ଧଉଳି-କଳିଙ୍ଗ ଉତ୍ସବ ଉଦଯାପିତ !

ଭୁବନେଶ୍ବର:ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିିତ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୧୫ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଅତ୍ୟନ୍ତ ମନୋଜ୍ଞ ଓ ଚିତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ  ।
କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଭାରତର ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ କାର୍ଯ୍ୟକ୍ରମରୁ  । ବାଙ୍ଗାଲୋରରୁ ଆସିଥିବା ମଧୁଲିତା ମହାପାତ୍ର ଓ ସାଥୀଙ୍କ ଦ୍ୱାରା ପ୍ରଥମେ ଶିଭମ ଧିମାହୀ ପରେ ପରେ ହରି ସ୍ମରଣମ ମାଡ଼ୋ ପରିବେଶିତ ହୋଇଥିଲା  । ଦୁଇଟିଯାକ ନୃତ୍ୟର ସଂରଚନା କରିଥିଲେ ନିଜେ ମଧୁଲିତା   ମହାପାତ୍ର  । ପରବର୍ତୀ ପ୍ରସ୍ତୁତିରେ ଥିଲା ନୂଆଦିଲ୍ଲୀରୁ ଆସିଥିବା ରାଣି ଖନ୍ନମ ଓ ସାଥୀଙ୍କ ଦ୍ୱାରା ପ୍ରଥମେ ନାଚତ ସୁଧାଙ୍ଗ ଶ୍ରୀ ନନ୍ଦ ନନ୍ଦନ ପରେ ପରେ ଯୁମୁନାଷ୍ଟକମ ପରିବେଶିତ ହୋଇଥିଲା ଯେଉଁଥିରେ କଥକ ନୃତ୍ୟର ସୌନ୍ଦର୍ଯ୍ୟ ବିଭାବ ଏବଂ ତାତ୍ୱିକ ବିଶ୍ଳେଷଣକୁ କଳାକାରମାନେ ଅତି ଚମକ୍ରାର ଭାବେ ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ  । ଅନ୍ତିମ ସଂଧ୍ୟାର ପରବର୍ତୀ ପ୍ରସ୍ତୁତିଟି ଥିଲା କେରଳରୁ ଆସିଥିବା ଶ୍ରୀଜିତ ଟି.ଆର ଓ ସାଥୀଙ୍କ ଦ୍ୱାରା ସମକାଳ ନୃତ୍ୟ କଲାରି ପାଇଟୁ  ।ନିରବତାର ଭଙ୍ଗୁରତା ବିପଦର ଅସ୍ଥିରତା ଏବଂ ଗତିଚଳନର ସାଂଗାତିକତାର ଏକ ଅପୂର୍ବ ସମନ୍ୱୟ ଏହି ନୃତ୍ୟ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା  । ଅନ୍ତିମ ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ଭୁବନେଶ୍ୱରର ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ବାଙ୍ଗାଲୋରର କର୍ଣ୍ଣକୁପିୟା କ୍ରିଏସନ ଓ କଟକର ମୋକ୍ଷ ଅନୁଷ୍ଠାନର ମହମଦ ସୈଫୁଲ ହକଙ୍କ ମିଳିତ ସହଯୋଗରେ ଏକ ଅଭିନ୍ନ ନୃତ୍ୟ କାର୍ଯ୍ୟକ୍ରମ ମେକ ଇନ ଓଡ଼ିଶା  । ଓଡ଼ିଶାର ଐତିହାସିକ ଗୌରବ ଓ ଉଚ୍ଚକୋଟିର କଳାକୁ ସେମାନେ ତାଙ୍କ ନୃତ୍ୟ ମାଧ୍ୟମରେ ପ୍ରତିପାଦିତ କରିଥିଲେ  । ଓଡ଼ିଶୀ ସହିତ ସମକାଳୀନ ଓ ଆଧୁନିକ ନୃତ୍ୟରେ ପ୍ରସ୍ତୁତ ଏହି ଫୁ୍ୟଜନ ବେଶ ଚମକ୍ରାର ଓ ଚିତାକର୍ଷକ ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ରହି ଉପଭୋଗ କରିଥିଲେ  ।
ସଂଧ୍ୟାର ଅତିଥିମାନେ ଥିଲେ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର, ଭାରତୀୟ ବିଦ୍ୟା ଭବନର ଡ଼. ଏସ. କେ ଟାମୋଟିଆ; ଏନ.ଟି.ପିସିର ଜେନେରାଲ ମେନେଜର ସେବାତନ ଜୋସେଫ; ନୃତ୍ୟ ସମିକ୍ଷକ ଡ଼. ସୁନିଲ କୋଠାରୀ; ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ; ପର୍ଯ‎୍ୟଟନ ବିଭାଗର ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ; ସୃଜନର ନିର୍ଦ୍ଧେଶକ ଗୁରୁ ରତିକାନ୍ତ ମହାପାତ୍ର, ଆର୍ଟ ଭିଜନର ସମ୍ପାଦକ ଗୁରୁ ଇଲିୟାନା ସିତାରିଷ୍ଟି; ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି  । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣି ମିଶ୍ର ଓ ଡ଼. ଶ୍ରୀନିବାସ ଘଟୁଆରୀ  ।