କଂଗ୍ରେସର ଜନମତ ସଂଗ୍ରହ ଅଭିଯାନ:ଜନମତ ଆଧାରରେ ହେବ ଦଳୀୟ ଇସ୍ତାହାର !

ଭୁବନେଶ୍ୱର: ଆସନ୍ତା ନିର୍ବାଚନକୁ ଜିତିବା ପାଇଁ କଂଗ୍ରେସ ଆପ୍ରାଣ ଉଦ୍ୟମ ଚଳାଇଛି । ଜନମତକୁ ହାସଲ କରିବା ଓ କଂଗ୍ରେସ ପ୍ରତି ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ନୂଆ ନୂଆ ପଦ୍ଧତି ଅବଲମ୍ବନ କରାଯାଉଥିବା ଦେଖାଯାଉଛି । ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କେବଳ କଥା ମାଧ୍ୟମରେ ଘୋଷଣା ସୀମିତ ରହୁଥିଲା ବେଳେ ଏବେ ଲିଖିତ ପ୍ରତିଶ୍ରୁତି ପତ୍ର ଦେବା ଆରମ୍ଭ ହୋଇଛି । ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପ୍ରତିଶ୍ରୁତି ପତ୍ର ଉନ୍ମୋଚନ କରିଥିଲେ । ଏବେ ଇସ୍ତାହାର ପ୍ରସ୍ତୁତ କରିବା ପାଇଁ ଆଉ ମନଇଚ୍ଛା ପ୍ରସ୍ତାବ ରଖିବା ବଦଳରେ ଲୋକେ କଣ ଚାହୁଁଛନ୍ତି ଓ ସେମାନଙ୍କ ସମସ୍ୟା କଣ ସେ ବିଷୟରେ ଆଲୋଚନା କରି ମତାମତ ନେବାକୁ ଉଦ୍ୟମ ଆରମ୍ଭ କରାଯାଇଛି । ଜନମତକୁ ଆଧାର କରି କଂଗ୍ରେସ ଇସ୍ତାହାର ପ୍ରସ୍ତୁତ କରିବ । ଏ ନେଇ ଆଜିଠାରୁ ଦଳର ଇସ୍ତାହାର କମିଟି ଜନମତ ଲୋଡ଼ିବା ପାଇଁ ଲୋକଙ୍କ ପାଖକୁ ଯାଇଛି । ଏହିଭଳି ନୂଆ ନୂଆ ପଦ୍ଧତି ଅବଲମ୍ବନ କରିବା କଂଗ୍ରେସ ଆରମ୍ଭ କରିଛି ।
କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧି ନିକଟରେ ଓଡ଼ିଶା ଗସ୍ତରେ ପଶ୍ଚିମ ଓଡ଼ିଶାକୁ ଆସିଥିଲା ବେଳେ ସେଠାରେ ପ୍ରତିଶ୍ରୁତି ପତ୍ର ଉନ୍ମୋଚନ କରିଥିଲେ । ଯେଉଁଥିରେ କଂଗ୍ରେସ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛି ଯେ, କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୬୦୦ ଟଙ୍କା ଦେବ, ପ୍ରତି ପରିବାରରୁ ଜଣଙ୍କୁ ସରକାରୀ ହେଉ କି ବେସରକାରୀ ସଂସ୍ଥାରେ ହେଉ ଚାକିରି ଦେବ, ଗରିବ ପରିବାରକୁ ନିଶ୍ଚିତ ରୋଜଗାର ଦେବ, ସବୁ ଘରକୁ ପାଇପ ପାଣି ଯୋଗାଇ ଦିଆଯିବ । ଏହି ପଦକ୍ଷେପ ପରେ ପିସିସି ଆଉ ଏକ ପଦକ୍ଷେପ ନେବାକୁ ଯାଇଛି । ଏଥିରେ ଆଉ ୪ କାନ୍ଥ ଭିତରେ ବସି ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ପ୍ରସ୍ତୁତ କରିବନାହିଁ । ଛତିଶଗଡ଼ରେ ଗ୍ରହଣ କରାଯାଇଥିବା ପଦ୍ଧତିକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି । ଛତିଶଗଡ଼ରେ କଂଗ୍ରେସ ବହୁ ସଂଖ୍ୟା କ୍ଷମତାକୁ ଆସିପାରିଥିବାରୁ ଓଡ଼ିଶାରେ ସେହି ଫଣ୍ଡା ଅବଲମ୍ବନ କରିବାକୁ ଚାହୁଁଛି । ଜନମତ ନେବା ପାଇଁ ପିସିସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଆଜି ଜଗତସିଂପୁର ଜିଲ୍ଲାରୁ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ତଥା ଦଳର ସ୍ଥାନୀୟ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ଏବଂ ଛତିଶଗଡ଼ରୁ ଆସିଥିବା ମନ୍ତ୍ରୀ ଟିଏସ ସିଂହଦେଓଙ୍କ ଉପସ୍ଥିତିରେ ଏହି ଜନମତ ଲୋଡ଼ାଯାଉଛି । ବିଭିନ୍ନ କ୍ଷେତ୍ରର ଲୋକମାନଙ୍କୁ ଡାକି ସମସ୍ୟା କଣ ବୁଝି ଲୋକେ କଣ ଚାହୁଁଛନ୍ତି ତାହା ଶୁଣୁଛନ୍ତି । ମହିଳା, ଯୁବକ, ବୟସ୍କ ସବୁ କ୍ଷେତ୍ରର କଣ ଆବଶ୍ୟକ ରହିଛି ସେ ବିଷୟରେ ପଚାରି ବୁଝୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଂଗ୍ରେସ ନେତାମାନଙ୍କୁ ଦୂରେଇ ରଖି ଲୋକଙ୍କ ସହ ସିଧା ସଳଖ କଥା ହେଉଛନ୍ତି । ଏପରି କି ଟିମ ଡାକ୍ତରଖାନାଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି କେତେ ଡାକ୍ତର ଅଛନ୍ତି ଓ କଣ ସବୁ ଅସୁବିଧା ରହିଛି ତାହା ମଧ୍ୟ ଦେଖୁଛନ୍ତି । ଜନମତ ସଂଗ୍ରହ ପରେ ପିସିସି ନିର୍ବାଚନ କମିଟି ବୈଠକ ବସି ତାହା ଉପରେ ତର୍ଜମା କରାଯିବ । ଲୋକମାନଙ୍କର ଯେଉଁସବୁ ମୁଖ୍ୟ ସମସ୍ୟା ରହିବ ଏବଂ ସବୁ ଅଂଚଳ ପାଇଁ ଯାହା ଏକ ପ୍ରକାର ଆବଶ୍ୟକ ପଡ଼ିବ ତାକୁ ଆଧାର କରି ଇସ୍ତାହାର ପ୍ରସ୍ତୁତ ହେବ । କୁହାଯାଉଛି ନିଯୁକ୍ତି. ଡାକ୍ତର, ଶିକ୍ଷକ, ପାଣି ପ୍ରଭୃତି ସମସ୍ୟାମାନ ଲୋକେ କହୁଛନ୍ତି ।