କଅଁରମାଲ ଠାରୁ ପରିବେଶ ବଞ୍ଚାଅ ସଚେତନତାର ବାର୍ତ୍ତା ଦେଇ ସାଇକେଲ ରାଲିର ଶୁଭାରମ୍ଭ: ଜିଲ୍ଲାର ସବୁ ପଞ୍ଚାୟତକୁ ସାଇକେଲରେ ଭ୍ରମଣ କରିବେ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)

ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କଅଁରମାଲ ଠାରୁ ପରିବେଶ ବଞ୍ଚାଇବା ସଚେତନତା ଉଦ୍ଦେଶ୍ୟରେ ଏକ ସାଇକେଲ ରାଳିରେ ସୋମବାର ଦିନ ସକାଳ ୯ ଘଣ୍ଟା ସମୟରେ ପରିବେଶ ବଞ୍ଚାଅ ଆହ୍ୱାନ ଦେଇ ଲଇକେରା ବି.ଡ଼ି.ଓ ପ୍ରସନ୍ନ କୁମାର ପାଣ୍ଡେ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ସାଇକେଲ ରାଲିକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼. ଧ୍ରୁବରାଜ ନାଏକ ନେତୃତ୍ୱ ନେଉଛନ୍ତି । ଏହି ଅବସରରେ ଝାରସୁଗୁଡା ଇକୋ କ୍ଲବର ସଂଯୋଜକ ପ୍ରହଲ୍ଲାଦ ନାଏକ, ଜିଲ୍ଲା ଶାରୀରିକ ଅଧିକାରୀ ଡମ୍ବରୁଧର ପୁଝାରୀ, ପାକେଲଖୋଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଙ୍କ ସହ ହାଇସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସଙ୍ଗେସଙ୍ଗେ ଅନ୍ଧାରୀର ସ୍ବେଚ୍ଛାସେବୀ ସଂଗଠନର ସଭ୍ୟସଭ୍ୟା ଅଂଶ ଗ୍ରହଣ କରିଥିଲେ । ଏହି ସାଇକେଲ ରାଲି କଅଁରମାଲରୁ ବାହାରି ଲଇକେରା, ସାରଙ୍ଗଳୋଇ, କୁଳେମୁରା, ନିକ୍ତିମାଲ ଦେଇ ଭାତଲଇଡାରେ ରାତ୍ରିଯାପନ କରିଛନ୍ତି । ଏହି ରାଲି ୧୭ ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକର ସବୁ ପଞ୍ଚାୟତକୁ ଯିବାର କାର୍ଯ୍ୟକ୍ରମ ରହିଛି । ସମାଜର କୁସଂସ୍କାର, ବଦଭ୍ୟାସ ଦୂର କରିବା ସହ ସଚେତନତା ବାର୍ତ୍ତା ପ୍ରଚାର କରିବା ଏହି ସାଇକେଲ ରାଲିର ଉଦ୍ଦେଶ୍ୟ । ବିଶେଷ କରି ଏହି ସାଇକେଲ ଚାଳନା ରାଲିରେ ପରିବେଶ ସଚେତନା ଉପରେ ବାର୍ତ୍ତା ପ୍ରଚାର କରାଯାଇଛି । ଏଥିରେ ବନଖଣ୍ଡ ବିଭାଗ ଝାରସୁଗୁଡ଼ା ପରିବେଶ ସମିତି ଜିଲ୍ଲା ଇକୋ କ୍ଳବ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନେ ସହଯୋଗ କରୁଛନ୍ତି । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସ୍ୱାଗତ କରିବା ସହ ପରିବେଶ ସମ୍ପର୍କରେ ପ୍ରାଚୀରପତ୍ର ବଣ୍ଟାଯାଉଛି ।