ଏ ଯୁଗର ମନହୋର ଦାସ:ଚିନ୍ତାମଣି ଦାସ !!

ପୁରୀ/ଭୁବନେଶ୍ବର,(ହଲଚଲ୍ ନ୍ୟୁଜ୍)-ଆପଣ ମାନେ ସାଧୁ ମନହୋର ଦାସଙ୍କ ବିଷୟରେ ଜାଣିଥିବେ । ସେ କିପରି ଶ୍ରଦ୍ଧା ରେ ମହାପଭୁଙ୍କ ନିମନ୍ତେ ପଦ୍ମ ଫୁଲ ଆଣି ଆସିଥିଲେ । କିନ୍ତୁ ବଡ଼ଦେଉଳକୁ ପହଁଚିଲା ବେଳେକୁ ଉକ୍ତ ଫୁଲ ଶୁଖି ଯାଇଥିବାରୁ ତାହା ଲାଗି ହେବା ଯୋଗ୍ୟ ହେଇ ନଥିଲା । ପରେ ମହାପ୍ରଭୁଙ୍କ ନିର୍ଦେଶ ରେ ତାହା ଲାଗି ହୋଇଥିଲା । ତତ୍ପରଠୁ ଉକ୍ତ ସ୍ମୃତି କୁ ମନେ ରଖିବାକୁ ଯାଇ ପ୍ରତ୍ୟକ ବର୍ଷ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧ ବାର କିମ୍ବା ଶନିବାର ଦିନ ମହାପ୍ରଭୁଙ୍କ ପଦ୍ମ ବେଶ ଅନୁଷ୍ଠିତ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଏହି ସମୟର ସେମିତି ଏକ ଭକ୍ତଙ୍କ ବିଷୟରେ ଯିଏ ପଦ୍ମ ବେଶ ରେ ମହାପ୍ରଭୁଙ୍କୁ ପଦ୍ମ ମାଳ ଯୋଗାଇ ଆସୁଛନ୍ତି । ଶୀତ ସମୟରେ ପଦ୍ମଫୁଲ ବିଶେଷ ମିଳିନଥାଏ କିନ୍ତୁ ପ୍ରକୃତି ର ଏହି ନିୟମ ଯେପରି ଏହି ଭକ୍ତଙ୍କ ନିଷ୍ଠା ଆଗରେ ହାର ମାନିଛି।
ଭକ୍ତ ଙ୍କ ନାମ ଚିନ୍ତାମଣି ଦାସ , ଜଣେ ଅବସର ପ୍ରାପ୍ତ ସଂସ୍କୃତ ଅଧ୍ୟାପକ । ବୟସ ତାଙ୍କୁ ୬୪ । ଦୀର୍ଘ ୯ ବର୍ଷ ହେବ , ଏହି ଭକ୍ତ ଜଣକ ଭୁବନେଶ୍ୱରର ପାଖା ପାଖି ଅଂଚଳରୁ ପଦ୍ମ ସଂଗ୍ରହ କରି ତାକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁନ୍ଥି ୮ – ୧୦ ଫୁଟ ର ମାଳ କରିଥାନ୍ତି। ଉକ୍ତ ମାଳ ସବୁକୁ ଏକ ଟୋକେଇ ରଖି ନିଜ ଧର୍ମ ପତ୍ନୀ ଙ୍କ ସହ ପୁରୀ ଅଭିମୁଖେ ଯାନ୍ତି । ନିଜ ମୋଟର କାର ଟିକୁ ଜଗନ୍ନାଥ ବଲ୍ଲଭ ରେ ପାର୍କିଙ୍ଗ କରି ଭକ୍ତ ଜଣକ ଖାଲି ପାଦ ରେ ମାଳ ଥିବା ଟୋକେଇଟିକୁ ମୁଣ୍ଡରେ ମୁଣ୍ଡାଇ ବଡ଼ଦେଉଳ ଅଭିମୁଖେ ଯାନ୍ତି। ରାତ୍ରୀ ରେ ମହାପ୍ରଭୁଙ୍କ ପଦ୍ମ ବେଶରେ ଉକ୍ତ ମାଳ ସବୁ ଲାଗି ହୋଇଥାଏ। ଦୀର୍ଘ ୯ ବର୍ଷ ହେବ ମହାପ୍ରଭୁଙ୍କ ନିମନ୍ତେ ସେ ଏହି ସେବା କରି ଆସୁଛନ୍ତି।

ମହାପ୍ରଭୁଙ୍କ ପାଖେ ଏତିକି ନିବେଦନ ତାଙ୍କର ଏହି ଭକ୍ତଙ୍କୁ ସବୁବେଳେ ସାହାୟ ହେଉଥାନ୍ତୁ ଏବଂ ସେ ଏହିପରି ପଦ୍ମ ବେଶ ରେ ମହାପ୍ରଭୁଙ୍କ ନିମନ୍ତେ ପଦ୍ମ ମାଳ ଯୋଗାଇ ଚାଲନ୍ତୁ ।

ଜୟ ଜଗନ୍ନାଥ