଟି ମଣ୍ଡିରେ ଏବେ ବି ପଡିରହିଛି ହଜାର ହଜାର କୁଇଣ୍ଟାଲ ଧାନ। ଧାନମଣ୍ଡି ଓ ଚାଷୀମାନଙ୍କ ସମସ୍ୟାକୁ ନେଇ ଆଜି ଭୋର ୪ ଟାରୁ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ଓ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଗେଟ ନିକଟରେ ହଜାର ହଜାର ଧାନବସ୍ତା ପକାଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଗେଟରେ ଚାଷୀଙ୍କ ଅସ୍ଥାୟୀ ଧାନମଣ୍ଡି, ବୋଲି ଦୁଇଟି ବଡ ବଡ ବ୍ୟାନର ଲଗାଇ ସେଥିରେ ମଣ୍ଡିରୁ ତୁରନ୍ତ ଚାଷୀମାନଙ୍କ ଧାନ ଉଠାଯାଉ, ଚାଷୀଙ୍କ ପ୍ରାପ୍ୟ ତୁରନ୍ତ ସେମାନଙ୍କ ପାସବୁକରେ ଜମା କରାଯାଉ, ଦୁର୍ନୀତିଗସ୍ତ ଯୋଗାଣ ବିଭାଗ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ। ମଣ୍ଡିରେ ଧାନକ୍ରୟ କରିବାର ସମୟ ସୀମା ବୃଦ୍ଧି କରାଯାଉ ବୋଲି ଦାବି କରାଯାଇଛି। ହଜାର ହଜାର ଧାନବସ୍ତା ପକାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ହେଉଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାଇଥିଲେ ମଧ୍ୟ ଆନ୍ଦୋଳନକାରୀ ମାନେ ସେମାନଙ୍କ ଦାବିପୁରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କହିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଟି ମୁଖ୍ୟ ପାଠକ ଧାନ ବସ୍ତାରେ ବନ୍ଦହୋଇ ଯାଇଥିବାରୁ କାର୍ଯ୍ୟାଳୟ ଭିତରକୁ ସହକାରି ଜିଲ୍ଲାପାଳ କି କୌଣସି ଅଧିକାରୀ, କର୍ମଚାରୀମାନେ ଯାଇ ନପାରି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗ୍ରୀଭେନ୍ସ ଥିଲେ ମଧ୍ୟ କାର୍ଯ୍ୟାଳୟ ସାମନାରେ ଧାନ ବସ୍ତା ଗଦା ହୋଇ ଥିବାରୁ ଅଫିସ କାର୍ଯ୍ୟ ହୋଇପାରି ନଥିଲା। ବିଭିନ୍ନ ଅଞ୍ଚଳରୁ ଗ୍ରୀଭେନ୍ସ ଜଣାଇବାକୁ ଆସିଥିବା ଗ୍ରାମବାସୀମାନେ ନିଜ ନିଜର ଗୁହାରି ଜିଲ୍ଲାପାଳଙ୍କୁ ଜଣାଇ ନପାରି ନିଜ ନିଜ ଘରକୁ ଫେରି ଯାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅପରାହ୍ନ ୪ଟାରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଗୁଣନିଧି ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି, ସହାକରି ଜିଲ୍ଲାପାଳ ପ୍ରମୁଖ ଅଧିକାରୀମାନେ ମିଲରମାନଙ୍କ ସାଥିରେ ଧରି ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନକାରି ମାନଙ୍କୁ ବୁଝାଇଥିଲେ। ଗତ ଦୁଇଦିନ ମଧ୍ୟରେ ମଣ୍ଡି ଗୁଡିକରୁ ଧାନ ଉଠାଯାଇ ଚାଷୀମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ସହିତ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଦା ହୋଇଥିବା ହଜାର ହଜାର ଧାନବସ୍ତାକୁ ଓଜନ କରି ମିଲରମାନେ ଉଠାଇ ନେବାରୁ କଂଗ୍ରେସ ଦଳ ଓ ଚାଷୀ ମାନଙ୍କର ଆନ୍ଦୋଳନ ୧୨ ଘଣ୍ଟାପରେ ପ୍ରତ୍ୟାହାର ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଗତ ନଭେମ୍ବର ମାସ ୨୫ ତାରିଖ ଠାରୁ କାଲିମେଳା, ମାଲକାନଗିରି, ପଡିଆ, କୋରକୁଣ୍ଡା, କୁଡୁମୁଲୁଗୁମ୍ମା, ଖଇରପୁଟ, ମାଥିଲି ସାତଟିଯାକ ବ୍ଲକର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬୨ ମଣ୍ଡି ଖୋଲାଯାଇ ଧାନକ୍ରୟ ଚାଲିଛି।