ସପ୍ତାହେ ହେଲା ଭାଲୁପତ୍ରା ଦେଶୀ ମଦଭାଟି ବନ୍ଦ ଦାବିରେ 

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା ଜିଲ୍ଲା କୀର୍ମିରା ବ୍ଲକ ଅନ୍ତର୍ଗତ ଭାଲୁପତ୍ରା ଗ୍ରାମରେ ଥିବା ଦେଶୀ ମଦଭାଟିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ୭ଦିନ ହେଲା ମହିଳାମାନେ ଧାରଣାରେ ବସିଛନ୍ତି । ୭ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନର ଏପର୍ଯ୍ୟନ୍ତ ନିଦ ଭାଙ୍ଗିନାହିଁ । କୀର୍ମିରାରୁ ଝାରସୁଗୁଡ଼ାକୁ ଯିବା ମୁଖ୍ୟ ରାସ୍ତାର ଓ ତାହା ପୁଣି ସ୍କୁଲ ନିକଟରେ ଦେଶୀମଦ ଦୋକାନ ରହିଥିବାରୁ ମହିଳାମାନଙ୍କ ଏବଂ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି । ଛାତ୍ରଛାତ୍ରୀ, ମହିଳାମାନଙ୍କ ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଏହାର କୁପ୍ରଭାଵ ମଧ୍ୟ ପଡୁଛି । ଛାତ୍ରଛାତ୍ରୀ ଏବଂ ମହିଳାମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଭାଲୁପତ୍ରା ଗ୍ରାମର ପରିବେଶ ପ୍ରଦୂଷଣ ଓ ଦୂଷିତ ପରିବେଶରେ ସାଧାରଣ ମଣିଷଙ୍କ ଜୀବନ ରୋଗାକ୍ରାନ୍ତ ହେଉଛି । ତେବେ ମିଳିଥିବା ସୂଚନା ଅନୁସାରେ ମହିଳାମାନେ ଗତ ୨ତାରିଖ ଦିନ ମଦଭାଟିକୁ ବନ୍ଦ କରିବା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବା ସହିତ ଯଦି ମଦଭାଟି ବନ୍ଦ ନ ହୁଏ ତେବେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିବୁ ବୋଲି ଜିଲ୍ଲାପାଳଙ୍କୁ ଜଣାଇଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଆଶ୍ୱାସନା ନ ମିଳିବାରୁ ମହିଳାମାନେ ଧାରଣାରେ ବସିବା ସହ ମଦଭାଟିକୁ ବନ୍ଦ ଦାବିରେ ଅଟଳ ରହିଛନ୍ତି । ପ୍ରଶାସନ ଯଦି ଦେଶୀ ମଦଭାଟିକୁ ବନ୍ଦ ନ କରେ ତେବେ ମହିଳାମାନେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ତେବେ ଝାରସୁଗୁଡ଼ାରେ ଥିବା ଜିଲ୍ଲାପାଳଙ୍କ ବଦଳି ପରେ ବୋଧେ ନୁଆଁ ଜିଲ୍ଲାପାଳ ମହିଳାଙ୍କ ଦୁଃଖ ଶୁଣିବେ ବୋଲି ଚର୍ଚ୍ଚା ହେଉଛି ।