ଉର୍ଜା ସଂରକ୍ଷଣ କ୍ଷେତ୍ରରେ ବିଶ୍ବ ରେ ଏବେ ଭାରତ ପ୍ରଥମ !

ନୂଆଦିଲ୍ଲୀ : ସାମାଜିକ ଆର୍ଥିକ ବିକାଶ ଉର୍ଜା ଉପରେ ନିର୍ଭର କରେ । ଭାରତ ଏବେ ଉର୍ଜା ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଉର୍ଜା ସଂରକ୍ଷଣ କରିବା ଦିଗରେ ଭାରତ ପ୍ରଥମ ସ୍ଥାନରେ ରହିଛି ବୋଲି ନୂଆଦିଲ୍ଲୀର ଗ୍ରେଟର୍ ନୋଏଡା ଠାରେ ଆୟୋଜିତ ପେଟ୍ରୋଟେକ୍ ୨୦୧୯ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜଳବାୟୁର ଅନିୟମିତତା ଭାବେ ପରିବର୍ତନକୁ ରୋକିବା ପାଇଁ ସବୁ ଦେଶ ଏକ ହେବା ଉଚିତ୍ । ସାଧାରଣ ଜନତାଙ୍କୁ କିପରି ସ୍ୱଚ୍ଛ ଉର୍ଜା ମିଳିପାରିବ ତାହା ଆମର ମୁଖ୍ୟ ଲକ୍ଷ୍ୟ । ସମସ୍ତଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ପାଇଁ ସରକାର ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି ।ସେହିପରି ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ଦେଶରେ ବିଗତ ୫ ବର୍ଷ ମଧ୍ୟରେ ଉର୍ଜା କ୍ଷେତ୍ରରେ ଭାରତ ଅଭୁତପୂର୍ବ ସଫଳତା ଆଣିଛି । ଫଳରେ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଚାରୋଟି ସ୍ତମ୍ଭ ଯଥା ଉର୍ଜା ପାଇବା, ଉର୍ଜା ସୁରକ୍ଷା, ଦୀର୍ଘ ମିଆଦୀ ଉର୍ଜା ଏବଂ ଉର୍ଜାର ଦକ୍ଷତା ଇତ୍ୟାଦିକୁ ଆପଣାଯାଇ ଗରିବରୁ ଅତି ଗରିବଙ୍କ ପାଖରେ ଉର୍ଜା ପହଂଚାଯିବାର ବ୍ୟବସ୍ଥା ହୋଇଛି । ଏହା ଆମକୁ ଏକ ଗତି ଦେଇଛି ବୋଲି ଏହି ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ତୈଳ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ସଂସ୍କାର ଆଣି ନୂତନ ନିବେଶ ଓ ନୂଆ ଜ୍ଞାନକୌଶଳ ବ୍ୟବହାର ପ୍ରକ୍ରିୟାକୁ ସୁଗମ କରିପାରିଛନ୍ତି । ଉଜ୍ଜଳା ଏବଂ ସିଟି ଗ୍ୟାସ ବିତରଣ (ସିଜିଡି)ଭଳି ଯୋଜନାମାନ ସ୍ୱଚ୍ଛ ଇନ୍ଧନ ଗ୍ୟାସ ସାଧାରଣ ଜନତାଙ୍କ ନିକଟରେ ସଫଳ ରୂପେ ପହଁଚାଇ ପାରି ସମଗ୍ର ବିଶ୍ୱରୁ ପ୍ରଶଂସା ପାଇଛି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏହି ସବୁ ମହତ୍ୱକାଂକ୍ଷୀ ଯୋଜନାମାନ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଉର୍ଜା ନ୍ୟାୟ ଦେବା ସାଙ୍ଗକୁ ବ୍ୟବସାୟୀକ ସୁଯୋଗ ସୃଷ୍ଟି ଏବଂ ଜଳବାୟୁ ପରିବର୍ତନ ଓ ସ୍ଥାନୀୟ ପ୍ରଦୂଷଣ ସମସ୍ୟାକୁ ସମାଧାନ କରିବାରେ ସଫଳ ହୋଇଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ଯେ ବୈଦ୍ୟୁତିକ ଯାନ ମଧ୍ୟ ସଂରକ୍ଷଣ ଢାଂଚାକୁ ପରିବର୍ତନ କରିଛି । ୟୁଏଏସ ବିଶ୍ୱର ସବୁଠୁ ଅଧିକ ତୈଳ ଓ ଗ୍ୟାସ ଉତ୍ପାଦନ କରୁଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଟେକ୍ ଭଳି ସଂସ୍ଥା କେବଳ ଭାରତ ନୁହେଁ, ଅନ୍ୟ ପାରସ୍ପରିକ ରାଷ୍ଟ୍ର ମାନଙ୍କରେ ମଧ୍ୟ ସ୍ୱଚ୍ଛ, ସୁଲଭ ଏବଂ ସୁନିଶ୍ଚିତ ଉର୍ଜା ପ୍ରଦାନ କରିବାର ଚିନ୍ତନରେ ମଧ୍ୟ ପ୍ରୟାସ କରୁଅଛି । ଅଣପାରମ୍ପିକ ଶକ୍ତିର କ୍ରମବର୍ଦ୍ଧିଷ୍ଣୁ ବ୍ୟବହାର ପାଇଁ, ଆଗାମୀ ଦିନରେ ଉର୍ଜା ବ୍ୟବହାର କ୍ଷେତ୍ରରେ ବ୍ୟାପକ ପରିବର୍ତନ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଉର୍ଜାର ଉପଲବ୍ଧତା କମ୍ କାରଣରୁ ଅନେକ ରାଷ୍ଟ୍ରର ବିଭିନ୍ନ ଅଂଚଳରେ ଦାରିଦ୍ର‌୍ୟ ଭଳି ସମସ୍ୟା ଉପୁଜିଛି । ଆଫିକ୍ରା ଏବଂ ସାଉଥ ଏସିଆର ଅନେକ ଅଂଚଳର ପ୍ରଗତିରେ ବାଧା ଉପୁଜିଛି । ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଲିଙ୍ଗଗତ ସମାନତା, ଜୀବନଜୀବିକା ଏବଂ ଦାରିଦ୍ର‌୍ୟ ଭଳି ସମସ୍ୟା ଦେଖାଯାଇଛି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ୬୦ ଦେଶର ୭ ହଜାର ପ୍ରତିନିଧି ଯୋଗ ଦେଇଥିଲେ । ଏହି ଅବସରରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଉତମ ଅବଦାନ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇର ମନ୍ତ୍ରୀ ତଥା ଏଡିଏନ୍ଓସିର ସିଇଓ ଡ.ସୁଲତାନ୍ ଅହମଦ ଅଲ୍ ଜାବେର୍ଙ୍କୁ ଲାଇଫ୍ଟାଇମ୍ ଇଂଟରନ୍ୟାସନାଲ ଏକ୍ଚିଭମେଂଟ୍ ଆୱାର୍ଡରେ ସମ୍ମାନିତ କରିଥିଲେ ।